ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର କେତେକ ନ୍ୟସ୍ତ ସ୍ୱାର୍ଥ ସଂପନ୍ନ ରାଜନୈତିକ ବ୍ୟକ୍ତି ବିଶେଷ, ପ୍ରଶାସନିକ ଅଧିକାରୀ ଏବଂ ପ୍ରଭାବଶାଳୀ ଜବରଦଖଲକାରୀଙ୍କ ହୀନ ଉଦ୍ୟମ ଫଳରେ ଭଦ୍ରକ ସହରରୁ ବର୍ଷା ଓ ବନ୍ୟାଜଳରୁ ଉଦ୍ଧାର କରିବା ଲକ୍ଷ୍ୟରେ ବ୍ରିଟିଶ୍ ଶାସନ ସମୟରୁ ନିର୍ମିତ ହୋଇଥିବା ସ୍ୱେରେଜ ବ୍ୟବସ୍ଥାର ବିପର୍ଯ୍ୟସ୍ତ ପୌରବାସୀଙ୍କ ଆତଙ୍କର କାରଣ ହୋଇଚାଲିଛି । ଗତ ୧୯୯୯ମସିହା ମହାବାତ୍ୟା ଓ ବନ୍ୟାର ଘନଘଟା ଏବେ ଲୋକଙ୍କ ମନରୁ ଲିଭିନଥିବାବେଳେ ଏଥିରୁ ଉଦ୍ଧାର ପାଇବା ପାଇଁ ଦୀର୍ଘ ୨୫ବର୍ଷ ତଳୁ ପ୍ରସ୍ତୁତ ହୋଇଥିବା ‘ମାଷ୍ଟର ପ୍ଲାନ୍’ର ସଦୂପଯୋଗ ଦିଗରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଏବେ ଦୁଇ ତିନି ଦିନର ସାମାନ୍ୟ ବର୍ଷାରେ ସେହି କାଳରାତ୍ରୀର ଘଟଣାକୁ ଦୋହରାଉଛି । ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭଦ୍ରକ ସହର ଏକ ଖାଲୁଅ ଅଂଚଳ ଅଟେ । ସାଳନ୍ଦୀ ନଦୀ ଏହାକୁ ଭାଗଭାଗ କରି ରଖିଛି । ଯାହା ଜଣାଯାଏ, ସାଳନ୍ଦୀ ନଦୀର ବାହାରିଥିବା ନାଳକୂଳ ନାଳ ନୂଆ ବସ୍ଷ୍ଟାଣ୍ଡ ମଧ୍ୟଭଗ ଦେଇ ଛ’ପୋଲିଆ ନାଳରେ ମିଶିଥିଲେ ମଧ୍ୟ ଏବେ ୧୬ନଂ ଜାତୀୟ ରାଜପଥର ପୋଲ ମୁହଁରେ ଜନୈକ ପ୍ରଭାବଶାଳୀ ବ୍ୟକ୍ତି ନିଜର ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ପାଚେରୀ ଘେରାଇ ତାହା ନିଜ ଦଖଲକୁ ନେଇଛନ୍ତି । ଉକ୍ତ ଜଳଜମି କିଭଳି ତହସିଲରେ ତାଙ୍କ ଅଧୀନକୁ ଗଲା ଓ ଟାଉନ୍ ପ୍ଲାନିଂ କର୍ତ୍ତୃପକ୍ଷ କିଭଳି ତାହାକୁ ମଂଜୁରି ଦେଇଛନ୍ତି, ତାହା ତଦନ୍ତ ସାପେକ୍ଷ ।
ଉପରୋକ୍ତ କାରଣମାନ ଯୋଗୁଁ ଭଦ୍ରକ ସହରରେ ୨/୩ଦିନର ଲଗାଣ ବର୍ଷାରେ ଜିଲାର ମୁଖ୍ୟସ୍ଥଳୀ ରୂପେ ପରିଚିତ କଚେରୀବଜାର, ବଙ୍କସାହି, ଅପର୍ତ୍ତିବିନ୍ଧା, ଜଗନ୍ନାଥପୁର, ନରିପୁର, ନୂଆବଜାର, ଟାଉନଥାନା, ମୁଖ୍ୟଚିକିତ୍ସାଳୟ, ଗାନ୍ଧୀପଡ଼ିଆ, ଭଦ୍ରକ ସ୍ୱୟଂଶାସିତ କଲେଜ ସରକାରୀ ଉଚ୍ଚବାଳିକା ବିଦ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ କୋର୍ଟ. ବ୍ଲକ୍, ପୌରକାର୍ଯ୍ୟାଳୟ, ଏସ୍ପିଙ୍କ ଅଫିସ୍, ଏବଂ ସମସ୍ତ ମୁଖ୍ୟ ବ୍ୟବସାୟ ପେଣ୍ଠସ୍ଥଳୀ ଜଳ ଘେରରେ ରହିଯାଉଛି । ଉପରୋକ୍ତ ମନୁଷ୍ୟକୃତ ଦୁର୍ବିପାକରୁ ମୁକ୍ତିପାଇଁ ଅତୀତରୁ ଏପର୍ଯ୍ୟନ୍ତ ବହୁ ବ୍ୟକ୍ତିବିଶେଷ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ତେବେ ବର୍ତ୍ତମାନର ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଭଦ୍ରକ ସହରକୁ ଏକ ସ୍ମାର୍ଟ ସିଟିର ପରିକଳ୍ପନା ଦିଗରେ ବହୁ ବିକାଶ ମୂଳକ କାର୍ଯ୍ୟ କରିଆସୁଥିବାବେଳେ ୧୬ନଂ ଜାତୀୟ ରାଜପଥ ଡାହାଣୀଗଡିଆ ପୋଲର ପୂର୍ବ ପାଶ୍ୱର୍ରେ ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତି ଯେଉଁଭଳି ଭାବେ ନିଜର ପେଟ୍ରୋଲ ପମ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ବନ୍ଦ କରାନଗଲେ ଏବେ ୟାସ୍ ବାତ୍ୟା ଜନିତ ବର୍ଷାରେ ମୋଟେଲ ଛକରୁ ଚରମ୍ପା ପର୍ଯ୍ୟନ୍ତ ସମଗ୍ର ଅଂଚଳ ଯେଭଳି ଜଳାର୍ଣ୍ଣବ ହୋଇପଡିଲା, ତାହାର ପୁନରାବୃତ୍ତି ଘଟି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ବିଶେଷକରି ବର୍ତ୍ତମାନର ୧୬ନଂ ଜାତୀୟ ରାଜପଥକୁ ୬ ଲେନ୍ କରିବା ପାଇଁ ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଛି । ଏପରିସ୍ଥଳେ ଡାହାଣୀଗଡିଆ ନିକଟରେ ପୂର୍ବରୁ ଜାତୀୟ ରାଜପଥ ଉପରେ ପୌରାଞ୍ଚଳର ଏକ ବିଶାଳ ଅଂଚଳର ଜଳ ନିଷ୍କାସନ ପାଇଁ ଦୁଇଟି ପୋଲ ଥିବାବେଳେ ଏବେ ସେଠାରେ ରାଜପଥ ପ୍ରଶସ୍ତିକରଣ ପ୍ରକଳ୍ପରେ ଆଉ ୨ଟି ପୋଲ ନିର୍ମାଣ ଚାଲିଛି । ଏହି ପୋଲ ଦେଇ ଭଦ୍ରକ ପୌରାଞ୍ଚଳ ସମେତ ବହୁ ପଂଚାୟତର ଜଳରାଶି ଛପୁଲିଆ ନିକଟରେ ପହଞ୍ôଚ ସାଳନ୍ଦୀ ଓ ଅନ୍ୟ କେତେକ ନଦୀକୁ ପ୍ରବାହିତ ହୋଇଥାଏ ।
ମାତ୍ର ଏବେ ଉକ୍ତ ଜଳ ନିଷ୍କାସନ ପଥ ସମ୍ମୁଖରେ ଉକ୍ତ ବ୍ୟକ୍ତିଙ୍କର ପେଟ୍ରୋଲ ପମ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ୟ ବେଆଇନ୍ କିମ୍ବା ଅନୁମତି ପରେ ଚାଲିଛି, ତାହା ସ୍ପଷ୍ଟ ହୋଇନାହିଁ । ଯଦିବି ଅନୁମତି ମିଳିଥାଏ, ତେବେ ଉକ୍ତ ନିର୍ମାଣ ପାଇଁ ଟାଉନ୍ ପ୍ଲାନିଂ ବିଭାଗ କିଭଳି ମଂଜୁର ଦେଇଛି, ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । କାରଣ ଏହି ନିର୍ମାଣ ଯୋଗୁଁ ବର୍ଷାଜଳ ନିଷ୍କାସନରେ ପ୍ରତିବନ୍ଧକ ସୃଷ୍ଟି ହୋଇ ଏକ ବିଶାଳ ଅଂଚଳ ୟାସ୍ ଜନିତ ବନ୍ୟାରେ ବୁଡିଗଲା । ଗତ ୧୯୯୯ ମହାବାତ୍ୟା ସମୟରେ ସମଗ୍ର ପୌରାଞ୍ଚଳ ଉବୁଟୁବୁ ହେଉଥିବାବେଳେ ଏହି ପଥ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା । ଏଣୁ ଜିଲା ପ୍ରଶାସନର ରାଜସ୍ୱ ବିଭାଗର ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ନେତୃମଣ୍ଡଳୀ ପର୍ଯ୍ୟନ୍ତ ଏ ଦିଗରେ ସମସ୍ତେ ଚୁପ୍ ହୋଇ ବସିବା ନିଶ୍ଚିତ ଭାବେ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ପ୍ରକାର ପ୍ରୋତ୍ସାହନ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏଣୁ ଏବେ ଏ ଦିଗରେ ଜିଲା ପ୍ରଶାସନ ଓ ଜନନେତାଙ୍କ ନିଦ ନଭାଙ୍ଗିଲେ ଭଦ୍ରକ ସହରକୁ ବିଧାୟକ ସ୍ମାର୍ଟ ସିଟି ଗଢିବାର ଯେଉଁ ପରିକଳ୍ପନା କରୁଛନ୍ତି, ତାହା କେବଳ ଦିବାସ୍ୱପ୍ନ ହୋଇ ରହିଯିବ । ଏଣୁ ଭଦ୍ରକ ଭଳି ଏକ ପୁରାତନ ସହର ଓ ସହରବାସୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ସଂପୃକ୍ତ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ, ପୌରପାଳିକା, ରାଜନୈତିକ ବ୍ୟକ୍ତିବିଶେଷ, ଜିଲାପ୍ରଶାସନ ଏବଂ ସର୍ବୋପରି ଜବର ଦଖଲକାରୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗୀ ମନୋଭାବ ନେଇ ପୋତି ହୋଇପଡ଼ିଥିବା ନାଳ, ନୟନଜୋରୀ, ସ୍ଲୁଇସ୍ ଗେଟ୍ ଓ ଦୁର୍ବଳ ନଦୀବନ୍ଧର ପୁନଃରୁଦ୍ଧାର ଦିଗରେ ସଚେତନ ନହେଲେ ଆଗାମୀ ଦିନରେ ଯେଉଁ ମନୁଷ୍ୟକୃତ ବିପର୍ଯ୍ୟୟ ସୃଷ୍ଟି ହେବ, ସେଥିପାଇଁ ଭବିଷ୍ୟତ ବଂଶଧରମାନେ ସେମାନଙ୍କୁ କ୍ଷମା ଦେବେ ନାହିଁ ।
ସେମାନେ ଯାହା କୁହନ୍ତି …
ଗଦାଧର ବଳ (ବରିଷ୍ଠ ଆଇନ୍ଜୀବୀ) – ସହରାଞ୍ଚଳରେ ନିଷ୍କାସନ ନାଳକୁ ଅବରୋଧ କରି ନିଜ ଜବରଦଖଲକୁ ନେବା କେତେକ ପ୍ରଭାବଶାଳୀ ସହରବାସୀଙ୍କ ମାନିଆ ହୋଇଯାଇଛି । ସମସ୍ତ ଆଇନ୍ କାନୁନ୍କୁ ଦଳି ଚକଟି ନିଜ ସ୍ୱାର୍ଥ ପାଇଁ ସାମୂହିକ ସ୍ୱାର୍ଥକୁ ସେମାନେ ଭୁଲି ଯାଉଛନ୍ତି । ତାହାର ପରିଣାମ ସାମାନ୍ୟ ବର୍ଷାରେ ଭଦ୍ରକ ସହର କୃତ୍ରିମ ବନ୍ୟାରେ ଉବୁଟୁବୁ ହେବା । ଏଥିରେ ପ୍ରଶାସନିକ ଉଦାସୀନତା ବା ପରୋକ୍ଷରେ ସହାୟତା ପ୍ରମୁଖ କାରଣ । ଭଦ୍ରକ ପରି ବିନା ପ୍ଲାନିଂ ସହର ସବୁ ସାମାନ୍ୟ ବର୍ଷାରେ ସମ୍ମୁଖୀନ ହେଉଛି । କେବଳ ଅବବାହିକା ନାଳ ନୁହଁ, ବରଂ ଭଦ୍ରକର ଜୀବନରେଖା ସାଳନ୍ଦୀ ନଦୀ ବି ସେମିତି ଅବରୋଧର ସମ୍ମୁଖୀନ । ୧୯୯୯ ମସିହାର ସମସ୍ତ ବନ୍ୟାଜଳ ଛପୁଲିଆ ଦେଇ ପାସ୍ କରିଥିଲା । କିନ୍ତୁ ପ୍ରଶାସନ ସେ କଥାକୁ ଭୁଲିଯାଇଛି ବୋଧେ । ସେହି ଛପୁଲିଆ ନାଳ ଅବରୋଧ ହେଲେ ଭଦ୍ରକ ଜିଲାର ଉପର ମୁଣ୍ଡ ନିଶ୍ଚିତ ଅଦିନିଆ ବନ୍ୟାରେ ପ୍ରଭାବିତ ହେବ । ଏଥିରେ ଦ୍ୱିମତ ହେବାର ନାହିଁ । ନୂଆବସ୍ଷ୍ଟାଣ୍ଡ ନିକଟ ଡାହାଣୀଗଡିଆ ପୋଲ ମୁହଁରେ ଯେଉଁ ବ୍ୟବସାୟୀ ଜଣକ ଜବରଦଖଲ ଆରମ୍ଭ କରିଛନ୍ତି, ତାକୁ ଯଦି ପ୍ରଶାସନ ଭୟ କରୁଥାଏ, ତେବେ ଏହାକୁ ଦୁର୍ଭାଗ୍ୟ କୁହାଯିବ ।
ନବକ୍ରିଷ୍ଣ ଜେନା (ତହସିଲଦାର, ଭଦ୍ରକ) – ଏହି ଅବରୋଧ ସଂପର୍କରେ ମୋ ପାଖରେ ଅଭିଯୋଗ ପହଞ୍ôଚନାହିଁ । ତେବେ ଏବେ ମୁଁ ଏହା ଜାଣିବା ପରେ ନିଶ୍ଚିତ ଭାବେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । ମାତ୍ର ଭଦ୍ରକ ଭଳି ଏକ ସହରକୁ ସରସ, ସୁନ୍ଦର କରିବାକୁ ହେଲେ ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ଏହାର ମୁଖ୍ୟ ସମସ୍ୟା ଜଳ ନିଷ୍କାସନ ଦିଗରେ ସହଯୋଗ କଲେ ନିଶ୍ଚିତ ଭାବେ ସାମାନ୍ୟ ବର୍ଷାରେ ଜଳାର୍ଣ୍ଣବ ହେଉଥିବା ମନୁଷ୍ୟାକୃତ ବନ୍ୟାର ଅନ୍ତଃ ଘଟିବ ।
ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ (ବିଶିଷ୍ଟ ପ୍ରବଚକ ଓ ବୁଦ୍ଧିଜୀବୀ) – ଭଦ୍ରକ ଭଳି ଏକ ଐତିହ୍ୟପୂର୍ଣ୍ଣ ସହରକୁ ମନୁଷ୍ୟକୃତ ବନ୍ୟା କବଳରୁ ରକ୍ଷା କରିବାକୁ ହେଲେ ପ୍ରଥମେ ଜନସାଧାରଣଙ୍କ ସଚେତନତାର ଆବଶ୍ୟକତା ରହିଛି । ଦ୍ୱିତୀୟରେ ବ୍ରିଟ୍ରିଶ ସମୟରୁ ରହିଥିବା ସ୍ୱରେଜ ବ୍ୟବସ୍ଥାର ପୁନରୁଦ୍ଧାର ସହ ଏବେ ଡାହାଣୀଗଡିଆ ଓ ଛପୁଲିଆ ପୋଲ ନିକଟରେ କେତେକ ଅସାଧୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଜବରଦଖଲକୁ ଉଚ୍ଛେଦ କରାନଗଲେ ଆଗାମୀ ଦିନରେ ଗବସାହି ଠାରୁ ଚରମ୍ପା ପର୍ଯ୍ୟନ୍ତ ସମସ୍ତ ଅଂଚଳ ନିଶ୍ଚିତ ଭାବେ ଜଳାର୍ଣ୍ଣବ ହେବ । ବିଶେଷକରି ଏ ଦିଗରେ ଟାଉନ୍ ପ୍ଲାନିଂ କର୍ତ୍ତୃପକ୍ଷଙ୍କ ଢିଲାପଣିଆ ଦାୟୀ । ଏତଦ୍ବ୍ୟତୀତ ଜିଲା ପ୍ରଶାସନ ଓ ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବ ବି ଏଭଳି ଅବରୋଧ ମୂଳରେ ରହିଛି ।