Odiapua.com

ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଦାବିପତ୍ର

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ତହସିଲ ଅଂଚଳର ବିଭିନ୍ନ ସ୍ଥାନରେ ଏବେ ଜବରଦଖଲ ବଢିବାରେ ଲାଗିଛି । କେତେକ ମୁଷ୍ଟିମେୟ ଲୋକ ସରକାରୀ ଜମିକୁ ଜବରଦଖଲ କରିବା ଦ୍ୱାରା ରାସ୍ତା ସଂକୁଚିତ ହେଉଛି । ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ ପ୍ରଶାସନ ସ୍ଥାଣୁତା ଯୋଗୁଁ ଏହି ଜବରଦଖଲ ବଢିବାରେ ଲାଗିଛି । ଏପରିକି ନିଦ୍ଧିଷ୍ଟ କେତେକ ରାଜସ୍ୱ ନିରୀକ୍ଷକ ଓ ତହସିଲର କର୍ମଚାରୀଙ୍କ ଇଂଗୀତରେ ଏମାନେ ଜବରଦଖଲ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରିକି ଧାମନଗର ତହସିଲ ଅଧିନସ୍ଥ ଦଳାଙ୍ଗ ପଂଚାୟତ ଜାହାଙ୍ଗିର ପାଲ୍ୟାମେଟଂ (ରାଉତସାହି) ଛକରୁ ବାବୁଗଡିଆ ଏକ ଗ୍ରାମ୍ୟ ରାସ୍ତାର ଦୁଇପାଶ୍ୱର୍ରେ କେତେକ ଲୋକ ଜବରଦଖଲ କରି ରଖିବାକୁ ରାସ୍ତାଟି ଅଣଓସାରିଆ ହୋଇଛି । ଫଳରେ ଉକ୍ତ ଗ୍ରାମକୁ ଚାରି ଚକିଆ ଯାନ ସହିତ ଜରୁରୀକାଳୀନ ସେବା ଯୋଗାଇ ଦେଉଥିବା ଆମ୍ବୁଲାନ୍ସ କି ଦମକଳ ଗାଡି ଯିବା ଆସିବାରେ କଷ୍ଟକର ହୋଇ ପଡୁଛି । ଗ୍ରାମର ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଜବରଦଖଲ ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି କରିଛି । ଏନେଇ ସଂପୃକ୍ତ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ରାଜସ୍ୱ ନୀରିକ୍ଷକ, ତହସିଲଦାର ଓ ଜିଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ୱେ ସେମାନେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମର ଅଜୟ କୁମାର ରାଉତ, ଅର୍ଜୁନ ଚରଣ ରାଉତ, ହରେକୃଷ୍ଣ ମହାପାତ୍ର, ନରେନ୍ଦ୍ର ରାଉତ, କୃଷ୍ଣଚନ୍ଦ୍ର ବେହେରା, ଦେବେନ୍ଦ୍ର ରାଉତ, ନାରାୟଣ ଚନ୍ଦ୍ର ରାଉତ, ବିଶ୍ୱନାଥ ରାଉତଙ୍କ ସମେତ ଶତାଧିକ ଲୋକ ଅଭିଯୋଗ କରିଛନ୍ତି । ଜବରଦଖଲକାରୀଙ୍କ ବିରୋଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।