Odiapua.com

ଜଙ୍ଘିରା ବନବିଭାଗ ଅଧିନସ୍ଥ ବଡଚୁଳିଆ ଜଙ୍ଗଲରେ ଛୁଆ ମାଈ ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ହରିଚନ୍ଦନପୁର, ତା ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ବନଖଣ୍ଡ ଜଙ୍ଘିରା ବନବିଭାଗ ଅଧିନସ୍ଥ ପିଠାଗୋଳା ଗ୍ରାମ ପଞ୍ଚାୟତ ଟାଙ୍ଗରବାହାଳୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଛୁଆ ମାଈ ହାତୀର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ଖବର ଅନୁଯାୟୀ ଦେଓବନ୍ଧ ବନବିଭାଗ ଅଧିନସ୍ଥ ବାରବାଙ୍କ ଜଙ୍ଗଲ ସୀମାନ୍ତ ବଡଚୁଳିଆ ଜଙ୍ଗଲ ମଧ୍ୟରେ କୌଣସି କାରଣରୁ ୨ରୁ ୩ବର୍ଷର ଏକ ମାଈ ହାତୀ ଛୁଆର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଉକ୍ତ ଜଙ୍ଗଲ ମଧ୍ୟରେ ଗତ ଦୁଇଦିନ ହେବ ଦୁଇଟି ଛୁଆ ହାତୀ ସହ ଦୁଇଟି ବଡ଼ ହାତୀ ରହିଥିବା ଦେଓବନ୍ଧ ବନବିଭାଗ ଖବର ପାଇ ଜଙ୍ଘିରା ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ଉକ୍ତ ହାତୀଙ୍କ ଗତିପଥ ଜାଣିବା ପାଇଁ ଜଙ୍ଘିରା ବନବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିଲା । ଆଜି ସକାଳ ସମୟରେ ଟାଙ୍ଗରବାହାଳୀ ଗ୍ରାମବାସୀ ଗ୍ରାମ ନିକଟସ୍ଥ ବଡଚୁଳିଆ ଜଙ୍ଗଲ ମଧ୍ୟକୁ ଛତୁ ପାଇଁ ଯାଇଥିବା ବେଳେ ଏକ ଛୁଆ ହାତୀର ମୃତଦେହ ଦେଖି ଜଙ୍ଘିରା ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ ‌। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସତ୍ୟତା ଜାଣିବା ପରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସହ ବ୍ୟବଚ୍ଛେଦ ନିମନ୍ତେ ହରିଚନ୍ଦନପୁର ପଶୁ ଚିକିତ୍ସା ଅଧିକାରୀ ଜୀବନ ମୁଣ୍ଡାଙ୍କୁ ଖବର ଦେଇଥିଲେ । ଖବର ପାଇ କେନ୍ଦୁଝର ରେଞ୍ଜର ଓ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ପରେ ମେସିନ୍ ସାହାର୍ଯ୍ୟରେ ଏକ ଗାତ ଖୋଳି ମୃତଦେହକୁ ପୋତାଯାଇଥିବା ଜଣାପଡ଼ିଛି । ପ୍ରାୟତଃ ୨ରୁ ୩ଦିନ ପୂର୍ବେ ଉକ୍ତ ହାତୀ ଛୁଆର ମୃତ୍ୟୁ ଘଟିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।