Odiapua.com

ଜମିଜମାକୁ କେନ୍ଦ୍ର କରି ସଂଘର୍ଷ : ୬ ଆହତ, ୨ଗୁରୁତର

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ବୋଡ଼କ ପଞ୍ଚାୟତ ଅଧୀନ ନୋନ୍ଦର ଗ୍ରାମରେ ଜମିଜମାକୁ କେନ୍ଦ୍ର କରି ୨ପରିବାର ମଧ୍ୟରେ ସଂଘର୍ଷ ଉପୁଜିଛି । ଫଳରେ ଉଭୟପକ୍ଷରୁ ୬ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ତିହିଡ଼ି ଓ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ନୋନ୍ଦର ଗ୍ରାମର ବର୍ଷାରାଣୀ ସେନାପତିଙ୍କ ଅଭିଯୋଗରୁ ଜଣାପଡ଼ିଛି ଯେ, ସୋମବାର ପୂର୍ବାହ୍ନରେ ଅପରପକ୍ଷମାନେ ତାଙ୍କ ଜାଗାରେ ଥିବା ବାଡ଼ ଓ ପିଲର ଉପାଡ଼ି ଦେଇଥିଲେ । ଯେଉଁଥିପାଇଁ ଉଭୟପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା । ଏ ସମ୍ପର୍କରେ ବର୍ଷାରାଣୀ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ପୁଲିସ ମଙ୍ଗଳବାର ଦିନ ଉଭୟପକ୍ଷଙ୍କୁ ଥାନାକୁ ଡାକିଥିଲେ । ମଙ୍ଗଳବାର ସକାଳେ ବର୍ଷାରାଣୀ ଥାନାକୁ ଆସୁଥିବା ବେଳେ ହଠାତ୍ ଅପରପକ୍ଷମାନେ ତାଙ୍କୁ ଗାଳିଗୁଲଜ କରି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବର୍ଷାରାଣୀଙ୍କ ସମେତ ତୁଳସୀ ତ୍ରିପାଠୀ, ସୁରେନ୍ଦ୍ର ତ୍ରିପାଠୀ, ନରେନ୍ଦ୍ର ତ୍ରିପାଠୀ, ରଶ୍ମିତା ପଣ୍ଡା ପ୍ରମୁଖ ଆହତ ହୋଇଥିବା ବେଳେ ଅପରପକ୍ଷରୁ ଉମାକାନ୍ତ ତ୍ରିପାଠୀ ଆହତ ହୋଇଥିବା ଜଣାପଡ଼ିଛି । ଅପରପକ୍ଷର ସତ୍ୟଭାମା ତ୍ରିପାଠୀଙ୍କ ଅଭିଯୋଗରୁ ଜଣାପଡ଼ିଛି ଯେ ପ୍ରତିପକ୍ଷମାନେ ତାଙ୍କୁ ଓ ତାଙ୍କ ପରିବାରକୁ ଆକ୍ରମଣ କରିଥିଲେ । ଏ ସମ୍ପର୍କରେ ଥାନାରେ ଦୁଇଟି ପୃଥ ଅଭିଯୋଗ ହୋଇଥିବା ବେଳେ ପୁଲିସ ଉଭୟ ପକ୍ଷରୁ ତିନିଜଣଙ୍କୁ ଅଟକ ରଖି ପଚାରା ଉଚୁରା ଚଳାଇ ତଦନ୍ତ କରୁଛନ୍ତି ।