Odiapua.com

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ନିଲମ୍ବିତ

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଳକ ଅନ୍ତର୍ଗତ ପାଳସାହି ପଂଚାୟତର ପାଳସାହି ଜେନାସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ କୁମାର ମହାନ୍ତି ଉକ୍ତ ବିଦ୍ୟାଳୟର ଜଣେ ୫ମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବ୍ଲକ ଶିକ୍ଷାଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଥାଉକି ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତି ବିଭିନ୍ନ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସିବା ସହ ଛାତ୍ର ଛାତ୍ରୀଙ୍କୁ ଗାଳିଗୁଲଜ କରିବା, ଅଧିକାଂଶ ସମୟରେ ବିଦ୍ୟାଳୟରେ ନରହିବା ଇତ୍ୟାଦି ଘଟଣାକୁ ନେଇ ଗ୍ରାମବାସୀ ମାସେ ବାରମ୍ବାର ଶିକ୍ଷା ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା। ତେବେ ନିକଟରେ ଶ୍ରୀ ମହାନ୍ତି ବିଦ୍ୟାଳୟର ଦୈନିକା ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିଥିଲେ। ଏନେଇ ଛାତ୍ରୀ ଜଣକ ତାଙ୍କ ପରିବାର ଲୋକଙ୍କୁ କହିବା ପରେ ବିଦ୍ୟାଳୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ସିଆରସିିସି ପ୍ରଦୀପ କୁମାର ଦାସ ପହଂଚି ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଏ ଦୀଗରେ ଅତିରିକ୍ତ ଶିକ୍ଷାଧିକାରୀ ଭୀମସେନ ହୋ ଘଟଣାର ତଦନ୍ତ କରି ବ୍ଲକ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିଥିଲେ। ଶ୍ରୀ ଜେନା ଏ ସମ୍ପର୍କରେ ଜିଲ୍ଳାପାଳ ଓ ଜିଲ୍ଳା ଶିକ୍ଷାଧିକାରୀଙ୍କ ନିକଟରେ ଅବଗତ କରାଇବା ପରେ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିଠି ନଂ ୨୩୨୫/୨୨ରେ ଶିକ୍ଷାଧିକାରୀ ଶ୍ରୀ ଜେନା ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତିଙ୍କୁ ନିଲମ୍ବିତ କରିଛନ୍ତି। ତେବେ ନିଲମ୍ବିତ ଆଦେଶ ପ୍ରତ୍ୟାହାର ପର୍ଯ୍ୟନ୍ତ ଶ୍ରୀ ମହାନ୍ତିଙ୍କୁ ଧୂଷୁରୀ ନୋଡ଼ାଲ ହାଇସ୍କୁଲରେ ଅବସ୍ଥାପିତ କରାଯାଇଥିବା ଶିକ୍ଷାଧିକାରୀ ଶ୍ରୀ ଜେନା ସୂଚନା ଦେଇଥିଲେ।