ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜବରଦଖଲ ଉଚ୍ଛେଦକୁ ପ୍ରଶାସନକୁ ହଟହଟା ହେବାକୁ ପଡିଛି । ଉତେଜନା ଦେଖାଦେବାରୁ ଜବରଦଖଲ ଉଚ୍ଛେଦ କରିନପାରି ଫେରିଛି ପ୍ରଶାସନ । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ତହସିଲ ଅଧିନ ଆର୍ତୁଂ ପଂଚାୟତର ବାରାପୁର ବଜାରର ଜବରଦଖଲକାରୀଙ୍କ ଦୋକାନ ଘରକୁ ଉଚ୍ଛେଦ କରାଯାଇ ଆରଏମସି ପକ୍ଷରୁ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯାଇ ଆବଂଟନ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ଦୋକାନୀମାନଙ୍କୁ ନୋଟିସ ଜାରୀ କରାଯାଇଥିଲା । ଏହି ସମୟରେ ଅର୍ଦ୍ଧାଧିକ ଦୋକାନୀ ମାନ୍ୟବର ଅଦାଲତରେ ଆଶ୍ରୟ ନେଇ ସ୍ଥାଗିତାଦେଶ ଆଣିଥିଲେ । ଫଳରେ ଅଧାରୁ କମ ଦୋକାନୀଙ୍କ ଘରକୁ ଭାଙ୍ଗି ଦିଆଯାଇଥିଲା । ମାତ୍ର ଆରଏମସି ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଯାହାକୁ ନେଇ ଜନଅସନ୍ତୋଷ ତିବ୍ର ରୁପ ଧାରଣ କରିଥିଲା । ଏହାପରେ ଏହାକୁ ନେଇ କେତେକ ଦୋକାନୀ ଦୋକାନ ଘର ପାଇବା ଓ ପାତରଅନ୍ତର ନିତୀକୁ ନେଇ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଆଜି ପୋଲିସ ପ୍ରଶାସନ ଉପସ୍ଥିତିରେ ତହସିଲ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିବା ପାଇଁ ବାରାପୁରରେ ପହଂଚିବା ପରେ ଉତେଜନା ଦେଖାଦେଇଥିଲା । ଆରଏମସି ଦୋକାନ ଘର ନିର୍ମାଣ ଆରମ୍ଭ କରିବାକୁ କେଉଁଠି ଫଳକ ଲଗାଯାଇଛି ବୋଲି ସାଧାରଣଲୋକ ପଚାରିଥିଲେ । ଯାହାକୁ ନେଇ ପାଖାପାଖି ଦିର୍ଘ ତିନିଘଂଟା ଧରି ଆଲୋଚନ ଜାରୀ ରହିଥିଲା । ଶେଷରେ ଜବରଦଖଲ ଉଚ୍ଛେଦ କରିନପାରି ପ୍ରଶାସନ ଫେରିଥିବା ଦେଖିବାକୁ ମିଳିଛି ।