Odiapua.com

ଜଳଛତ୍ର ମାଠିଆରୁ ବିଷାକ୍ତ ଜଳ ପିଇ ୩ ଅସୁସ୍ଥ : ପୁଲିସର ତଦନ୍ତ ଆରମ୍ଭ

ମାଲକାନଗିରି, ୨୧/୪ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି ୪୯ ଗ୍ରାମରେ ଖୋଲା ଯାଇଥିବା ଜଳଛତ୍ରରୁ ଆଜି ଜଳ ପିଇ ୩ ଜଣ ଅସୁସ୍ଥ ହୋଇପଡିଥିବା ବେଳେ ଏହି ଘଟଣାର ତଦନ୍ତ ପୁଲିସ ଆରମ୍ଭ କରିଛି। ଏହି ଜଳଛତ୍ର ପାଣି ମାଠିଆରେ କେହି ଦୁର୍ବୃତ୍ତ କୌଣସି ବିଷାକ୍ତ ଦ୍ରବ୍ୟ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ଜଳଛତ୍ରର ପାଣି ପାଣି ପିଇବା ଯୋଗୁଁ ନାବାଳିକାଙ୍କ ସମେତ ୩ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ପ୍ରଥମେ ସମସ୍ତଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି। ସେଠାରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଅସୁସ୍ଥ ମାନେ ହେଲେ ଏମପିଭି ୪୯ ଗ୍ରାମର ନାବାଳିକା ବିଶାଖା ଗୋଲଦାର (୧୩), ଦେବବ୍ରତ କୋଏଲ (୨୪) ଏବଂ ଏମଭି ୧୧୬ ଗ୍ରାମର ତୁସାର ମଣ୍ଡଳ (୨୨) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଗ୍ରାମବାସୀ ଓ ପଞ୍ଚାୟତ ଉଦ୍ୟମରେ ଏମପିଭି ୪୯ ଗ୍ରାମ ମୁଖ୍ୟ ଛକ ଠାରେ ଏକ ସପ୍ତାହ ତଳେ ଗୋଟିଏ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା। ଗଛ ମୂଳରେ କିଛି ମାଠିଆରେ ପାଣି ଭରିକରି ରଖାଯାଇଥିଲା।

ଗ୍ରାମବାସୀମାନେ ଜଣେ ମହିଳାଙ୍କୁ ଚୟନ କରି ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ। ପଞ୍ଚାୟତ ତରଫରୁ ମହିଳା ଜଣଙ୍କୁ ପାରିଶ୍ରମିକ ଦେବା ପାଇଁ ସ୍ଥିର ମଧ୍ୟ କରାଯାଇଥିଲା। ତେବେ ମହିଳା ଜଣଙ୍କ ପ୍ରତ୍ୟେକ ଦିନ ଭଳି ମାଟି ହାଣ୍ଡିରେ ପାଣି ରଖି ସେଠାରେ ରହିଥିବା ବେଳେ ଦିନ ୩ ଟା ସମୟରେ କୌଣସି କାମରେ ନିଜ ଘରକୁ ଚାଲି ଯାଇଥିଲେ।

ଏହି ସମୟରେ ସେଠାରେ ଲୋକମାନେ ପହଞ୍ଚି ଜଳଛତ୍ର କେନ୍ଦ୍ରରୁ ପାଣି ପିଇ ଥିଲେ। ପାଣି ପିଇବାର କିଛି ସମୟ ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇପଡିଥିଲେ। ପରେ ଗାଁ ଲୋକ ସେଠାରେ ପହଞ୍ଚି ମାଠିଆ ପାଣି ଯାଞ୍ଚ କରିବା ପରେ ସେଥିରେ କିଛି ବିଷାକ୍ତ ପଦାର୍ଥ ମିଶି ଥିବା ଜାଣିବାକୁ ପାଇଥିଲେ। ପିଇବା ପାଣିରେ ଚାଷରେ ବ୍ୟବହୃତ ହେଉଥିବା କୀଟନାଶକ ଔଷଧ ମିଶା ଯାଇଥିବା ସନ୍ଦେହ କରି ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।