Odiapua.com

ଛେରା ପହଁରାକୁ ଯଦି ଝାଡ଼ୁ ମାରିବା କହିବେ;ରଥଯାତ୍ରାକୁ ଆଉ ରୋଡ଼-ସୋ କହି ଦେବେନି ତ’?

ଭୁବନେଶ୍ୱର(ଦେବଦତ୍ତ ରଥ): ରଥଯାତ୍ରା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛେରା ପହଁରାକୁ ଝାଡ଼ୁ ମାରିବା/ଓଳେଇବା କହିବାକୁ ନେଇ ବିବାଦ ଆରମ୍ଭ ହୋଇଛି।ତେବେ ପ୍ରଶ୍ନ ଉଠୁଛି କେନ୍ଦ୍ରମନ୍ତ୍ରୀ ଏପରି କହି କେତେଦୂର ଠିକ୍ କରିଛନ୍ତି?
ରଥଯାତ୍ରା ସମୟରେ ଆତ୍ମପ୍ରଚାର ନିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାରା ବିବରଣୀ ଦେଲା ପରି ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଏଥିରେ ଧର୍ମେନ୍ଦ୍ର କହିଥିଲେ ଯେ ଗଜପତି ମହାରାଜ ଆସି ରଥରେ ପହଞ୍ଚିଛନ୍ତି।ଆମ ସମାଜର ବିନମ୍ରତାର ଅନ୍ୟନ୍ୟ ପ୍ରତୀକ ଝାଡ଼ୁ ମାରିବା,ସଫେଇ କରିବା ଯାହାକୁ କି ଆଜି ଆଧୁନିକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତର ଆନ୍ଦୋଳନ କରିଛନ୍ତି।ଗଜପତି ଆସିଛନ୍ତି ଝାଡ଼ୁ ମାରିବା ପାଇଁ,ଓଳେଇବା ପାଇଁ।ସେଥିପାଇଁ ତାଙ୍କୁ କେବେ ଝାଡ଼ୁଦାର କୁହାଯାଇଥିଲା।୩ଟି ରଥକୁ ଆଦରଣୀୟ ଗଜପତି ମହାରାଜ ଗୋଟିଏ ପରେ ଗୋଟିଏ ଓଳେଇ ସାରିବା ପରେ ନଅରକୁ ଫେରିଯିବେ।ଏହାପରେ ସେ ସିଧା ରାଜ୍ୟ ରାଜ୍ୟସଭାକୁ ମନୋନୀତ ହୋଇଥିବା ରଘୁନାଥ ମହାପାତ୍ର ଏବଂ ସୋନାଲ ମାନସିଂଙ୍କୁ ନେଇ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ।
ତେବେ ଧର୍ମେନ୍ଦ୍ରଙ୍କର ଏପରି କଥାକୁ ନେଇ ବିରୋଧୀ ବିଶେଷ କରି ଶାସକ ବିଜେଡି ପ୍ରଶ୍ନ ଉଠାଇଛି।ଛେରା ପହଁରାକୁ ଝାଡ଼ୁ ମାରିବା,ସଫେଇ କରିବା କହି ସେ ଜଗନ୍ନାଥ ସଂସ୍କୃତିର ଅପମାନ କରିଛନ୍ତି।ଏହା ସହିତ ମୋଦୀଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ଯୋଡ଼ି ଧର୍ମେନ୍ଦ୍ର ରଥଯାତ୍ରାକୁ ନେଇ ରାଜନୀତି କରିଛନ୍ତି ବୋଲି ବିଜେଡି ଅଭିଯୋଗ କରୁଛି।
