Odiapua.com

ଜଗନ୍ନାଥ ଧାମର ବିକାଶ ସଂପର୍କରେ ମୁଖ୍ୟମନ୍ତ୍ରୀ ଓ ଗଜପତିଙ୍କ ଆଲୋଚନା

ଭୁବନେଶ୍ୱର ୨୯-୩ (ଓଡ଼ିଆ ପୁଅ) ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପୁରୀଧାମ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସଂପର୍କରେ ଏକ ଉପସ୍ଥାପନା କରିଥିଲେ। ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ଚତୁପାର୍ଶୁର ବିକାଶ, ବଡଦାଣ୍ଡର ସୌନ୍ଦର୍ଯ୍ୟକରଣ, ଶ୍ରୀ ଗୁଣ୍ଡିଚା ମନ୍ଦିର, ଜଗନ୍ନାଥ ବଲ୍ଲଭ ମଠ ଓ ଅଠର ନଳାର ବିକାଶ ଓ ସୌନ୍ଦର୍ଯ୍ୟକରଣ ସଂପର୍କରେ ଗଜପତି ମୁଖ୍ୟତଃ ଆଲୋଚନା କରିଥିଲେ।

ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏମାର ମଠ, ଉତ୍ତରପାଶ୍ନ ମଠ ଓ ବାମପାର୍ଶ୍ଵ ମଠର ପୁନରୁଦ୍ଧାର ସହିତ ସେଠାରେ ଜଗନ୍ନାଥ ସଂସ୍କୃତି ଓ ବୈଦିକ ସଂସ୍କୃତିର ପ୍ରଚାର ପ୍ରସାରର ବ୍ୟବସ୍ଥା କରାଯିବା ଉପରେ ଗଜପତି ତାଙ୍କ ଉପସ୍ଥାପନାରେ ଗୁରୁତ୍ବ ଆରୋପ କରିଥିଲେ। ସେହିପରି କେବଳ ରଥଯାତ୍ରା ସମୟରେ ମାସକ ପାଇଁ ବ୍ୟବହାର ହେଉଥିବା ଶ୍ରୀଗୁଣ୍ଡିଚା ମନ୍ଦିରକୁ କିପରି ବର୍ଷ ବ୍ୟାପୀ ଭକ୍ତମାନେ ଯାଇପାରିବେ, ତାକୁ ଦୃଷ୍ଟିରେ ରଖି ସେ ସ୍ଥାନର ବିକାଶ ଉପରେ ମଧ୍ୟ ଗଜପତି ଆଲୋଚନା କରିଥିଲେ। ସହରର ମୁଖ୍ୟ ପ୍ରବେଶ ଦ୍ଵାର ଅଠର ନଳାର ସୌନ୍ଦର୍ଯ୍ୟକରଣ ସହିତ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠରେ ଉଦ୍ୟାନ, ପାର୍କ, ଇଣ୍ଟରପ୍ରିଟେସନ ସେଣ୍ଟର ସହିତ ପର୍ଯ୍ୟଟକ ତଥା ଭକ୍ତ ମାନଙ୍କ ନିମନ୍ତେ ବିଭିନ୍ନ ସୁବିଧା ସୁଯୋଗର ବିକାଶ ସଂପର୍କରେ ଉପସ୍ଥାପନାରେ ଆଲୋଚନା କରାଯାଇଥିଲା।

ଜଗନ୍ନାଥ ଧାମର ବିକାଶ ପାଇଁ ଗଜପତିଙ୍କ ଉପସ୍ଥାପନା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହିତ ପ୍ରସ୍ତାବକୁ ଅନୁଧ୍ୟାନ କରାଯାଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମହେଶ୍ବର ମହାନ୍ତି, ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏବଂ ଆଇନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ।