ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଧାନସଭା କ୍ଷେତ୍ରର ଧୂଷୁରୀ ଏନଏସିସ୍ଥିତ ମୁରଲୀଧର ସରକାରୀ ଉଚ୍ଚ ବିଦ୍ୟାଳୟରେ ରବିବାର ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି।ପଂଚାୟତରାଜ୍ ପାନୀୟ ଜଳ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଏହାକୁ ଉଦଘାଟନ କରିଥିଲେ।ମନ୍ତ୍ରୀ ଶ୍ରୀ ନାଏକ କହିଲେ ଯେ ଆମେ ଗଣମାଧ୍ୟମରୁ ଧାମନଗର ଅଂଚଳର ବନ୍ୟା ଖବର ପଢ଼ିଥାଉ,କିନ୍ତୁ ଆଜି ନିଜ ଆଖିରେ ଭଦ୍ରକ ତିହିଡି ଧାମନଗର ଏବଂ ଚାନ୍ଦବାଲି ଅଂଚଳର ବନ୍ୟାର ବାସ୍ତବତା ଦେଖିଲି।ଏଭଳି ସ୍ଥିତିରେ ଲୋକଙ୍କ ନିକଟରେ ଛିଡା ହେବା ସହ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସ୍ଥାନୀୟ ବିଧାୟକ ତଥା ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସେବା ମନସ୍କତା ଓ ପ୍ରତିବଦ୍ଧତାକୁ ଦର୍ଶାଇଛି।ରାଜ୍ୟ ସରକାର ସମସ୍ତ ମୌଳିକ ସେବା ପ୍ରଦାନ ଦିଗରେ ଯତ୍ନବାନ ଥିବା ମନ୍ତ୍ରୀ ଶ୍ରୀ ନାଏକ ମତବ୍ୟକ୍ତ କରିଥିଲେ। ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ ବନ୍ୟା ପରବର୍ତୀ କାଳରେ ବିଭିନ୍ନ ରୋଗ ବ୍ୟାପିବା ଆଶଙ୍କା ଥିବାରୁ ଆମେ ସ୍ୱାସ୍ଥ୍ୟ ସେବା ପ୍ରତି ଗୁରୁତ୍ୱ ଦେଇଛୁ ଏବଂ କ୍ରମାଗତ ଚାରି ଦିନରେ ତିହିଡି ଧୂଷୁରୀ ଏବଂ ଦୋବଲ ଅଂଚଳ ସହିତ ପଡୋଶୀ ଯାଜପୁର ଜିଲ୍ଲାରେ ମଧ୍ୟ ଏପ୍ରକାର ପଦକ୍ଷେପ ନିଆଯାଇଛି।ପ୍ରାକ୍ତନ ସରପଂଚ ଅନିରୁଦ୍ଧ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ସଭାରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ସିଡ଼ିଏମଓ ପ୍ରମୋଦ ପ୍ରହରାଜ ହାଇଟେକ ମେଡ଼ିକାଲ କଲେଜର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଂଜନ ପଣ୍ଡା ପ୍ରଧାନ ଶିକ୍ଷୟିତ୍ରୀ ଇତିଶ୍ରୀ ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ସମାଜସେବୀ ଚତୃଭୂଜ ନାୟକ ଉଦେଶ୍ୟ ଜ୍ଞାପନ ସ୍ୱାଗତ ବକ୍ତବ୍ୟ ରଖିଥିଲେ।ସାହିତ୍ୟିକ ରାମଚନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଦୁଇ ମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ ଶିବିର ବୁଲି ରୋଗୀମାନଙ୍କୁ ଦିଆଯାଉଥିବା ସେବା ଓ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ। ହାଇଟେକ ମେଡ଼ିକାଲ କଲେଜ ସହଯୋଗରେ ଶିବିରରେ ୧୬ଟି ବିଭାଗର ବିଶେଷଜ୍ଞ ଡାକ୍ତର ଯୋଗଦେଇ ରୋଗୀମାନଙ୍କ ବିଭିନ୍ନ ରୋଗର ପରୀକ୍ଷା କରିବା ସହ ଆବଶ୍ୟକ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରିଥିଲେ।ରୋଗୀଙ୍କୁ ନିଶୁଳ୍କ ଔଷଧ ପ୍ରଦାନ କରାଯାଇଥିଲା।ଏକଦିବାସୀୟ ସ୍ୱାସ୍ଥ୍ୟ ଶିବିରରେ ୧୪୭୦ ଜଣ ରୋଗୀ ପଞ୍ଜିକୃତ ହୋଇଥିଲା ବେଳେ ୩୫ରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇଥିଲେ। ବରିଷ୍ଠ ନେତା ଅଶୋକ ପୁହାଣ,ମନୋରଞ୍ଜନ ମଲ୍ଲିକ,କାହ୍ନୁ ଚରଣ ପଣ୍ଡା,ଅନ୍ତର୍ଯ୍ୟାମୀ ପତି,ଅରବିନ୍ଦ ପତି,କୈଳାସ ମହାପାତ୍ର,ବୈକୁଣ୍ଠ ସାହୁ, ମନୋଜ ଦାସ, ଶ୍ରୀକାନ୍ତ ନାୟକ, ରାଜେନ୍ଦ୍ର ସାହୁ,କ୍ଷୀରୋଦ ଧଳ ପ୍ରମୁଖ ପରିଚାଳନା କରିଥିଲେ। ବନ୍ୟା ପରବର୍ତୀ ସମୟରେ ଏଭଳି ମାଗଣା ଚିକିତ୍ସା ଶିବିର ଆୟୋଜନ ହୋଇଥିବାରୁ ସ୍ଥାନୀୟ ଅଂଚଳବାସୀ ଖୁସି ପ୍ରକାଶ କରିଛନ୍ତି।