Odiapua.com

ଜଣେ ଅନନ୍ୟ ବ୍ୟକ୍ତିତ୍ୱ ପରୋପକାରୀ ବଂଧୁ

– ଦେବପ୍ରସାଦ ମିଶ୍ର
ବୃତ୍ତିରେ ଶିଳ୍ପପତି, କଣ୍ଟ୍ରାକ୍ଟର, ସଫଳଚାଷୀ, ସ୍ୱେଚ୍ଛାସେବୀ, ବିଧାୟକ, ସାମ୍ବାଦିକ, ସଙ୍ଗୀତପ୍ରେମୀ, ମୁରବୀ, ବିପଦ ବେଳର ବଂଧୁ ଏପରି ବହୁମୁଖୀ ପ୍ରତିଭାର ଅଧିକାରୀ ହେଉଛନ୍ତି କଟକ ରାଜାବଗିଚା ଅଞ୍ଚଳର ଖ୍ୟାତନାମା ସାମନ୍ତରାୟ ପରିବାରର ନିତ୍ୟାନନ୍ଦ ସାମନ୍ତରାୟ, ଗତ ୨୩ ଫେବୃୟାରୀ ସୁକ୍ରବାର ରାଜାବଗିଚା ବାସଭବନରେ ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ଗୋଟିଏ ଢଗ ଅଛି “ପ୍ରାଣୀର ଭଲମନ୍ଦ ବାଣୀ ମରଣକାଳେ ତା ଜାଣି”। ରାଜାବଗିଚାର ପ୍ରସିଦ୍ଧ ସାମନ୍ତରାୟ ପରିବାରର ସ୍ୱର୍ଗତ ଉତ୍ସବାନନ୍ଦ ସାମନ୍ତରାୟଙ୍କ ସାନ ଭାଇ ନିତ୍ୟାନନ୍ଦ, ଆରମ୍ଭରୁ ଜଣେ କର୍ମଠ, ସ୍ୱାଭିମାନୀ ଓ ନିଜ ବାହୁ ବଳରେ କିପରି ମଣିଷ ସ୍ୱାବଲମ୍ବି ହୋଇପାରେ ତାଙ୍କଠାରୁ ସେ କଳା ଶିଖିବାର ଅଛି। ତିର୍ଭୋଲରକୋଲୋର ଗ୍ରାମରୁ ଆସି ପାଠ ପଢିବା ବେଳୁ କିପରି ନିଜେ ଭବିଷ୍ୟତରେ ଅନ୍ୟ ଉପରେ ନିର୍ଭର ନ କରି ନିଜ ପେଟ ପୋଷି ପାରିବ ସେଥିନେଇ ପ୍ରଥମେ ନିଜ ବଡଭାଇଙ୍କ ପାଖେ ଛୋଟ ବଡ ଠିକା କାମକରି ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟର ହୋଇ ପାରିବ ତାହା କରି ଦେଖାଇଥିଲେ। ପାରାଦ୍ୱିପ ବନ୍ଦର ପ୍ରତିଷ୍ଠା ପରେ ଡଙ୍ଗାରେ କୂଳରୁ ଲୁହା ପଥର ନେଇ ଜାହାଜରେ ବୋଝେଇ କରିବା ସେ କାମ କରି ନିଜର ଗୋଟିଏ ଷ୍ଟିଭେଡୋରିଂ ସଂସ୍ଥା ଖୋଲିଥିଲେ। ପରେ ବିଭିନ୍ନ ଜଳସେଚନ ବିଭାଗର ଡ୍ୟାମ, ନଦୀବନ୍ଧ, ବ୍ୟାରେଜ ଆଦି କାମ ନେଇ ରାଜ୍ୟର ଜଣେ ପ୍ରତିଷ୍ଠିତ ଶିଳ୍ପପତି ହୋଇ ପାରିଥିଲେ। ସେତିକି ବେଳୁ ତାଙ୍କର ଜନ ସଂପର୍କ ଆରମ୍ଭ ହୋଇଥିଲା। ସେତେବେଳେ ଲୋକଙ୍କ ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନ ଥିଲା ନିଜ ଗାଁ ର କି ସହରର କେହି ବିପଦରେ ପଡି ତାଙ୍କ ପାଖକୁ ଆସୁଥିଲେ, ତାକୁ ସାହାଯ୍ୟ ଦେଇ .