Odiapua.com

ଜନ୍ମ ମାଟିରେ ଓଡିଶା ସାହିତ୍ୟ ଏକାଡେମୀର ରାଜ୍ୟସ୍ତରୀୟ କାନ୍ତକବି ଜୟନ୍ତୀ

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାନ୍ତକବିଙ୍କ ଜନ୍ମମାଟି ତାଳପଦା ଠାରେ ଏକାଡେମୀ ସଦସ୍ୟ ତଥା ଧାମନଗର ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। କାନ୍ତକବି ଲଷ୍ମୀକାନ୍ତ ମହାପାତ୍ର ଏକାଧାରରେ ଥିଲେ କଥାକାର, ନାଟ୍ୟକାର, ପ୍ରାବନ୍ଧିକ, ଶିଶୁସାହିତ୍ୟକ ଓ ହସ୍ୟରସର ଅନୁପମ ସ୍ରଷ୍ଟା। ବିଭୂପ୍ରେମ ଓ ସ୍ୱଦେଶ ପ୍ରୀତିର ବନ୍ୟାରେ ପ୍ଲାବିତ ହୋଇଥିଲା ତାଙ୍କ ହୃଦୟ କନ୍ଦର। ଜାତୀୟତା ସହ ରହସ୍ୟବାଦ, ବିଷାଦବୋଧ ଓ ଜୀବନୋତ୍ତର ଆଶାବାଦରେ ଝଙ୍କୃତ ତାଙ୍କ ଜୀବନର ସଂଗୀତ ‘ଜୀବନ ସଂଗୀତ’। ଉତ୍କଳର ଶୋଭାସମ୍ପଦ ଓ ବୀରତ୍ୱ ଗାଥା ବର୍ଣ୍ଣିତ ଉଚ୍ଚ ଭାବାଦର୍ଶ ସମ୍ବଳିତ ‘ବନ୍ଦେ ଉତ୍କଳ ଜନନୀ କବିତା ସତରେ ଅନାନ୍ୟ ଓ ତାଙ୍କର ସମଗ୍ର ସୃଷ୍ଟି ଅସାମାନ୍ୟ ବୋଲି ସଭାରେ ମତପ୍ରକାଶ ପାଇଅଛି। ଏହି ସଭାରେ ଉଦଘାଟକ ଭାବେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ହୃଦାନନ୍ଦ ପାଣିଗ୍ରାହୀ ମୁଖ୍ୟ ଅତିଥି, ଡ. କ୍ଷୀରୋଦ ସାମଲ ମୁଖ୍ୟ ବକ୍ତା ଓ କବି ଅଭିଜିତ ନାୟକ ସମ୍ମାନୀୟ ବକ୍ତା ଭାବେ ଯୋଗଦାନ କରିଥିଲେ। ଏକାଡେମୀ ସଦସ୍ୟ ପୂର୍ଣଚନ୍ଦ୍ର ବହଳୀ ପ୍ରାରମ୍ଭିକ ସୂଚନା ଓ ବରିଷ୍ଠ ଆଇନଜୀବୀ ଚିନ୍ତାମଣି ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୌଜନ୍ୟ ଅତିଥି ସ୍ଥାନୀୟ ବିଧାୟକ ସୁରଜ ସୂର୍ଯ୍ୟବଂଶୀ ସ୍ଥିତିପ୍ରଜ୍ଞ, ପଞ୍ଚାୟତ ସମିତି ଅଧ୍ୟାକ୍ଷା ଅବନ୍ତୀ ଦାସ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, କବି ଦୀନବନ୍ଧୁ ପତି, କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ରାମନାରାୟଣ ନାୟକ, ପ୍ରଭାତ କୁମାର ରାଉଳ, ବାଣୀ କଲ୍ୟାଣ ମହାପାତ୍ର, ନାରାୟଣ ଚନ୍ଦ୍ର କର ସେମାନଙ୍କର ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଜୟନ୍ତୀ ସଭାରେ କବିମାନଙ୍କ ଦ୍ୱାରା କାନ୍ତକବିଙ୍କ ଉପରେ କବିତା ପାଠ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏକାଡେମୀ ସଚିବଙ୍କ ଦିଗଦର୍ଶନରେ ଆୟୋଜିତ ଏହି ସଭାକୁ ସଂଚାଳନ କରିଥିଲେ ସରପଞ୍ଚ ଜୟଶ୍ରୀ ବେହେରା, ରାକେଶ ମହାପାତ୍ର ଓ ଦୁଃଖିଶ୍ୟାମ ଜେନା। ପ୍ରାରମ୍ଭରେ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ବହୁ ସ୍କୁଲ ଛାତ୍ରଛାତ୍ରୀ, ଜନସାଧାରଣ, ସାରସ୍ୱତ ସାଧକ କାନ୍ତ କବିଙ୍କ ଜୟନ୍ତୀ ସଭାରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ଏକାଡେମୀ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଥିଲା। ସକାଳେ ବିଡିଓ ଜ୍ୟୋତିର୍ମୟ କର, ସହକାରୀ ଯନ୍ତ୍ରୀ ଟିକଚାନ୍ଦ କାଲୋ, କନିଷ୍ଠ ଯନ୍ତ୍ରୀ ଅଲେଖ ତିର୍କୀ, ଏନଆଇଜିଏସ ସହକାରୀ ସୁଧାଂଶୁ ନାୟକ, ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, ସମାଜସେବୀ ଗଣେଶ ନାୟକ, ରଘୁନାଥ ମଳିକ, ହରିଶ୍ଚନ୍ଦ୍ର ମିଶ୍ର, ବିଶ୍ୱରଂଜନ ମହାପାତ୍ର, ପୀତବାସ ପୁହାଣ, ଚୈତନ୍ୟ ବେହେରା, ପୂର୍ଣ୍ଣ ଚନ୍ଦ୍ର ଜେନା, ପ୍ରଦୀପ ମହାପାତ୍ର, ରଂଜିତା ସେଠୀ, ବାସନ୍ତୀ ଜେନା ପ୍ରମୁଖ କବିଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।