Odiapua.com

ଛାତ ଉପରୁ ନିଶାଡି ପାଗଳ ଯୁବକ  ଉଦ୍ଧାର

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୬-ଅନେକ ସମୟରେ ନିଶାଡି ଯୁବକମାନେ ନିଶା ଦ୍ରବ୍ୟ ନ ପାଇ ପାଗଳ ଭଳି ଉନ୍ମତ କାଣ୍ଡ କରିଥାନ୍ତି । ସବୁଠୁ ଅଲଗା କଥା ହେଉଛି ନିଶାଡି ପ୍ରେମ ପାଗଳ । ଯେଉଁମାନେକି ନିଶା ନ ପାଇ ପ୍ରେମରେ ଅସଫଳ ହୋଇ ଉନ୍ମତ କାଣ୍ଡ ଘଟାଇଥାନ୍ତି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ଗୋପାଳପୁର ଭୋଳସାହିରେ । ପଣ୍ଡୁସର ଗ୍ରାମର ଜଣେ ନିଶାଡି ପ୍ରେମପାଗଳ ଯୁବକ ଗୋପାଳପୁର ନିଜ ମାମୁଁ ଘରକୁ ଆସିଥିଲା । ଜୁନ୍ ୭ ତାରିଖ ଭୋର ସମୟରେ ଭୋଳସାହି ନିକଟ କୋଠଘର ସିଡି ବିହୀନ ଲଣ୍ଡା ଛାତ ଉପରେ ଚଢିଯାଇ ଉନ୍ମତ କାଣ୍ଡ ଘଟାଇବାରେ ଲାଗିଥିଲା । ଲୋକମାନଙ୍କୁ ଗାଳି ଗୁଲଜ କରିବା ସହ ନିଜର ପ୍ରେମ କାହାଣୀ ବଖାଣି ଆତ୍ମ ହତ୍ୟାର ଧମକ୍ ଦେଉଥିଲା ।

ଦେଖେଣାହାରୀ ମାନେ ଏ ସମ୍ପର୍କେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ଅଧିକାରୀ ସରୋଜ କୁମାର ଦାଶ ସଦଳବଳେ ଘଟଣା ସ୍ଥଳରେ ପହଁଚି ନିରୁପାୟ ଅବସ୍ଥାରେ ରଣପୁର ଥାନାର ସହଯୋଗ ଲୋଡିଥିଲେ । ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କ ନିର୍ଦ୍ଧେଶରେ ସବ୍ ଇନିସପେକ୍ଟର ପ୍ରିତୀ ପ୍ରକାଶ ମହାନ୍ତି ପେଟ୍ରୋଲିଙ୍ଗ ଗାଡି ନେଇ ଘଟଣା ସ୍ଥଳରେ ପହଁଚିଥିଲେ । ଉଭୟ ଆଲୋଚନା ପରେ କଣ କରିବେ କିପରି ଉଦ୍ଧାର କରିବେ ଭାବୁଥିବା ବେଳେ ସ୍ଥାନୀୟ ଯୁବକ ପ୍ରମୋଦ କୁମାର ମହାପାତ୍ର ପ୍ରଥମେ ସାହାସର ସହ ବାଉଁଶ ସିଡି ଦ୍ୱାରା ସେହି ଛାତ ଉପରକୁ ଉଠିଯାଇ ଉନ୍ମତ ଯୁବକ ସଂଗ୍ରାମ କୁମାର ରଂଜିତ୍ ଓରଫ୍ ଇଦିଲି କୁ କାବୁ କରି ନେଇଥିଲେ । ସ୍ଥାନୀୟ ଅନ୍ୟ ଯୁବକମାନେ ସଙ୍ଗେ ସଙ୍ଗେ ଛାତ ଉପରକୁ ଯାଇ ପ୍ରମୋଦ ମହାପାତ୍ରଙ୍କୁ ସହଯୋଗ କରିଥିଲେ । ଏକ ଦଉଡିରେ ହାତ ଗୋଡ ବାନ୍ଧି ଉନ୍ମତ ଯୁବକକୁ ଛାତ ଉପରୁ ତଳକୁ ଆଣିଥିଲେ । ଅଗ୍ନିଶମ ବାହିନୀ ଉନ୍ମତ ଯୁବକକୁ ଡାକ୍ତରି ଚିକିତ୍ସା ପାଇଁ ରଣପୁର ସରକାରୀ ଡାକ୍ତରଖାନାକୁ ଆଣିଥିବା ଜଣା ପଡିଛି । ଘଟଣାଟି ରଣପୁର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି ।