Odiapua.com

ଜନସେବା ହିଁ ଧର୍ମ, ଜନକଲ୍ୟାଣ ହିଁ ସଙ୍କଳ୍ପ ,ଅସୁସ୍ଥ ମା’ଙ୍କ ସହାୟତା ପାଇଁ ଆଗେଇ ଆସିଲେ ଭଦ୍ରକ ବିଧାୟକ ଶିତାଶୁ ଶେଖର ମହାପାତ୍ର

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜନୀତି କେବଳ କ୍ଷମତା କିମ୍ବା ପଦପଦବୀର ମାଧ୍ୟମ ନୁହେଁ, ବରଂ ଜନସେବାର ଏକ ପବିତ୍ର ମାଧ୍ୟମ ବୋଲି ପୁଣିଥରେ ପ୍ରମାଣ କରିଛନ୍ତି ଭଦ୍ରକର ଯୁବ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶିତାଶୁ ଶେଖର ମହାପାତ୍ର। ସମାଜସେବୀରୁ ଜନପ୍ରତିନିଧି ହୋଇଥିଲେ ମଧ୍ୟ ତାଙ୍କ ମନରେ ନାହିଁ ପଦପଦବୀର ଅହଙ୍କାର କିମ୍ବା କ୍ଷମତାର ଗର୍ବ। ସାଧାରଣ ଲୋକଙ୍କ ସୁଖ-ଦୁଃଖରେ ସାମିଲ ହେବା ଏବଂ ଗରିବ, ଅବହେଳିତ ଓ ନିଷ୍ପେଷିତ ଲୋକଙ୍କ ସେବା କରିବା ହିଁ ତାଙ୍କ ଜୀବନର ପ୍ରମୁଖ ଲକ୍ଷ୍ୟ ହୋଇ ରହିଛି। ଆଜି ଏକ ସରକାରୀ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ବନ୍ତ ବ୍ଲକ ଅଂଚଳରେ ଏକ ଆମ୍ବୁଲାନ୍ସ ଭିତରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଅସୁସ୍ଥ ମା’ଙ୍କୁ ଦେଖି ସେ ତୁରନ୍ତ ନିଜ ଗାଡ଼ି ଅଟକାଇ ତାଙ୍କ ନିକଟକୁ ଯାଇଥିଲେ। ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ସହିତ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ଉନ୍ନତ ଚିକିତ୍ସା ପାଇଁ ତୁରନ୍ତ ପଦକ୍ଷେପ ନେଇଥିଲେ। ଶ୍ରୀ ମହାପାତ୍ର ତୁରନ୍ତ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର କର୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ରୋଗୀଙ୍କ ପାଇଁ ଉତମ ଓ ଜରୁରୀ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ଅନୁରୋଧ କରିଥିଲେ। ତାଙ୍କ ଏହି ମାନବିକ ପଦକ୍ଷେପ ଏବଂ ସମ୍ବେଦନଶୀଳତାକୁ ଦେଖି ସ୍ଥାନୀୟ ଅଂଚଳବାସୀ ଓ ଉପସ୍ଥିତ ଲୋକମାନେ ଭୂୟସୀ ପ୍ରଶଂସା କରିଥିଲେ। ଜନସାଧାରଣଙ୍କ ମତରେ, ଭଦ୍ରକ ବିଧାୟକ ଶିତାଶୁ ଶେଖର ମହାପାତ୍ର କେବଳ ଜଣେ ଜନପ୍ରତିନିଧି ନୁହନ୍ତି, ସେ ଜଣେ ସମ୍ବେଦନଶୀଳ ସମାଜସେବୀ ଓ ମାନବିକ ବ୍ୟକ୍ତିତ୍ୱର ଅଧିକାରୀ। ଲୋକଙ୍କ ସମସ୍ୟା ଶୁଣିବା, ଦୁଃଖରେ ପାଖରେ ଛିଡ଼ା ହେବା ଏବଂ ତୁରନ୍ତ ସହାୟତାର ହାତ ବଢ଼ାଇବା ତାଙ୍କ କାର୍ଯ୍ୟଶୈଳୀର ଏକ ଅନନ୍ୟ ପରିଚୟ। ରାଜନୈତିକ ଜୀବନରେ ପ୍ରବେଶ ପରେ ମଧ୍ୟ ସେ ନିଜର ସମାଜସେବା ମନୋଭାବକୁ ଅବିକୃତ ରଖିଛନ୍ତି। ସାଧାରଣ ଲୋକଙ୍କ ସହ ନିବିଡ଼ ସମ୍ପର୍କ, ସେମାନଙ୍କ ଅଭାବ-ଅସୁବିଧା ପ୍ରତି ସଚେତନତା ଏବଂ ତୁରନ୍ତ ସମାଧାନ ପାଇଁ ଉଦ୍ୟମ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଜନସେବା ହିଁ ତାଙ୍କର ଧର୍ମ, ଜନକଲ୍ୟାଣ ହିଁ ତାଙ୍କର ସଙ୍କଳ୍ପ। ଏହି ଆଦର୍ଶକୁ ନେଇ ସେ ନିରନ୍ତର ଭାବେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରି ଆସୁଛନ୍ତି, ଯାହା ଆଜିର ଘଟଣାରେ ପୁଣିଥରେ ପ୍ରତିଫଳିତ ହୋଇଛି।