Odiapua.com

ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଦହଗଞ୍ଜ ହେଉଛନ୍ତି ଲୋକେ, ପ୍ରମାଣପତ୍ର ଅଭାବରୁ ସ୍କୁଲରେ ପାଠ ପଢିବା ଓ ଡାକ୍ତରୀ ଚିକିତ୍ସା ହେଲାଣି ମୁସ୍‌କିଲ

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ ସହ ସ୍କୁଲ କଲେଜରେ ଅଧ୍ୟୟନ କରିବା ପାଇଁ ଜନ୍ମ-ମୃତ୍ୟୁର ପ୍ରମାଣପତ୍ରର ଆବଶ୍ୟକତା ରହିଛି । କିନ୍ତୁ ଭଦ୍ରକ ଜିଲା ସମେତ ପଡୋଶୀ ବାଲେଶ୍ୱର ଜିଲାର କେତେକ ହିତାଧିକାରୀ ଏହାକୁ ହାସଲ କରିବା କ୍ଷେତ୍ରରେ ନିର୍ଭର କରୁଥିବା ଭଦ୍ରକ ଜିଲା ମୁଖ୍ୟ ଚିକିିତ୍ସାଳୟକୁ ଦୌଡି ଦୌଡି ହାଲିଆ ହୋଇପଡିଥିଲେ ବି ତାହା ମିଳିପାରୁନାହିଁ ବୋଲି ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିକଟରେ ଅଭିଯୋଗ କରିଛନ୍ତି କେତେକ ପରିବାରର ସଦସ୍ୟ । ଏପରିକି କିଛି ଆଶାକର୍ମୀ ମଧ୍ୟ ଏଥିରୁ ବଂଚିତ ହୋଇ ହିତାଧିକାରୀଙ୍କ ନିକଟରେ ନିଜକୁ ଅପମାନିତ ମନେ କରୁଥିବା ବିଷୟ ଜଣାପଡିଛି । ବିଭିନ୍ନ ଅଂଚଳରୁ ଆସିଥିବା ବ୍ୟକ୍ତିବିଶେଷ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ ସେମାନଙ୍କୁ ଜନ୍ମ-ମୃତ୍ୟୁର ପ୍ରମାଣପତ୍ର ପାଇବା ପାଇଁ ୧୦ ଦିନ ନୁହେଁ କି ୧୫ଦିନ ନୁହେଁ ଦୀର୍ଘ ୫ ମାସ ଅପେକ୍ଷା କରିବାକୁ ପଡୁଛି । ତଥାପି ତାହା ମିଳିପାରୁନାହିଁ । ଜିଲା ମୁଖ୍ୟ ଚିକିତ୍ସାଳୟର ବର୍ହିଃବିଭାଗ ମଧ୍ୟରେ ଥିବା କାର୍ଯ୍ୟାଳୟରେ ଏହି ପ୍ରମାଣପତ୍ର ପ୍ରଦାନ କରୁଥିବା କର୍ମଚାରୀମାନେ ସେମାନଙ୍କୁ କେବଳ ନିରାଶ କରୁନାହାଁନ୍ତି । ଅଶ୍ଳୀଳ ଭାଷା କହିବାକୁ ମଧ୍ୟ ପଛାଉନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଆଶାକର୍ମୀ ଅଞ୍ଜଳି ମହାଳିକ । ଅଞ୍ଜଳିଙ୍କ ଅଭିଯୋଗ ମୂଳେ ପିଲାଟି ୨୦୧୮ ମଇ ୩ ତାରିଖରେ ଜନ୍ମ ହୋଇଥିବାବେଳେ ପଡିଯିବା କାରଣରୁ ଦୁଇଟି ହାତ ଭାଙ୍ଗିଛି ।

ସେ ଏବେ ରାଜୀବ ମେଡିକେୟାରେ ଚିକିତ୍ସିତ ହେଉଥିବାବେଳେ ଆଧାର କାର୍ଡ ନଥିବାରୁ ମେଡିକାଲ କର୍ତ୍ତୃପକ୍ଷ ତାର ଜନ୍ମ ପ୍ରମାଣପତ୍ର ଖୋଜୁଛନ୍ତି । କିନ୍ତୁ ତାହା ମିଳିପାରୁନଥିବାରୁ ସେ ଏବେ ଆବଶ୍ୟକ ଚିକିତ୍ସାରୁ ବଂଚିତ ହେଉଛି । ଅନୁରୂପ ଏହି ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ପୂର୍ବରୁ ପୌରପାଳିକାରେ ମିଳିଆସୁଥିବାବେଳେ ତାହା ସେମାନଙ୍କ ପାଇଁ ସୁବିଧା ଜନକ ହେଉଥିଲା । ମାତ୍ର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହା ମିଳିବା ପରଠାରୁ ୬ ମାସ ପର୍ଯ୍ୟନ୍ତ ବି ତାହା ମିଳିପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ପୁରୁଣାବଜାର ଅଂଚଳର ସେକ୍ ଆରିଫ୍ ଓ ବାଲେଶ୍ୱର ଜିଲା କହ୍ନେଇବିନ୍ଧା ଅଂଚଳର ଶୈଳେନ୍ଦ୍ରୀ ଶତପଥୀ । ଫଳରେ ବିଦ୍ୟାଳୟରେ ପ୍ରବେଶ କରିବା ପାଇଁ ନିଜ ପୁତ୍ରର ଏହି ଜନ୍ମ ପ୍ରମାଣପତ୍ର ଅଭାବରୁ ଜଣେ ଅଭିଭାବକ ମୁଖ୍ୟ ଚିକିତ୍ସାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି । ତେବେ ଏହି ହିତାଧିକାରୀମାନେ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ ପାତ୍ରଙ୍କୁ ଭେଟି ନିଜର ଅଭିଯୋଗ ଜଣାଇବା ପରେ ସେ ୧୫ଦିନ ମଧ୍ୟରେ ତାହା ପାଇବାର ସୁବନ୍ଦୋବସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏ ସଂପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପାତ୍ରଙ୍କୁ ଏ ପ୍ରତିନିଧି ପଚାରିବାରେ ସେ ଉକ୍ତ ସମସ୍ୟାକୁ ସ୍ୱୀକାର କରି କିଛି କମ୍ପ୍ୟୁଟରର ତ୍ରୁଟି ଓ ଏହି ବିଭାଗରେ କର୍ମଚାରୀଙ୍କ ଅଭାବରୁ ଏଭଳି ଘଟୁଛି ବୋଲି କହିବା ସହ ସେ ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି ।