Odiapua.com

ଚୋରି ହୋଇଥିବା ବାଇକ ଉଦ୍ଧାର, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ବଡ଼ବିଲ, ତା ୨୬ ଜୁନ (ଓଡ଼ିଆ ପୁଅ/ସୀତାରାମ ଦିକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ରାସ୍ତାରୁ ଗତ ସୋମବାର ଚୋରି ହୋଇଥିବା ବାଇକକୁ ପୋଲିସ ଉଦ୍ଧାର କରି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ କରିଥିବାର ଜଣାପଡିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବଡ଼ବିଲ ପୌରାଞ୍ଚଳ ୪ ନଂ ଓ୍ବାର୍ଡ ଡେଲି ମାର୍କେଟ ଅଞ୍ଚଳର ଏମଡି ଆଦିଲ ଓ ଏମଡି ତୋହସିନ ଆଲମ ବୋଲି ଜଣାପଡ଼ିଛି। ମିଳିଥିବା ଖବର ଅନୁଯାୟୀ, ଗଙ୍ଗାଧର ଦାସ ନାମକ ଜଣେ ବ୍ୟକ୍ତି ସୋମବାର ରେଲୱେ ଷ୍ଟେସନ୍ ସମ୍ମୁଖରେ (ଓଆର ୦୯ ଏଲ ୭୬୦୯) ନମ୍ବର ବିଶିଷ୍ଟ ବାଇକଟିକୁ ରଖି କିଛି କୌଣସି କାମରେ ଯାଇଥିଲେ। ସେଠାରୁ କିଛି ସମୟ ପରେ ଆସି ବାଇକ୍‌ଟିକୁ ରଖିଥିବା ସ୍ଥାନରେ ପାଇ ନଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ ଏ ନେଇ ଗଙ୍ଗାଧର ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ ନଂ ୧୩/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସଆଇ ସିଲୁ ମଲ୍ଲିକ ଘଟଣାର ତଦନ୍ତ ଭାର ନେଇ ବାଇକଟିକୁ ଉଦ୍ଧାର କରିବା ସହ ଘଟଣାର ଦୁଇ ସଂପୃକ୍ତ ଅଭିଯୁକ୍ତ ଆଦିଲ ଓ ତୋହସିନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଆଇଆଇସି ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।