Odiapua.com

ଚୋରା କ୍ରୋମାଇଟ ଡିପୋରେ ଏସ.ଟି.ଏଫ. ଚଢାଉ, ୩ ଟ୍ରକ, ଜେସିବି ଜବତ, ୬ ଅଟକ

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଡାହାଲା ‘ଓମ ସାଈରାମ’ ଢାବା ପାର୍ଶ୍ୱରେ ବେଆଇନ ଖଣିଜ ପଦାର୍ଥ ଡିପୋରେ ଏସ.ଟି.ଏଫ. ପକ୍ଷରୁ ଚଢାଉ କରାଯାଇଛି। ବୁଧବାର ରାତ୍ର ପ୍ରାୟ ୩ଟା ସମୟରେ ରାଜପଥରେ ଖଣିଜଦ୍ରବ୍ୟ ପରିବହନକାରୀ ୩ଟି ଟ୍ରକରୁ ସଂପୃକ୍ତ ଡିପୋରେ ବେଆଇନ ଭାବେ ଖଣିଜଦ୍ରବ୍ୟ ଜେ.ସି.ବି ସହାୟତାରେ ଖଲାସ କରୁଥିବା ବେଳେ ଏସ.ଟି.ଏଫ. ପକ୍ଷରୁ ଚଢାଉ କରାଯାଇଥିଲା। ଡିପୋରୁ ବିପୁଳ ପରିମାଣର ଚୋରା ଖଣିଜ ପଦାର୍ଥ ଜବତ କରାଯାଇଥିଲା। ଅନ୍ଧାର ର ସୁଯୋଗ ନେଇ ଜଣେ ସ୍ଥାନୀୟ ଚୋରା ବେପାରୀ ଖସିଯାଇଥିବା ବେଳେ ଭଣ୍ଡାରିପୋଖରୀ ର ଜନୈକ ପୂର୍ବତନ ସରପଞ୍ଚବୁଲେଟ ସହ ଧରାପଡିଥିଲା। ଖଣିଜପଦାର୍ଥ ଖଲାସ କରୁଥିବା ୩ ଟ୍ରକର ୫ ଜଣ ଚାଳକ ଓ ହେଲପର ସମତେ ମୋଟ ୬ ଜଣଙ୍କୁ ଏସ.ଟି.ଏଫ. ଅଟକ ରଖିଛି। ବାଲେଶ୍ୱରରୁ ଖଣି ବିଭାