Odiapua.com

ଜମିରେ କାମ କରୁଥିବା ବେଳେ ବଜ୍ରପାତରେ ୩ ମହିଳା ମୃତ ୩ ଆହତ

ମାଲକାନଗିରି, ୨୪/୮ (ଓଡ଼ିଆ ପୁଅ) ଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ୩ଜଣ ମହିଳା ଙ୍କର ମୃତ୍ୟୁ ଘତିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ବ୍ଲକସ୍ଥ ପାଣ୍ଡ୍ରିପାଣି ପଞ୍ଚାୟତରେ।

ଆଜି ସକାଳେ ବାଉତ୍ସଗୁଡା, ବାପନପାଲି, ରାଉଲିଗୁଡା ଗ୍ରାମର ୬ଜଣ ମହିଳା ଜମିରେ କାମ କରୁଥିଲେ। ହଠାତ ବର୍ଷା ସହିତ ଘଡ଼ ଘଡ଼ି ମାରି ବଜ୍ରପାତ ହୋଇଥିଲା। ଏହି ବଜ୍ରପାତରେ ଦଇମତି ଖିଲ (୨୬), ଲକ୍ଷ୍ମୀ କେପୋ (୨୮) ଙ୍କର ମୃତ୍ୟୁ ଘଟି ଥିବା ବେଳେ ଆହତମାନେ ହେଲେ ଜୁସିଲା ଖିଲ, ଗୀତା ପାଙ୍ଗୀ, ଅଚିନ୍ତା ଖିଲ।ଏମାନେ ସମସ୍ତେ ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ଅଞ୍ଚଳର ରାଉଳିଗୁଡ଼ା ଓ ବାଉଁଶଗୁଡ଼ା ଗ୍ରାମର। ନିକଟସ୍ଥ ରାଉଳିଗୁଡା ଗ୍ରାମର ଅନ୍ୟ ଜଣେ ମହିଳାଙ୍କର ମଧ୍ୟ ବଜ୍ର ପାତରେ ମୃତ୍ୟୁ ଘଟିଥିବାର ଜଣାପଡିଛି। ଗୁରୁତର ମାନଙ୍କୁ ପ୍ରଥମେ ପାଣ୍ଡ୍ରିପାଣି ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଆଜି ମଧ୍ୟାହ୍ନ ସମୟରେ ସମସ୍ତେ ଜମିରେ ଚାଷ କାମ କରୁଥିବା ବେଳେ ହଠାତ ଆକାଶରେ କଳାହାଣ୍ଡିଆ ମେଘ ଛାଇ ଯାଇଥିଲା। ବିପତ୍ତି ପଡ଼ିବା ନେଇ ଆଶଙ୍କା କରୁଥିବା ବେଳେ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା। ଏଥିରେ ସେମାନେ ଚାଷ ଜମିରେ ଚେତା ହରାଇ ପଡ଼ି ଯାଇଥିଲେ। ସ୍ଥାନୀୟ କିଛି ଲୋକ ଏହା ଦେଖିବା ପରେ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ୱାରା ଡାକ୍ତରଖାନା ଆଣିଥିଲେ। ହେଲେ ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅନ୍ୟ ତିନି ଗୁରୁତରଙ୍କୁ ଚିକିତ୍ସା ଜାରି ରହିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି।

ଏହି ମହିଳାମାନେ ଗରିବ ଆଦିବାସୀ ହୋଇ ଥିବାରୁ ସେମାନଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।