Odiapua.com

ଛତିଶଗଡ ରାଜ୍ୟରେ ଓଡିଆ ଭାଷାକୁ ଦ୍ୱିତୀୟ ରାଜଭାଷା କରିବା ପାଇଁ ନିରଞ୍ଜନ ପଟ୍ଟନାୟକଙ୍କ ଦାବି

ଭୁବନେଶ୍ୱର ୨୨.୩ (ଓଡ଼ିଆ ପୁଅ) – ଛତିଶଗଡ ରାଜ୍ୟରେ ଓଡିଆ ଭାଷାକୁ, ଦ୍ୱିତୀୟ ରାଜଭାଷା ଭାବେ ଗ୍ରହଣ କରିବା ପାଇଁ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସ ପକ୍ଷରୁ ଦୀର୍ଘ ଦିନ ଧରି ହୋଇ ଆସୁଥିବା ଦାବିକୁ, ସମର୍ଥନ କରି ପ୍ରଦେଶ କଂଗ୍ରେସ କମିଟି ସଭାପତି, ନିରଞ୍ଜନ ପଟ୍ଟନାୟକ ଏକ ବ୍ୟକ୍ତିଗତ ପତ୍ରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଲେଖିଛନ୍ତି ଯେ, ଛତିଶଗଡ ରାଜ୍ୟରେ ଏକ କୋଟିରୁ ଅଧିକ ରାଜ୍ୟବାସୀଙ୍କର ମାତୃଭାଷା ଓଡିଆ ଓ ଛତିଶଗଡ ସରକାର ମଧ୍ୟ ପୂର୍ବ ଦାବି ମତେ ବିଦ୍ୟାଳୟମାନଙ୍କରେ ଓଡିଆ ଭାଷାକୁ ପଢାଇବାର ବ୍ୟବସ୍ଥା କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଛତିଶଗଡ ହାଇକୋର୍ଟରେ ମଧ୍ୟ ରାଜ୍ୟ ସରକାର ଓଡିଆ ଭାଷାକୁ ଓଡିଆ ଭାଷାଭାଷୀମାନେ ଯେପରି ପଢି ପାରିବେ ସେଥିପାଇଁ ଆଦେଶ ଦେଇଛନ୍ତି। ଯାହାକୁ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ମାନ୍ୟବର ହାଇକୋର୍ଟଙ୍କ ନିକଟରେ ସମ୍ମତି ଦେଇଛନ୍ତି। ଝାଡଖଣ୍ଡ ରାଜ୍ୟ ଭଳି ଛତିଶଗଡରେ ଓଡିଆ ଭାଷାକୁ ଦ୍ୱିତୀୟ ରାଜଭାଷା ଭାବେ ଘୋଷଣା କରିବାକୁ ଶ୍ରୀ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲଙ୍କୁ ଅନୁରୋଧ କରିଛନ୍ତି। ବିଚ୍ଛିନ୍ନାଚଂଳରେ ଓଡିଆ ଭାଷା ପାଇଁ କାର୍ଯ୍ୟ କରୁଥିବା ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସ ଓ ଏହାର କର୍ମକର୍ତା ପର୍ଶୁରାମ ଦ୍ୱିବେଦୀ, ସୀତାବଲ୍ଲଭ ମହାପାତ୍ର, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ରାମନାରାୟଣ ମିଶ୍ର ପ୍ରମୁଖଙ୍କୁ ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି।