Odiapua.com

ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ଦାବି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶରେ ସ୍ମାରକପତ୍ର

ବାଲେଶ୍ୱର, ୧୫ା୭(ଓଡ଼ିଆ ପୁଅ/ଅଭୟ ଦାସ) : ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ‘ଜନସଂଖ୍ୟା ସମାଧାନ ଫାଉଣ୍ଡେସନ’ ପକ୍ଷରୁ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଦାବିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କର୍ମକର୍ତ୍ତା ଓ ଅଳ୍ପ କିଛି ସଦସ୍ୟ ସଦସ୍ୟ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ। କରୋନା ପାଇଁ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ସହ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କିତ ଆଇନର ଆବଶ୍ୟକତା ସମ୍ପର୍କରେ କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ। ସରକାରୀ ସ୍ତରରେ କୌଣସି ଅଙ୍କୁଶ ନ ରହିବା କାରଣରୁ ଦେଶର ବଢ଼ୁଥିବା ଜନସଂଖ୍ୟା ଆଗାମୀ ଦିନରେ ସମସ୍ତଙ୍କ ପାଇଁ ମହା ବିପଦ ଭାବେ ଉଭା ହେବାନେଇ ସେମାନେ ଆଶଙ୍କା ପ୍ରକାଶ କରିଥିଲେ। ଏନେଇ ସଂଗଠନ ପକ୍ଷରୁ ସମଗ୍ର ଦେଶରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ସାଂସଦ ଓ ବିଧାୟକ ପ୍ରଭୃତି ଲୋକ ପ୍ରତିନିଧିଙ୍କୁ ନିବେଦନ କରାଯାଉଛି। ଏହି ଅଭିଯାନକୁ ସବୁ ମହଲରୁ ସହଯୋଗ କରିବା ପାଇଁ ସଂଗଠନର କର୍ମକର୍ତ୍ତାମାନେ ଆହ୍ୱାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ସ୍ମାରକପତ୍ର ପ୍ରଦାନ ବେଳେ ରାଜେଶ କୁମାର ମହାନ୍ତି, ନାରାୟଣ ପ୍ରସାଦ ଦାସ, ଅକ୍ଷୟ କୁମାର କର, ସନ୍ତୋଷ କୁମାର ପାତ୍ର, ବିଜୟ କୁମାର ମଲ୍ଲିକ ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।