କାହାକୁ ପାଠ ପଢାରେ, ଦେହଖରାପରେ ଆଉ କାହାକୁ ପାଖରେ ରଖି ନାନାଦି କାମରେ ନିଯୁକ୍ତି କରାଇ ଦେଉଥିଲେ। କୌଣସି ଲୋକ ତାଙ୍କ ପାଖୁ କାମରେ କି ଯେ କୌଣସି କଥାରେ ଆସୁଥିଲା ଖାଲି ହାତରେ ଫେରୁ ନ ଥିଲା। ଯେ ଆସିଲା ତାଙ୍କ ଘରୁ ନିଶ୍ଚେ କିଛି ଖାଇକରି ଯାଉଥିଲା, ତାଙ୍କ ବ୍ୟବହାର ଅମାୟିକ ଥିଲା, ପାନଖିଆ ପାଟିରେ ସବୁବେଳେ ହସ ହସ ମୁଖ, ସବୁବେଳେ ପରିଷ୍କାର ଧଳା କଲର ସାର୍ଟ-ପେଣ୍ଟ ପରିହିତ। ବନ୍ୟା, ବାତ୍ୟା, ନଈବଢିରେ ଦୁର୍ଗତଙ୍କୁ ସାହାଯ୍ୟ, ସେବା ଆଦିରେ ସବୁଠାରୁ ଆଗୁଆ ହୋଇ ବାହାରୁଥିଲେ, ଜମ୍ବୁ ବାତ୍ୟା, ୧୯୮୦ ଓ ୧୯୯୯ ବାତ୍ୟା ବନ୍ୟାରେ କଟକରୁ “ସମାଜ” ଅନୁଷ୍ଠାନରୁ ଚୁଡା, ଚାଉଳ ନେଇ ଅନ୍ୟମାନଙ୍କ ସାଥିରେ ଦୁର୍ଗତଙ୍କୁ ବାଣ୍ଟିବା ତାଙ୍କର ବଡ କାମଥିଲା ସେତବେଳେ ତାଙ୍କ ଅଞ୍ଚଳର ସମାଜସେବୀ ନିଶାମଣି ଖୁଣ୍ଟିଆ, ବସନ୍ତ ବିଶ୍ୱାଳ, ଶ୍ରୀକାନ୍ତ ପଣ୍ଡା, ଅନନ୍ଦା ରାୟ, ମୁସ୍ରାଫିଜ ଭାଇ, ଭୂଦାନର ନରିବାବୁ ପ୍ରମୁଖଙ୍କୁ ନେଇ ଗାଁ ଗାଁ ରେ ଚୁଡା, ଚାଉଳ, କିରୋସିନି, ଡିବିରି ବାଣ୍ଟୁଥିଲେ। ଗତ ୧୯୯୯ ବାତ୍ୟାରେ ତାଙ୍କର ତିର୍ଭୋଲ ଅଞ୍ଚଳରେ ବାତ୍ୟା ବିପନ୍ନଙ୍କୁ ଡାକ୍ତରୀ ସେବା ଔଷଧ, ରିଲିଫ ଦେବା କାମକୁ ଭୁଲିବାର ନୁହେଁ, କଟକର ସମାଜ ଅନୁଷ୍ଠାନ ବଡମେଡିକାଲରେ ଥିବା ରାଧାନାଥ ସ୍ୱାସ୍ଥ୍ୟ ସହାୟକ କେନ୍ଦ୍ରର ସାହାଯ୍ୟରେ ଗ୍ରାମର କଟକ ଆଇ.ଏମ.