Odiapua.com

ଜମିହରାଙ୍କ ସହ ପ୍ରତ୍ୟକ୍ଷ ଆଲୋଚନାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜନଶୁଣାଣୀରେ ନିଷ୍ପତ୍ତି

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଣ୍ଡାରିପୋଖରୀ ବ୍ଲକର ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ ପାହିମହୁରା ଅଧିଗୃହୀତ ଜମିରେ କେନ୍ଦ୍ର ପେଟ୍ରାଲିଅମ ମନ୍ତ୍ରଣାଳୟ ପକ୍ଷରୁ ହେବାକୁ ଥିବା ସବୁଜ ଟେକ୍ସାଟାଇଲ ପାର୍କ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଭଣ୍ଡାରିପୋଖରୀ କଲେଜ ପରିସରରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅରୁଣ କୁମାର ମହାପାତ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ୱର କ୍ଷେତ୍ରୀୟ ଅଧିକାରୀ ନରୋତ୍ତମ ବେହେରା, ଇଣ୍ଡିଆନ ଅଏଲ କର୍ପୋରେସନ ପାରାଦ୍ୱୀପ ରିଫାଇନାରୀ ମାନବସମ୍ବଳ ଅଧିକାରୀ ଅରୂପ କୁମାର ଭଗବତୀ, ଜେନେରାଲ ମ୍ୟାନେଜର ଧର୍ମେଶ ଚୌଧୁରୀ, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁଙ୍କ ଦ୍ୱାରା ପରିବେଶ ମଞ୍ଜୁର ସମ୍ପର୍କୀୟ ପୂର୍ବାହ୍ନରେ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା । ଏହି ଜନଶୁଣାଣୀ ଶିବିରରେ ବିଜେପି ନେତା ବଦ୍ରୀନାରାୟଣ ଧଳ, ସ୍ଥାନୀୟ ସରପଞ୍ଚ କମଳ କୁମାର ନନ୍ଦ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଜଳମଣ୍ଡୁଆ ସରପଞ୍ଚ ଜଗବନ୍ଧୁ ଦାସ, ନିର୍ଗୁଣ୍ଡି ସରପଞ୍ଚ ନମିତା ପାତ୍ର, ସରସଦା ସରପଞ୍ଚ ମଣିକାଞ୍ଚନ ସେନାପତି ଜନଶୁଣାଣୀରେ ମତାମତ ଦେଇ ପ୍ରକଳ୍ପକୁ ସ୍ୱାଗତ କରିବା ସହ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଜମିହରା ଚାଷୀ ନିରଞ୍ଜନ ବେହେରା, ପିତାମ୍ବର ମହାପାତ୍ର, ସୁଧାକର ମହାନ୍ତି, କେଶବ ଚନ୍ଦ୍ର ନାୟକ, ବୈଦ୍ୟନାଥ ଦାସ, ରବିନ୍ଦ୍ର କୁମାର ମହାନ୍ତି ପ୍ରକଳ୍ପ ସପକ୍ଷରେ ମତ ରଖିଥିଲେ । ଅନ୍ୟପକ୍ଷରେ ଚାଷୀ ମାନସ ପାତ୍ର, ପ୍ରକାଶ ପାତ୍ର, ଚିତ୍ତରଞ୍ଜନ କବି ପ୍ରମୁଖ କ୍ଷତିଗ୍ରସ୍ତ ଚାଷୀଙ୍କ ଦାବି ପୂରଣ ସହ ଶିଳ୍ପ ପ୍ରତିଷ୍ଠା ପାଇଁ ମତ ରଖିଥିଲେ । ଚାଷୀ ଅମୂଲ୍ୟ ମହାକୁଡ ପ୍ରକଳ୍ପ ବିପକ୍ଷରେ ମତ ଦେଇଥିଲେ । ତେବେ ଜମିହରା ଚାଷୀଙ୍କ ସହ ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଆଲୋଚନା କରାଯାଇ ପ୍ରକଳ୍ପ ଆରମ୍ଭ କରାଯିବ ନିଷ୍ପତ୍ତି ନିଆଯାଇଥିଲା । ଏହା ସହ ଜମିହରା ଚାଷୀଙ୍କ ପରିବାରକୁ ପ୍ରସ୍ତାବିତ ପ୍ରକଳ୍ପରେ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପାଇଁ ଜନଶୁଣାଣୀରେ ପ୍ରତିଶ୍ରୁତି ଦିଆଯାଇଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ଇଡକୋ ପକ୍ଷରୁ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରଣାଳୟକୁ ୫୯ ଏକର ଜମି ହସ୍ତାନ୍ତର କରାଯାଇଛି । ସଂପୃକ୍ତ ଜମିରେ ‘ଗ୍ରୀନଫିଲ୍ଡ ଟେକ୍ସଟାଇଲ ପାର୍କ’ ୧୯୭୧ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପରେ ଦୁଇହଜାର ପ୍ରତ୍ୟକ୍ଷ ନିଯୁକ୍ତି ସହ ପ୍ରାୟ ଦଶ ହଜାର ପରୋକ୍ଷ ନିଯୁକ୍ତି ମିଳିବ ବୋଲି ସୂଚନା ଦିଆଯାଇଛି ।