Odiapua.com

ଜବତ ୧୬ ବାଇକ୍‌ରୁ ୮ ମାଲିକଙ୍କୁ ହସ୍ତାନ୍ତର କଲା ପୁଲିସ୍

ଭଦ୍ରକ, ୧୧-୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ପକ୍ଷରୁ ଚଢାଉ କରାଯାଇ ଗତ ୪ ତାରିଖରେ ଜବତ ହୋଇଥିବା ୧୬ଟି ଚୋରା ମୋଟର ସାଇକେଲ୍‌କୁ ସୋମବାରଦିନ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତିନ କୁମାର ପଣ୍ଡା ସେମାନଙ୍କ ମାଲିକମାନଙ୍କୁ ହସ୍ତାନ୍ତର କରିଛନ୍ତି। ଏଥି ଉପଲକ୍ଷେ ଆଜି ଗ୍ରାମାଞ୍ଚଳ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଗ୍ରାମାଞ୍ଚଳ ଥାନା ପୁଲିସ୍ କୌଶଳ କ୍ରମେ ଧରିବାରେ ସକ୍ଷମ ହୋଇଥିଲା। ଏହି ଗ୍ୟାଙ୍ଗରେ ସଂପୃକ୍ତ ୪ ଜଣ ଲୁଟେରା ଓ ବାଇକ୍ କିଣିଥିବା ଜଣକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜବତ ହୋଇଥିବା ୧୬ ଟି ବାଇକ୍ ମାଲିକଙ୍କ ମଧ୍ୟରୁ ଆଲୋକ କୁମାର ପଣ୍ଡା, ସେକ୍ତ ଇସ୍ତିୟର ଖାଁ, ପିତାମ୍ବର ମହାନ୍ତି, ହୃଷିକେଶ ମହାଳିକ, ନରେଶ ବେହେରା, ରାଜେଶ ବେହେରା, ଶରତ ବେହେରା ଓ ଉମାକାନ୍ତ ସାହୁଙ୍କୁ ଆଜି ସେମାନଙ୍କର ଚୋରି ବାଇକଗୁଡିକ ଗ୍ରାମାଞ୍ଚଳ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଓ ଗୁଜିଦରଡା ଫାଣ୍ଡି ଅଧିକାରୀ କେ.କେ. ଜେନାଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା ହସ୍ତାନ୍ତର କରିଥିଲେ। ଏଠାରେ ସୂଚନାଯୋଗ୍ୟ ଏହି ରାକେଟ୍‌ର ୪ ଜଣଙ୍କୁ ଛାଡିଦେଲେ ଜଡିତ ଥିବା ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେବା ସହ ଗିରଫ ଅଭିଯୁକ୍ତମାନଙ୍କ ନାମରେ ବାଲେଶ୍ୱର, ଭଦ୍ରକ ଭଳି ଜିଲାରେ ୨୦ ରୁ ଉର୍ଦ୍ଧ୍ୱ ମାମଲା ରହିଥିବାର କହିଛନ୍ତି।