Odiapua.com

ଜନ୍ମଦିନରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୧୧ା୧୦ (ଓଡ଼ିଆ ପୁଅ) : ସମ୍ପୂର୍ଣ୍ଣ କ୍ରାନ୍ତିର ମହାନାୟକ, ସମାଜବାଦ ଆନ୍ଦୋଳନର ମୁଖ୍ୟ ସୂତ୍ରଧର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୧୯ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱରସ୍ଥ ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଶ୍ରଦ୍ଧାଳୁମାନେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବକ୍ତାମାନେ ନିଜ ବକ୍ତବ୍ୟରେ ବିଦେଶରେ ଶିକ୍ଷାଲାଭ କରି ବିଳାସବ୍ୟସନ ପରିତ୍ୟାଗ କରି ସପତ୍ନୀକ ଜୟପ୍ରକାଶ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ସାମିଲ୍ ହୋଇଥିଲେ। ତାଙ୍କ ଧର୍ମପତ୍ନୀ ପ୍ରଭାବତୀ ଦେବୀ ମଧ୍ୟ ଗାନ୍ଧୀଙ୍କର ସହଯୋଗୀ ଭାବରେ ସାବରମତୀ ଆଶ୍ରମରେ ରହିବା ସହ ଜାତିର ପିତାଙ୍କ ଓଡ଼ିଶାରେ ହରିଜନ ପଦଯାତ୍ରା ସମୟରେ ତାଙ୍କ ସହିତ ସାମିଲ୍ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଜୟପ୍ରକାଶ କଂଗ୍ରେସ ଦଳ ପରିତ୍ୟାଗ କରି ସୋସାଲିଷ୍ଟ ପାର୍ଟି ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହିତ ଦେଶର ଶ୍ରମିକ, କୃଷକ ଓ ଅସହାୟ ଜନତାଙ୍କ ଆର୍ଥିକ ଉନ୍ନତି ନିମନ୍ତେ ନିରନ୍ତର ଉଦ୍ୟମ କଲେ। କ୍ରମାଗତ ସଂଘର୍ଷ ମଧ୍ୟରେ ସେ ବହୁବାର କାରାବରଣ କରିବା ସହ ପୋଲିସ୍‌ର ନିର୍ମମ ଅତ୍ୟାଚାରର ଶୀକାର ହୋଇଛନ୍ତି। ଦେଶରେ ଜରୁରୀକାଳୀନ ପରିସ୍ଥିତି ପୂର୍ବରୁ ସେ ଏକ ଅଦ୍ଭୁତପୂର୍ବ ଜନ ଆନ୍ଦୋଳନ ଗଢିତୋଳିଥିଲେ ଓ ଜରୁରୀକାଳୀନ ପରିସ୍ଥିତି ମଧ୍ୟରେ ଭାରତ ବର୍ଷର ଅଣକଂଗ୍ରେସ ଶକ୍ତିକୁ ଏକତ୍ରିତ କରି ଜନତା ପାର୍ଟି ଗଠନ କରି ୧୯୭୭ ମସିହାରେ ଭାରତ ବର୍ଷରେ ପ୍ରଥମ ଅଣକଂଗ୍ରେସ ସରକାର ଗଠନ କରିବାରେ ସଫଳ ହୋଇଥିଲେ। ତାଙ୍କର ନୀତି, ଆଦର୍ଶ ଓ ସଂଘର୍ଷମୟ ଜୀବନ ଯୁଗେଯୁଗେ ଯୁବ ଛାତ୍ରମାନଙ୍କୁ ଉଦ୍‌ବୁଦ୍ଧ କରିବ ବୋଲି ବକ୍ତାମାନେ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ନିଶାମୁକ୍ତି ଅଭିଯାନର ଅଧ୍ୟକ୍ଷ ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଅଧ୍ୟାପକ ରମେଶ ପାତାଳ ସିଂହ, ଜୟପ୍ରକାଶ ଫାଉଣ୍ଡେସନ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାନ୍ତି, ଶ୍ରମିକ ନେତା ପଞ୍ଚାନନ ସେନାପତି, ଦେବପ୍ରସାଦ ରାୟ ପିତାମ୍ବର ମହାପାତ୍ର, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟ, ଅରୁଣ ସ୍ୱାଇଁ, ଇଂ. ଲଳିତ ମୋହନ ପଟ୍ଟନାୟକ, ପ୍ରଭାସ ସାମନ୍ତରାୟ, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ପ୍ରବୀର ମହାନ୍ତି, ସତ୍ୟ ଜେନା, ବାବା ପଞ୍ଚଦେବ, ସମାଜବାଦୀ ପାର୍ଟି ତରଫରୁ ସୁଦର୍ଶନ ପ୍ରଧାନ, ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଉପସ୍ଥିତ ଛାତ୍ରଛାତ୍ରୀମାନେ ଜୟପ୍ରକାଶ ନାରାୟଣଙ୍କ ଉପରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କୁ ଚଳିତ ବର୍ଷର ଲୋକନାୟକ ଜୟପ୍ରକାଶ ନାରାୟଣ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରିଶେଷରେ ରୁଦ୍ର ପ୍ରସାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।