Odiapua.com

ଚୋରି ଅଭିଯୋଗ ପରେ ଅପହରଣ ଅଭିଯୋଗ

ଯାଜପୁର ୭ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରଇ ଥାନାରେ ଦୁଇଟି ମାମଲା ରୁଜ୍ଜୁ ହୋଇଛି। ଗୋଟିଏ ପଟେ ଚୋରି ଅଭିଯୋଗର ପାଲଟା ଭାବେ ଅପହରଣ ଅଭିଯୋଗ କରାଯାଇଛି। ପୁଲିସ ଦୁଇଟି ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି। ବରୁଣ୍ଡାଇ ଗ୍ରାମର ସେକ ନାଜିରଙ୍କ ସ୍ତ୍ରୀ ରେସମି ବିବି ଅଭିଯୋଗ ମୁତାବକ ମକୁନ୍ଦପୁର ଗ୍ରାମର ଦାଶରଥି ବେହେରାଙ୍କ ପୁଅ ନିର ଯେକି ବରୁଣ୍ଡାଇରେ ରୁହେ ସେ ତାଙ୍କ ଘରୁ ଚୋରି କରିଥିବାର ଅଭିଯୋଗ କରିଛନ୍ତି। ନଗଦ ୫ ହଜାର ଟଙ୍କା, ସୁନାମୁଦି, ରୂପା ପାଉଁଜି, ମଙ୍ଗଳସୂତ୍ର, କାନଫୁଲ, ଲୁଗାପଟା, ସାଇକେଲ, ୩ଟି ମାଛଧରା ଜାଲ ଓ ୫ଟା କୁକୁଡା ଚୋରି କରିଥିବାର ଅଭିଯୋଗ କରିଛନ୍ତି। ପୁଲି ଏକ ମାମଲା ୨୪୪/୧୯ ରୁଜ୍ଜୁ କରିଛି। ଅପରପକ୍ଷେ ମକୁନ୍ଦପୁର ଗ୍ରାମର ନିରଂଜନ ନାୟକଙ୍କ ସ୍ତ୍ରୀ ଜ୍ୟୋତ୍ସାରାଣୀଙ୍କ ଅଭିଯୋଗ ମୁତାବକ ବରୁଣ୍ଡାଇ ଗ୍ରାମର ସେକ ମନାନଙ୍କ ପୁଅ ସେକବୋରାନ, ସେକ ରାଜା ଓ ସେକ ଅଲ୍ଲାରଖା ମକୁନ୍ଦପୁର ଗ୍ରାମକୁ ଆସି ନିରଂଜନକୁ ମାଡମାରି ତାକୁ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ଅପହରଣ କରିନେଇଛନ୍ତି। ଏନେଇ ପୁଲିସ ଏକ ମାମଲା ୨୪୫/୧୯ ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।