ବ୍ରହ୍ମ ବିଭ୍ରାଟ ସମେତ ବିଭିର୍ଣ୍ଣ ନୀତିରେ ବିଭ୍ରାଟ,ରତ୍ନ ଭଣ୍ଡାର ଚାବି ହଜିବା ଠାରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ଗୁରୁତ୍ୱ ନଦେବା ଆଦି ଘଟଣାରେ ସମାଲୋଚିତ ହେଉଥିବା ଶାସକ ବିଜେଡି ଯେ ଜଗନ୍ନାଥ ସଂସ୍କୃତି ନେଇ କେତେ ଚିନ୍ତିତ ଏବଂ ଛେରା ପହଁରାକୁ ଧର୍ମେନ୍ଦ୍ର ଝାଡ଼ୁ ମାରିବା କହିବା ନେଇ ବାସ୍ତବରେ କେତେ ବ୍ୟଥିତ ନାଁ ରାଜନୀତି ପାଇଁ କେବଳ ଏପରି ଅଭିଯୋଗ ତାହା ସନ୍ଦେହ ସୃଷ୍ଟି କରୁଛି।କିନ୍ତୁ ଧର୍ମେନ୍ଦ୍ରଙ୍କର ଏପରି କହିବା କେତେଦୂର ଠିକ୍ ହୋଇଛି?ଧର୍ମେନ୍ଦ୍ର ସେହି ଭିଡିଓଟିରେ ଥରେ ହେଲେ ବି “ଛେରା ପହଁରା” ବୋଲି ନକହି ବାରମ୍ବାର ଝାଡ଼ୁ ମାରିବା,ଓଳେଇବା,ସଫେଇ କରିବା ଆଦି ଶବ୍ଦ ବ୍ୟବହାର କରି ସିଧା ମୋଦୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ କଥା ଉଠାଇଛନ୍ତି।ଏବଂ ଏହାକୁ ନେଇ ବିବାଦ ଉପୁଜିବା ପରେ କାଞ୍ଚି ରାଜା ଏପରି କହିଥିଲେ ବୋଲି କୁହାଯାଉଛି।କାଞ୍ଚି ରାଜା ତ’ ଓଡ଼ିଶାର ନଥିଲେ।ତେଣୁ ସେ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ବିଷୟରେ ଜାଣି ନପାରି ଝାଡ଼ୁ ମାରିବା କଥା କହିଥିଲେ।ଏବଂ ସେଥିପାଇଁ ତ’ ଯୁଦ୍ଧ ହୋଇଥିଲା।କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ତ’ ଓଡ଼ିଆ ପୁଅ।ସେ କ’ଣ ଆଉ ବିହାର ପରେ ମଧ୍ୟ ପ୍ରଦେଶ ଦୁଇ ଦୁଇ ଥର ବାହାର ରାଜ୍ୟରୁ ରାଜ୍ୟସଭାକୁ ଯିବା ପରେ ଓଡ଼ିଆ ତଥା ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଭୁଲି ଗଲେ ନାଁ କ’ଣ?ବିଜେପି ଭିତରେ ମଧ୍ୟ ଅନେକ ଧର୍ମେନ୍ଦ୍ରଙ୍କର ଏପରି ମନ୍ତବ୍ୟକୁ ପସନ୍ଦ କରୁ ନାହାଁନ୍ତି।ଯଦି ଏହିପରି ସମାନ କଥା ଆଜି ବିଜେପିର ଆଉ କୌଣସି ନେତା କହି ଥାଆନ୍ତେ,ତେବେ କ’ଣ ଯେ ହେଇଥାଆନ୍ତା।କିନ୍ତୁ ଯେହେତୁ ସେ ଧର୍ମେନ୍ଦ୍ର,କେହି କିଛି କହି ପାରୁ ନାହାଁନ୍ତି।ଏଠି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ,ପରି ନୀତି ହେଉଛି।
ସଂସ୍କୃତି ଏବଂ ପରମ୍ପରା ଭିତରେ ସମାନ କାର୍ଯ୍ୟ ହେଲେ ମଧ୍ୟ କିଛିଟା ସ୍ୱତନ୍ତ୍ର ଶବ୍ଦ ବ୍ୟବହାର କରାଯାଇଥାଏ।ଯେପରି ସେହି ଝାଡ଼ୁ ମାରିବାକୁ ଛେରା ପହଁରା କୁହାଯାଇଥାଏ।ଭାତ/ଅନ୍ନକୁ ପ୍ରସାଦ,ମହାପ୍ରସାଦ/ଅଭଡ଼ା କୁହାଯାଇଥାଏ।ଅଭଡ଼ା/ମହାପ୍ରସାଦ ଖାଇଲଣି ନୁହଁ,ପାଇଲଣି ବୋଲି କୁହାଯାଇ ଥାଏ।ସେଠି ଆଉ ପାଇବା ଯାହା ଖାଇବା ସେୟା କହିଲେ ହେବନି।ଏ ରାଜନେତା ଛେରା ପହଁରାକୁ ଯଦି ଝାଡ଼ୁ ମାରିବା କହିବେ ତେବେ ରଥଯାତ୍ରାକୁ ଆଉ ରୋଡ଼ ସୋ କହିଦେବେନି ତ’?