Odiapua.com

ଚୋରା ମଦ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି ବେଗୁନିଆପଡ଼ା। ଅବକାରୀ ବିଭାଗର ହାତ ଖାଲି। ୩ ମାସ ମଧ୍ୟରେ ଫାଣ୍ଡିରେ ରୁଜୁ ହେଲାଣି ୩୧ ମାମଲା।

କୋଦଳା : ୨୩/୦୬ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ ) ଗଂଜାମ ଜିଲ୍ଲାରେ ସବୁଠାରୁ ଅଧିକ ମଦ କାରବାର ଚାଲୁଥିବା କିଛି ଦିନ ତଳେ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ତେବେ ଗତ ଶୁକ୍ରବାର ଦିନ ବେଗୁନିଆପଡ଼ା ଫାଣ୍ଡି ଅଧିନ ସୁମଣ୍ଡଳ ରୁ ବେଆଇନ ବିଦେଶୀ ମଦ କାରବାର ସମ୍ପର୍କିରେ ଖବର ପାଇ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଚଢାଉ କରି ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁମଣ୍ଡଳର ତପନ କୁମାର ବିଶ୍ବାଳ, ପି – ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ଏବଂ ୧ ପେଟି ଅଫିସର ଚଏସ୍ ବ୍ଲୁ ହୁସ୍କୀ ୪୮ ଟି, ୧ ପେଟି ମ୍ଯାଗଡଲ୍ ନଂ ୧ ହୁସ୍କୀ ୪୮ ଟି ଓ ୨୦ଟି କିଗଂ ଫିସର୍ ବିଅର ଜବତ କରାଯାଇଛି। ଏନେଇ ୧୫୨/୧୯ ନମ୍ବର ରେ ମାମଲା ରୁଜୁ ହୋଇଥିଲା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅବକାରୀ ଆଇନ୍ ୫୨/ଏ ଦଫା ଲାଗିଛି। ପୂର୍ବରୁ ସଂପୃକ୍ତ ଅଭିଯୁକ୍ତଙ୍କ ନାମରେ ବେଆଇନ ବିଦେଶୀ ମଦ କାରବାର ପାଇଁ ଅବକାରୀ ବିଭାଗ ପକ୍ଷରୁ ୩ଟି ଓ ଥାନାରେ ମଧ୍ଯ ଗୋଟିଏ କେଶ୍ ଥିବା ଜଣାପଡ଼ିଛି। ସୁମଣ୍ଡଳ, ଅଗାଁରଗାଁ ପ୍ରଭୃତି ଇଲାକାରେ ଏବେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢାଉ କରାଯାଉଥିଲେ ମଧ୍ୟ ବେଫିକର ଚୋରା କାରବାର କିପରି ଚାଲୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ଯ ପକ୍ଷରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଭାବେ ଗତ ୧ ମାର୍ଚ୍ଚରେ ଦିପ୍ତି ରଂଜନ ବେହେରା ଦାୟିତ୍ବ ଗ୍ରହଣ କରିବା ପରେ ଚୋରା ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି। ଗତ ୩ ମାସ ମଧ୍ୟରେ ମୋଟ ୩୧ଟି ମଦ କାରବାର ଜନିତ କେଶ୍ ହୋଇଥିବା ଏବଂ ୬ ଟି ବାଇକ୍, ଗୋଟିଏ ଅଟୋକୁ ମଧ୍ୟ ମଦ ଚାଲାଣରେ ସଂପୃକ୍ତ ଥିବା ନେଇ ସିଜ୍ କରାଯାଇଛି। ତେବେ ପୋଲିସ ମଦ କାରବାର ବନ୍ଦ ପାଇଁ ସକ୍ରିୟ ହେଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ କାହିଁକି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ ତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅବକାରୀ ବିଭାଗ ଓ ଚୋରା ମଦ ମାଫିଆଙ୍କ ମଧୁଚନ୍ଦ୍ରିକା କଥା ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ହେଉଛି। ଆଗକୁ ଦୃଢ଼ ପଦକ୍ଷେପ ନ ନେଲେ ଅଞ୍ଚଳରେ ବିଷାକ୍ତ ମଦ ଯୋଗୁ ବହୁ ଲୋକଙ୍କ ଜୀବନ ହାନି ହେବାର ସମ୍ଭାବନା ଥିବା କୁହାଯାଉଛି।