Odiapua.com

ଜବାବ ମାଗୁଛି ଓଡ଼ିଶା: ଧିକାର ତୁମକୁ ମହିଳା ମୋର୍ଚ୍ଚା!

ଭୁବନେଶ୍ୱର: ଓଡ଼ିଶା ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ଯେଉଁ ସବୁ କାର୍ଯ୍ୟକ୍ରମ କରି ଆସୁଥିଲା, ସେଥିରେ “ଜବାବ ମାଗୁଛି ଓଡ଼ିଶା” ନାମରେ ନବୀନ ପଟ୍ଟନାୟକଙ୍କୁ ଅଧିକ ଘେରୁଥିଲା।ସାମ୍ବାଦିକ ସମ୍ମିଳନୀରେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶ୍ନ କରୁଥିଲା।ଆଉ ଏଥିରେ ବିଜେପି ମହିଳା ମୋର୍ଚ୍ଚା ମଧ୍ୟ ସାମିଲ ଥିଲା।ଓଡ଼ିଶା ବିଜେପିରେ ମହିଳା ମୋର୍ଚ୍ଚା ସବୁଠାରୁ ସକ୍ରିୟ ଥିଲା।ରାଜ୍ୟ ସରକାର କିମ୍ବା ନବୀନ ପଟ୍ଟନାୟକଙ୍କୁ ଘେରିବାରେ ସବୁଠାରୁ ଆଗରେ ଥିଲା ବିଜେପି ମହିଳା ମୋର୍ଚ୍ଚା।ବିଶେଷତଃ ନାରୀ ସୁରକ୍ଷା ଦାବିରେ ତଥା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଆଦି ଘଟଣା ବିରୋଧରେ ବିଜେପି ମହିଳା ମୋର୍ଚ୍ଚା ନାରୀ ସୁରକ୍ଷା ଯାତ୍ରା, କୋକେଇ ଯାତ୍ରା, କ୍ୟାଣ୍ଡେଲ ଯାତ୍ରା, ଦୀପ ଦାନ, କୁଶପୁତ୍ତଳିକା ଦାହ, ନବୀନ ନିବାସ ଘେରାଉ, ଲାଲ ଚୁଡ଼ି ଅଭିଯାନ ଆଦି ଅନେକ କାର୍ଯ୍ୟକ୍ରମ କରିଥିଲା।କିଛି ମାତ୍ରାରେ ନବୀନ ସରକାରଙ୍କୁ ଅକଳରେ ପକାଇଥିଲା ମହିଳା ମୋର୍ଚ୍ଚା।ଟିଭି ବିତର୍କରେ ଭାଗ ନେଇ ବିଜେଡି ନେତ୍ରୀଙ୍କ ସହ ତର୍କ କରୁଥିଲେ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ।କିନ୍ତୁ, ଏହି ସମୟରେ ନାରୀ ସୁରକ୍ଷା ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଟାର୍ଗେଟ କରିବା ସହ ମୋଦୀ ସରକାରଙ୍କୁ ମଧ୍ୟ ଛାଡ଼ି ନଥିଲେ କଂଗ୍ରେସ ନେତ୍ରୀ।ଓଡ଼ିଶାରେ ଘଟିଥିବା ଦୁଷ୍କର୍ମ ଘଟଣାକୁ ନେଇ ତର୍କ, ଆନ୍ଦୋଳନ ଚାଲିଥିବା ସମୟରେ ବିଜେପି ଶାସିତ ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ କଥା ଉଠାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଥିଲେ କଂଗ୍ରେସ ନେତ୍ରୀ।କେହିକେହି କଂଗ୍ରେସ ନେତ୍ରୀ ମୋଦୀଙ୍କ ପୋଷ୍ଟରକୁ ଜୋତାରେ ପିଟୁଥିଲେ, ମୋଦୀଙ୍କ ବିରୋଧରେ ଅତ୍ୟନ୍ତ କଟୁ କଥା କହୁଥିଲେ।ଏପରିକି ସଂଘ (ଆରଏସଏସ)କୁ ଶକୁନି ମାମା, ବିଜେପିକୁ ଭଣଜା କହୁଥିଲେ କଂଗ୍ରେସ ନେତ୍ରୀ।

