Odiapua.com

ଛୟାଳସିଂହ ଖଗେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ଆଦର୍ଶ ଶିକ୍ଷକ ପୁରୁଷୋତମ ଦାସଙ୍କ ପରଲୋକ

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛୟାଳସିଂହ ଖଗେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ତଥା ଗଣିଜାଙ୍ଗ ଗ୍ରାମଂଚାୟତ ବିନାୟକପୁର ଗ୍ରାମର ମେଳାପୀ, ଛାତ୍ରବତ୍ସଳ ଓ ଆଦର୍ଶ ଶିକ୍ଷକ ପୁରୁଷୋତମ ଦାସ (୭୭)ଙ୍କର ବୁଧବାର ସାନ୍ଧ୍ୟ ପ୍ରାୟ ୬ ଘଟିକା ସମୟରେ ଅକାଳ ବିୟୋଗ ଘଟିଛି। ତାଙ୍କ ପରଲୋକ ଖବର ପ୍ରକାଶ ପାଇବା ପରେ ଶିକ୍ଷକ ମହଳ, ପ୍ରାକ୍ତନ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଦେହାନ୍ତ ଖବର ପ୍ରସାରିତ ହେବା ପରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ଉପସ୍ଥିତ ହୋଇ ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶବାଧାରାକୁ ଏକ ସୁସଜ୍ଜିତ ଗାଡ଼ିରେ କୀର୍ତନ ମଣ୍ଡଳୀ ସହିତ ଖଗେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସର, ଗଣିଜାଙ୍ଗ ବଜାର, ବିନାୟକପୁର ଗ୍ରାମ ପରିକ୍ରମା ପରେ ଶବଦାହ କରାଯାଇଥିଲା। ପୁତ୍ର ପ୍ରଫୁଲ୍ଲ କୁମାର ଦାସ ମୁଖଗ୍ନି ପ୍ରଦାନ କରିଥିଲେ।ପୁରୁଷୋତମ ସାରେ ଜଣେ କର୍ତବ୍ୟନିଷ୍ଠ, ସରଳ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ପରିଚିତ ଥିଲେ। ନିଜର ଶିକ୍ଷାଦାନ, ଶୃଙ୍ଖଳାବୋଧ ଓ ସ୍ନେହପୂର୍ଣ୍ଣ ବ୍ୟବହାର ମାଧ୍ୟମରେ ସେ ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିବାରେ ତାଙ୍କ ଅବଦାନ ଅତୁଳନୀୟ । ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ସମାଜରେ ବେଶ ସୁନାମ ଅର୍ଜନ କରିଥିଲେ।ତାଙ୍କ ବିୟୋଗରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷାବିତ୍ , ପ୍ରାକ୍ତନ ଛାତ୍ରଛାତ୍ରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।