Odiapua.com

ଛାତ୍ରୀଙ୍କୁ ଅନୁଚିତ ବ୍ୟବହାରକୁ ନେଇ ରାସ୍ତାରୋକ,ବିଦ୍ୟାଳୟରେ ତାଲା, ପ୍ରଧାନଶିକ୍ଷକ ଗୁରୁତର

ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛାତ୍ରୀଙ୍କୁ ଅନୁଚିତ ବ୍ୟବହାରକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଧାମରା- ବାସୁଦେବପୁର ରାସ୍ତାରୋକ କରିବା ସହିତ ଲୋକଙ୍କ ମାଡରେ ପ୍ରଧାନଶିକ୍ଷକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜାଣିବାକୁ ମିଳିଛି । ଏମିତି ଘଟଣା ନାଇକାଣିଡିହ ଥାନା ଅଧିନ କିସ୍ମତ କୃଷ୍ଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୋଲି ଜାଣିବାକୁ ମିଳିଛି । ଗତ ଫେବୃୟାରୀ ୨୮ ତାରିଖ ଶନିବାର ଦିନ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ବିଦ୍ୟାଳୟର ଶିକ୍ଷକ ଗୌତମ ସାହୁ ଅନୁଚିତ ବ୍ୟବହାର କରିବାକୁ ନେଇ ନିକଟସ୍ଥ ଥାନାରେ ଅଭିଭାବକମାନେ ମିଳିତ ଭାବରେ ଅଭିଯୋଗ କରିଥିଲେ । ଏଥି ସହିତ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଇଥିଲେ ବୋଲି ଶୁଣିବାକୁ ମିଳୁଛି । ଏହି ଘଟଣାର ପ୍ରତିବାଦରେ ଆଜି ଅଭିଭାବକ ଓ ଗ୍ରାମବାସୀମାନେ ମିଳିତ ଭାବରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଏଥି ସହିତ ପ୍ରଧାନଶିକ୍ଷକଙ୍କୁ ମାଡମାରିଥିଲେ । ଖବରପାଇ ନାଇକାଣିଡିହ ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରଧାନଶିକ୍ଷକ ଅବିନାଶ ପ୍ରଧାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାକୁ ଆଣିଥିଲେ । ପରେ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଥାନାଧିକାରୀ ଉମାଶଙ୍କର ନାୟକ ଜଣାଇଛନ୍ତି । ସକାଳ ଦଶଟା ଠାରୁ ରାସ୍ତାର ଉଭୟ ଦିଗରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ଦିର୍ଘ ଛଅଘଂଟା ଧରି ଏପରି ଅବସ୍ଥା ଲାଗିରହିଥିଲା । ଶିକ୍ଷକଙ୍କ ନିଲମ୍ବନ ପାଇଁ ଗ୍ରାମବାସୀ ଓ ଅଭିଭାବକମାନେ ଅଡି ବସିଥିଲେ । ଏନେଇ ବ୍ଲକ ଶିକ୍ଷାଧିକାରିଣୀ ମଧୁସ୍ମିତା ଗିରି କୁହନ୍ତି, ଆଜି ଗୈାତମ ସାହୁ ନାମକ ଶିକ୍ଷକ ଅନୁପସ୍ଥିତ ଅଛନ୍ତି । ଘଟଣାର ନୀରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ସର୍ବଶେଷ ସୂଚନାରୁ ଯାହା ଜଣାଯାଇଛି ଏହି ଘଟଣାରେ ଶିକ୍ଷକ ଗୌତମ ସାହୁଙ୍କୁ ନିଲମ୍ବନ କରାଯାଇଛି।