କାଲିର ସେହି କଂଗ୍ରେସ ନେତ୍ରୀ, ଆଜି ସେ ବିଜେପି ନେତ୍ରୀ।ମୋଦୀଙ୍କ ପୋଷ୍ଟର ଉପରେ ଜୋତା ମାଡ଼ କରିଥିବା ନେତ୍ରୀଙ୍କୁ ଫୁଲତୋଡ଼ା ଦେଇ ବିଜେପିରେ ଗ୍ରହଣ କରିସାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଅପେକ୍ଷା ବି ନାହିଁ, ଆସୁ ଆସୁ ମୁଖପାତ୍ର!ବିଜେପି ରାଜ୍ୟ ସମ୍ପାଦିକା ଡଃ: ଲେଖାଶ୍ରୀ ସାମନ୍ତସିଂହାର ଏବେ ସଂପୃକ୍ତ ନେତ୍ରୀଙ୍କୁ ଧରି ସ୍ମିତାରାଣୀଙ୍କ ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଅଛନ୍ତି ପ୍ରଭାତୀ ପରିଡ଼ା।ଏହା ସହ ରାଜ୍ୟ ମହିଳା ମୋର୍ଚ୍ଚାରେ ସ୍ମୃତି ପଟ୍ଟନାୟକ, ବବିତା ପାତ୍ର, କାନନବାଳା ପଟ୍ଟନାୟକ, ଡା: ଐଶ୍ୱର୍ଯ୍ୟା ବିଶ୍ୱାଳ, ପିଙ୍କି ପ୍ରଧାନ, ପ୍ରତିଭା ଶତପଥି, ରଶ୍ମିରେଖା ଦାସ, କସ୍ତୁରୀ ମିଶ୍ରଙ୍କ ସମେତ ସୁରମା ପାଢ଼ୀ, ରାଧାରାଣୀ ପଣ୍ଡା, ଶୋଭନା ମହାନ୍ତି, ସୁକେଶୀ ଓରାମ, ଉର୍ମିଳା ମହାପାତ୍ର, ସବିତା ନନ୍ଦ, ଅନିତା ଶୁଭଦର୍ଶିନୀ ଆଦିଙ୍କ ସମେତ ଅନେକ ଦକ୍ଷ ନେତ୍ରୀ ବିଜେପିରେ ଅଛନ୍ତି।ଏମାନେ ସବୁ ଓଡ଼ିଶାରେ ନାରୀ ସୁରକ୍ଷା ନେଇ ଦୀର୍ଘ ଦିନ ହେଲା ଆନ୍ଦୋଳନ କରି ଆସୁଛନ୍ତି।ଏବେ ମଧ୍ୟ ସ୍ମିତାରାଣୀଙ୍କ ଘଟଣାକୁ ନେଇ ତୀବ୍ର ଆନ୍ଦୋଳନ କରିଥିଲା ମହିଳା ମୋର୍ଚ୍ଚା।ତେବେ, ଏମାନଙ୍କ ମଧ୍ୟରୁ କାହାକୁ ସାଙ୍ଗରେ ନ’ନେଇ, କାଲି ମୋଦୀଙ୍କୁ ଗାଳି କରୁଥିବା, ମୋଦୀଙ୍କ ପୋଷ୍ଟରକୁ ଜୋତାରେ ପିଟୁଥିବା, ଆରଏସଏସକୁ ଶକୁନି ମାମା କହୁଥିବା ନେତ୍ରୀ ବିଜେପିକୁ ଆସୁଆସୁ ତାଙ୍କୁ ପ୍ରବକ୍ତା ଭାବରେ ସଜାଇ ସାମ୍ବାଦିକ ସମ୍ମିଳନୀ କରିବା କେତେଦୂର ଠିକ୍?ଏହା ସାଧାରଣ ଲୋକଙ୍କ ଭିତରେ ଓଡ଼ିଶା ବିଜେପି ପ୍ରତି ଏକ ଖରାପ ଧାରଣା ସୃଷ୍ଟି କରିବ ନାହିଁ କି?ଓଡ଼ିଶା ବିଜେପିର ମିଡିଆ ସେଲ ମୁଖିଆ ନିଜେ ସବୁବେଳେ ମିଡିଆରେ ଛାଇ ରହୁଥିବା ସହ ନିଜ ସଂପର୍କ ଅନୁଯାୟୀ ଯାହାକୁ ଚାହୁଁଛନ୍ତି ସୁଯୋଗ ଦେଉଛନ୍ତି।ଏହାକୁ ନେଇ ଦଳ ଭିତରେ କିଛି ଅସନ୍ତୋଷ ରହିଥିବା କୁହାଯାଉ ଥିଲେ ମଧ୍ୟ ଦଳୀୟ ଶୃଙ୍ଖଳା ନାମରେ ସେମାନଙ୍କର ପ୍ରତିବାଦର ସ୍ୱର ଦବି ଯାଉଛି।କିନ୍ତୁ, ଏପରି ସାମ୍ବାଦିକ ସମ୍ମିଳନୀ ଦେଖି, ହୁଏତ ବିଜେପି ଏବଂ ମୋଦୀଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଏବଂ ସମର୍ଥନ ରଖୁଥିବା ସାଧାରଣ ଲୋକଙ୍କ ମନରେ ଆସୁଥିବ, ଜବାବ ମାଗୁଛି ଓଡ଼ିଶା, ଆଉ ଧିକାର ତୁମକୁ ମହିଳା ମୋର୍ଚ୍ଚା!/-ଦେବଦତ୍ତ ରଥ