Odiapua.com

ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପାର୍ଲାମେଣ୍ଟରେ ପାରିତ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କୁ ଦାବୀପତ୍ର

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାର୍ଲାମେଣ୍ଟରେ ପାରିତ ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ୍ ଭଦ୍ରକ ଓଡ଼ିଶା ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଜନସଂଖ୍ୟା ନିୟନ୍ତ୍ରଣ ଆଇନ କଠୋର ଏବଂ ସଶକ୍ତ ଜନ୍ମନିୟନ୍ତ୍ରଣ ବିଧୟକ ଆଇନକୁ ପାର୍ଲାମେଣ୍ଟରେ ପାରିତ କରିବାକୁ ଦାବିପତ୍ର ପ୍ରଦାନ କରାଯାଇଅଛି । ଯେଉଁ ଦେଶରେ ଜନସଂଖ୍ୟାର ସଠିକ୍ ସନ୍ତୁଳନ ଅଛି ସେହି ଦେଶଗୁଡ଼ିକ ଯଥେଷ୍ଟ ଆଗୁଆ । ପରିବେଶ ସନ୍ତୁଳନ ଠାରୁ ଆରମ୍ଭ କରି ସାମାଜିକ, ଆର୍ଥିକ ବ୍ୟବସ୍ଥାରେ ଅଗ୍ରଗତି ସମେତ ଶିକ୍ଷା, ଚିକିତ୍ସା ଓ ବିଜ୍ଞାନ କ୍ଷେତ୍ରରେ ସେହି ଦେଶଗୁଡ଼ିକ ବିକଶିତ ସ୍ଥାନରେ ଅଛନ୍ତି । ଏହା ବ୍ୟତିତ ବେକାରୀ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତିରେ ମଧ୍ୟ ସ୍ୱଳ୍ପ ଜନସଂଖ୍ୟା ବିଶିଷ୍ଟ ଦେଶଗୁଡ଼ିକ ଅତ୍ୟନ୍ତ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଅବସ୍ଥାରେ ରହିଛନ୍ତ । ଆମ ଦେଶ ସ୍ୱାଧୀନତା ସମୟରେ ଛତିଶକୋଟି ଜନସଂଖ୍ୟା ଥିବା ବେଳେ ବର୍ତ୍ତମାନ ଦେଶର ଶହେଚାଳିଶ କୋଟିରୁ ଅଧିକ ଜନସଂଖ୍ୟା ବୃଦ୍ଧି ହେଲାଣି । ପ୍ରତିମିନିଟ୍‌ରେ ପଚାଶ ରୁ ଅଧିକ ନବଜାତଶିଶୁ ଜନ୍ମକୁ ନେଇ ବର୍ତ୍ତମାନ ଦେଶର ଭୟଙ୍କର ଜନବିସ୍ଫୋଟ ପରିସ୍ଥିତି ଦେଇ ଗତି କରୁଛି ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ସେହିପରି ବେକାରୀ ସମସ୍ୟାରେ ମଧ୍ୟ ଭାରତ ସର୍ବୋଚ୍ଚ ସ୍ଥାନରେ ଅଛି ।

ସମଗ୍ର ପୃଥିବୀରେ ମାତ୍ର ୫.୭% ବେକାରୀ ଥିବା ବେଳେ ଚୀନ୍‌ର ମାତ୍ର ୫.୩% ଥିବାବେଳେ ଆମ ଦେଶର ବେକାରୀ ସଂଖ୍ୟା ସର୍ବୋଚ୍ଚ ୨୩% ପହଂଚିଛି । ଅତ୍ୟଧିକ ଜନସଂଖ୍ୟା ଦୃଷ୍ଟିରୁ ଦେଶର ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଅସନ୍ତୁଳିତ ଜନବିସ୍ଫୋରଣ ଯୋଗୁ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି । ଏହାର ସଦ୍ୟ ଉଦାହରଣ କୋଭିଡ଼୍‌-୧୯ରେ ସରକାର ସବୁପ୍ରକାର ଉଦ୍ୟମ ବିଫଳ । ଭାରତୀୟ ସଂସ୍କୃତି, ଅସ୍ମିତା ତଥା ଇତିହାସ ଓ ଭୌଗଳିକ ପରମ୍ପରା ପ୍ରତି ବିପଦ ସୃଷ୍ଟି କରୁଛି । ଚୀନ୍ ଭଳି ସଶସ୍ତ୍ର ଜନସଂଖ୍ୟା ନିୟନ୍ତ୍ରଣ ଆଣି ପ୍ରଥମେ ଦେଶର ଜନସଂଖ୍ୟାକୁ ସନ୍ତୁଳିତ କରିଥିବା ବେଳେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ୍ ପକ୍ଷରୁ ରାଜ୍ୟ ଉପାଧ୍ୟକ୍ଷ ପ୍ରଭାତ କୁମାର ଜେନାଙ୍କ ନେତୃତ୍ୱରେ ଜିଲ୍ଳା ସଭାପତି ପ୍ରଦୀପ ମହାନ୍ତି, ଅମରେଶ ନାୟକ, ସଚ୍ଚିଦାନନ୍ଦ ସାମଲ, ନାରାୟଣ ମହାରଣା, ରାଜେନ୍ଦ୍ର ଭ୍ରୂୟାଁ, ଅନୀତା ଦାସ, ରବୀନ୍ଦ୍ର ଜେନା, ଅଜୟ ନାୟକ, ତପନ ପରିଡ଼ା, ମାନସ ନାୟକ, ଗଣପତି ସାହାଣୀ, ଦୀପକ ମହାପାତ୍ର, ଗୌରାଙ୍ଗ ଦାସ, ପଂଚାନନ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଏହି ଆଇନ ସଂସଦର ଉଭୟ ଗୃହରେ ପାରିତ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ ।