Odiapua.com

ଛାତ୍ର କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ବାଲେଶ୍ୱର, ୨ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍‌କୁ ବିରୋଧ ସହ ସ୍କୁଲ କଲେଜ୍ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ଫି’ଛାଡ଼ ଓ ଦେଶର ଯୁବଗୋଷ୍ଠୀଙ୍କ ନିଯୁକ୍ତି ଦାବି ନେଇ ବାଲେଶ୍ୱର ଜିଲ୍ଳା ଛାତ୍ର କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ମିଶନ ସ୍କୁଲ ପଡ଼ିଆରୁ ବାହାରି ସହରର ଫକୀର ମୋହନ ଗୋଲେଇ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ରୋସନ ଲାଲ ବିଟୁ, ପଶ୍ଚିମବଙ୍ଗ ଛାତ୍ର କଂଗ୍ରେସ ସଭାପତି ସୌରଭ ପ୍ରସାଦ ଯୋଗଦେଇ ସରକାରଙ୍କ ବିଭିନ୍ନ ନୀତିକୁ କଡ଼ା ସମାଲୋଚନା କରିଥିଲେ। ବିଶେଷ କରି କରୋନା କଟକଣା ଯୋଗୁଁ ଏବେ ସ୍କୁଲ କଲେଜ୍ ବନ୍ଦ ରହିଭା ସହ ଭର୍ଚୁଆଲ ମୋଡ଼୍‌ରେ କାଁଭାଁ ପାଠପଢ଼ା ହେଉଛି। ମାତ୍ର ବହୁ ଘରୋଇ ସ୍କୁଲ କଲେଜ୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କଠାରୁ ଟ୍ୟୁସନ ଫି’, ବସ୍ ପରିବହନ ବାବଦୀୟ ଅର୍ଥ ଓ ପାର୍କିଂ ଫି’ ଦାବି କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ଫି’ ଛାଡ଼ କରିବା ପାଇଁ ସେମାନେ ଦାବି କରିଛନ୍ତି। ସେହିଭଳି ନୂତନ କଷିଆଇନ୍‌କୁ ରଦ୍ଦ କରିବା, ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆ ନଗଲେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଥିଲେ। ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଗୌତମ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ଜିଲ୍ଲା ସଭାପତି ରଂଜନ ଦାସ, ଦେବବ୍ରତ ଦାସ, ଜୀବନ ମହାପାତ୍ର, ସୌରଭ ବେହେରା, ନୀଳଗିରିର ଯୁବନେତା ସନ୍ତୋଷ ମହାପାତ୍ର, ନବ ପ୍ରସାଦ ଭୂୟାଁ, ରାଧାକାନ୍ତ ସାହୁ, ଶଶାଙ୍କ ଶେଖର ପାଢ଼ୀ, ସତ୍ୟଜିତ୍ ପାତ୍ର, ଜ୍ୟୋତିରଂଜନ ସାହୁ, ମନୋଜ ମହାନ୍ତି, ପ୍ରବୀର ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ।