ଭଦ୍ରକ, ୧୯ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ ଗୋରାମାଟି ପଞ୍ଚାୟତରେ ଚାଲିଥିବା ଚୋରା ଦେଶୀ ଓ ରନ୍ଧା ମଦ କାରବାର ବନ୍ଦ କରିବାକୁ ପ୍ରଗତିଶୀଳ ମହିଳା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏ ନେଇ ମହିଳା ମଞ୍ଚର ଟୁନିଲତା ଜେନା, ପ୍ରଭାତୀ ଜେନା, ପୂର୍ଣ୍ଣିମା ଜେନା, ଧରଣୀ ଜେନା, ଅବନ୍ତୀ ଜେନା, ମିନି ଜେନା, ଲୀଳାବତୀ ଜେନା, ସବିତା ଜେନା, ମମତା ଜେନା, ତପସ୍ୱିନୀ ଜେନା, ସନାତନ ଜେନା, ସୁଶାନ୍ତ ଜେନା, ବିଶ୍ୱନାଥ ଜେନା, କାଳନ୍ଦୀ ଜେନା ପ୍ରମୁଖ କର୍ମକର୍ତ୍ତା ଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକ, ଜିଲା ଅବକାରୀ ଅଧୀକ୍ଷକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ସାବରଙ୍ଗ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତେବେ ସମ୍ପୃକ୍ତ ଅଞ୍ଚଳରୁ ଚୋରା ଦେଶୀ ମଦ ବିକ୍ରି ଓ ରନ୍ଧା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ଗୋରାମାଟି ପଞ୍ଚାୟତର ବିଭିନ୍ନ ଗ୍ରାମର ଥିବା ତେଜରାତି ଦୋକାନ ଓ ପାନ ଦୋକାନରେ ବହୁଳ ଭାବରେ ଦେଶୀ ଚୋରା ମଦ ବିକ୍ରି କରାଯାଉଛି । ଏଥି ସହ ବିଭିନ୍ନ ସ୍ଥାନରେ ମଧ୍ୟ ମଦ ରନ୍ଧା ଯାଇ ଅନ୍ୟସ୍ଥାନକୁ ପଠା ଯାଉଛି । ଏହାର ପ୍ରଭାବରରେ ସ୍ଥାନୀୟ ଅଞ୍ଚଳର ବହୁ ଗରିବ ଓ ଦିନମଜୁରିଆମାନେ ପ୍ରଭାବିତ ହୋଇ ବିଭିନ୍ନ ରୋଗରେ ପଡ଼ିବା ସହ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । ଫଳରେ ପାରିବାରିକ ଅଶାନ୍ତି ସୃଷ୍ଟି ହେବା ସହ ଅସାମାଜିକ କାର୍ଯ୍ୟ ମଧ୍ୟ ବଢ଼ି ଚାଲିଛି । ଏଥି ସହ ଏହି ଅପମିଶ୍ରିତ ମଦ ଖାଇବା ଲୋକମାନେ ମଧ୍ୟ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଏହି ଚୋରା ମଦ କାରବାରକୁ ବିରୋଧ କରାଯିବାରୁ ଚୋରା ବେପାରୀମାନଙ୍କର ଆକ୍ରୋଶର ଶିକାର ହେବାକୁ ପଡ଼ୁଛି ବୋଲି ଅଭିଯୋଗରେ ଦର୍ଶାଯାଇଛି ।