ଏ ସଭାପତି ଥିବା ଡକ୍ଟର ଏମ ଆବାସଙ୍କ ସହାୟତାରେ ଡଃ ଟମ୍ପେ, ତେଜେସ୍ୱର ରାଓ, ମନୋରଞ୍ଜନ ମହାପାତ୍ର, ପ୍ରମୁଖ ବହୁ ଖ୍ୟାତନାମା ମେଡିକାଲ କଲେଜ ପ୍ରଫେସର ଓ ସମାଜସେବୀ, ନ୍ୟୁଲାଇଫର ଖୀତିସ ପାତ୍ର, ନିଜପୁଅ ତଥା ବର୍ତ୍ତମାନର କଟକ ବୀଧାୟକ ଦେବାଶିଷ, ଯୁଧିଷ୍ଟିର ଦାଶ, ସମାଜର ଦେବମିଶ୍ର, ୍ରଙ୍କୁ ଧରି ଦୀର୍ଘଦିନ ତାଙ୍କ କୋଲର ଗ୍ରାମ ଘରେ କ୍ୟାମ୍ପ ପକାଇ ଗ୍ରାମବାସୀଙ୍କୁ ସାହାଯ୍ୟ କରିଥିଲେ। ତାଙ୍କର କୌଣସି ଦଳ ନ ଥିଲା ଗାଁ ରେ କେଉଁଠି ହାଫ୍ ପ୍ୟାଣ୍ଟ ପିନ୍ଧି କେଉଁଠି ନାଲି ଗାମୁଛା ମୁଣ୍ଡରେ ଭିଡି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଲାଗୁଥିଲେ। ଗାଁ ରେ ଯିଏ ଯାହା ଗଣ୍ଡେ ଖାଇବାକୁ ଦେଲା ଖାଇଦିଅନ୍ତି। ଦିନେ ଦିନେ ଖାଲି ପେଟରେ ପାନ ଖଣ୍ଡେ ପାଟିରେ ପୁରାଇ ସଂଧ୍ୟା ପର୍ଯ୍ୟନ୍ତ ରିଲିଫ କାର୍ଯ୍ୟରେ ଲାଗିଥାନ୍ତି। ଏ ବିପଦ ବେଳେ ଅନ୍ୟକୁ ସାହାଯ୍ୟ କରିବା ସଂପର୍କରେ ତାଙ୍କଠାରୁ ଶିଖିବାର ଅଛି, ଥରେଥରେ ରାତି ଅଧରେକଟକ ଚଣ୍ଡିମନ୍ଦିର ଓ ଗଡଗଡିଆଠାରେ ରାତିରେ ଶୋଇଥିବା ଭିକାରୀ ଓ ରୋଗୀଙ୍କୁ ଚାଦର ବାଣ୍ଟିବା, ଶବ ନେବାପାଇଁ ରୋଗୀର ଅର୍ଥ ନ ଥିବା ବେଳେ ଅର୍ଥ ସାହାଯ୍ୟ ଦେବା, ଏ ଥିଲା ତାଙ୍କର ଏକ ଅଭ୍ୟାସ। ବହୁ ଲୋକ ତାଙ୍କର ପରୋପକାର ଗୁଣ ସଂପର୍କରେ ଜାଣି ନାହାନ୍ତି, ସେ ଥିଲେ ଧାର୍ମୀକ, ଗାଁ ର ମା ଶାରଳା ପୀଠ ପାଇଁ ବହୁ କାର୍ଯ୍ୟ ସେମାନଙ୍କର ପରିବାର କରିଛି। ତିନି ଭାଇ ଉତ୍ସବବାବୁ, ଆଦିକନ୍ଦ ବାବୁ, ନିତ୍ୟାନନ୍ଦ ବାବୁ ଓ ତାଙ୍କ ମାମୁଁ ବସନ୍ତ ବିଶ୍ୱାଳ ଉଭୟ ତିର୍ଭୋଲ ଶାରଳାପୀଠ ଓ ପଣ୍ଡିଚେରୀ ଶ୍ରୀମା ଅରବିନ୍ଦଙ୍କ ପ୍ରଚାର ଓ ପ୍ରସାର ପାଇଁ ବହୁ ଜନହିତକର କାର୍ଯ୍ୟ କରିଛନ୍ତି। ଗାଁ ରେ ପୋଖରୀରେ ଉନ୍ନତ ମାଛଚାଷ ଓ ବିଭି୍ନ୍ନ ପ୍ରକାରର ଫୁଲ ଓ ପନିପରିବା କିପରି ଚାଷ କରିବାକୁ ହୁଏ ତାଙ୍କ ଗ୍ରାମ ତିର୍ଭୋଲ କଲୋର ଓ କଟକ ତେଲଙ୍ଗାପେଣ୍ଠରେ ଥିବା କୃଷି ଫାର୍ମରେ କରି ବହୁବାର ଶ୍ରେଷ୍ଠ ଚାଷୀ ପୁରଷ୍କାର ଏବଂ ନିଜ ଗ୍ରାମରେ ଗ୍ରାମବାସୀ ଓ ଆଖପାଖର ଲୋକଙ୍କ ମନୋରଞ୍ଜନ ପାଇଁ ଯାତ୍ରା ଓ ସଙ୍ଗୀତ ପାଇଁ ଦୀର୍ଘ ବର୍ଷ ଧରି ଯାତ୍ରା କାର୍ଯ୍ୟକ୍ରମ କରି ଆସୁଥିଲେ, ଅଶି ଦଶକରେ ସେ ତିର୍ଭୋଲର ବିଧାୟକ ହୋଇଥିଲେ। ବିଭିନ୍ନ ଆଡ ବୁଲି ଆଖି ଦୃଶିଆ ଖବର ଓ ଫୋଟ ସଂଗ୍ରହ କରି ଦେଉଥିବାରୁ ରାଧାନାଥବାବୁ ତାଙ୍କୁ ଅବୈତନିକ ସାମ୍ବାଦିକ ହିସାବରେ ନିଯୁକ୍ତି ଦେଇଥିଲେ। ଲକ୍ଷେଶ୍ୱର ମନ୍ଦିର ଓ ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଗପ ତଥ୍ୟ ସମ୍ବଳିତ ପୋଥି ଆଦି ସଂଗ୍ରହ କରି ରାଜ୍ୟର କେଉଁ ସ୍ଥାନ କଣ ପାଇଁ ପ୍ରସିଦ୍ଧ ତାର ପୁରୁଣା ସାମଗ୍ରୀ ସଂଗ୍ରହ କରି ଗୋଟିଏ ମ୍ୟୁଜିୟମ ଓ ବାରମାସୀ ଫଳ ଗଛ ସଂଗ୍ରହ କରି ବାଡିରେ ଲଗାଇବା ତାଙ୍କର ବଡ ସଉକ ଥିଲା। ସେ ଜଣେ ବହୁମୁଖୀ ପ୍ରତିଭା ସଂପନ୍ନ ବ୍ୟକ୍ତିଥିଲେ, ଯିଏ ଥରେ ତାଙ୍କ ସହିତ ମିଶିଛି, ତାଙ୍କ ସଂପର୍କରେ ଆସିଛି, ସେ ତାଙ୍କୁ ଜାଣିଛି କିଛି ବର୍ଷ ତଳେ ତାଙ୍କ ସହଧର୍ମିଣୀଙ୍କ ବିୟୋଗପରେ ସେ ଆଉ ବେଶି କୁଆଡେ ନ ଯାଇ ଦେଶୀ ପ୍ରାକୃତିକ ଗଛ, ପତ୍ର ଚେରମୂଳୀର ଉପକାରୀତା ଓ ଶ୍ରୀମା ଅରବିନ୍ଦଙ୍କ ଫିଲୋସପି, ଜଗନ୍ନାଥ ଧାମ, ଗୋବର୍ଦ୍ଧନପୀଠ ଉପରେ ଗବେଷଣା ଜାରି ରଖିଥିଲେ। ତାଙ୍କର ସମସ୍ତ ପୁତ୍ର, କନ୍ୟା, ବୋହୁ, ନାତି, ନାତୁଣୀ ସମସ୍ତେ ଉଚ୍ଚ ଶିକ୍ଷିତ ଓ ପଣ୍ଡିଚେରୀ ଶ୍ରୀମା ଅରବିନ୍ଦଙ୍କ ଭକ୍ତ। ଲେଖକର ତାଙ୍କ ସହିତ ଦୀର୍ଘ ୩୦ ବର୍ଷର ସଂପର୍କ ଏପରି ଜଣେ ବହୁମୁଖୀ ପ୍ରତିଭା ସଂପନ୍ନ ପରୋପକାରୀ ବ୍ୟକ୍ତି କ୍ୱଚୀତ ଦେଖାଯାନ୍ତି। ଜୀବନ ଜିବା ପର୍ଯ୍ୟନ୍ତ ସେହି ହସ ହସ ପାନଖିଆ ଲାଲ ଓଠର ଭାଷା, ତାଙ୍କ ଆତ୍ମିୟତା ମାନବିକତା ଓ ଦରଦୀ ହୃଦୟକୁ ଭୁଲିବାର ନୁହେଁ, ଭଗବାନ ତାଙ୍କ ଆତ୍ମାକୁ ଶାନ୍ତିରେ ରଖନ୍ତୁ।

ବରିଷ୍ଠ ସାମ୍ବାଦିକ,ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