Odiapua.com

ଜରାଜୀର୍ଣ୍ଣ ଆପଣ୍ଡା-କଟିଣା ରାସ୍ତା, ମରାମତି କେବେ!

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ୍ ବସନ୍ତିଆ ପଞ୍ଚାୟତ ଅନ୍ତର୍ଗତ ଆପଣ୍ଡା-କଟିଣା ଗ୍ରାମ୍ୟ ରାସ୍ତାଟି ଦୀର୍ଘ ବର୍ଷ ଧରି ଜରାଜୀର୍ଣ୍ଣ ହୋଇପଡିଥିଲେ ମଧ୍ୟ ପ୍ରଶାସନ ଓ ରାଜନେତା ମାନଙ୍କର ଦୃଷ୍ଟି ଆଢୁଆଳରେ ରହିଯାଇଛି । ଆପଣ୍ଡା ଠାରୁ କଟିଣା ପର୍ଯ୍ୟନ୍ତ ପ୍ରାୟ ୨କି.ମି. ରୁ ଅଧିକ ଦୈଘ୍ୟ ବିଶିଷ୍ଟ ରାସ୍ତା ଉପରେ ଦୈନଦିନ ଯାତାୟତ କରିବା ନିମନ୍ତେ କଟିଣା ଓ ଚଡକମରା ଗ୍ରାମର ଶହଶହ ଗ୍ରାମବାସୀ ନିର୍ଭର କରିଥାନ୍ତି । ଏହି ରାସ୍ତା ଦେଇ ପ୍ରତିଦିନ କଟିଣା ସ୍ଥିତ ବିଷ୍ଣୁ ମୋହନ ସଂସ୍କୁତ ବିଦ୍ୟାଳୟ, କଟିଣା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମେତ ନିକଟସ୍ଥ ବସନ୍ତିଆ ସ୍କୁଲ, ବନ୍ତ ଓ ହାଟଡ଼ିହୀ କଲେଜ, ଡାକ୍ତରଖାନା ଓ ଦୈନଦିନ କାର୍ଯ୍ୟ ନିମନ୍ତେ ଗ୍ରାମବାସୀ ମାନେ ଯାତାୟତ କରିଥାନ୍ତି । ଉକ୍ତ ଜରାଜୀର୍ଣ୍ଣ ରାସ୍ତାଟି ମରାମତି ଅଭାବରୁ ସାମାନ୍ୟ ବର୍ଷାରେ ଖାଲଖମାରେ ବର୍ଷାଜଳ ଭର୍ତ୍ତି ହୋଇ ଯାତାୟତର ଅସୁବିଧା ସୃଷ୍ଟି କରୁଥିବା ବେଳେ ଆବଶ୍ୟକ ବେଳେ ଆମ୍ବୁଲାନ୍ସ ଓ ଦମକଳ ଗାଡି ଗାଁ ଭିତରକୁ ଯାଇନପାରି ଆପଣ୍ଡା ଠାରେ ଅଟକି ରହୁଥିବାର ଦେଖାଯାଉଛି । ବାରମ୍ବାର ଅଭିଯୋଗ ସତ୍ୱେ ନାଁ ଶୁଣୁଛି ପ୍ରଶାସନ ନାଁ ରାଜନେତା । ତେଣୁ ଉପରୋକ୍ତ ରାସ୍ତାର ମରାମତି ନିମନ୍ତେ ଦୃଷ୍ଟି ଦେବାକୁ ଗ୍ରାମର ବିଷ୍ଣୁ ମୋହନ ପ୍ରଧାନ, ସୁକାନ୍ତ ମିଶ୍ର, ରବିନ୍ଦ୍ର ମିଶ୍ର, କାଳନ୍ଦୀ ଚନ୍ଦ୍ର ଜେନା, ଚର୍ତୁଭୂଜ ନାୟକ, ଭାଗବତ ପ୍ରସାଦ ରାଉତ, ଶରତ କୁମାର ପ୍ରଧାନଙ୍କ ସମେତ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ବିଡିଓ ବନ୍ତ ରେବେକା ବିଲୁଙ୍ଗଙ୍କୁ ପ୍ରଦାନ କରିବା ସହ ଏହାର ନକଲ ଜିଲ୍ଲାପାଳ ଭଦ୍ରକଙ୍କ ଅବଗତି ନିମନ୍ତେ ପ୍ରଦାନ କରିଛନ୍ତି ।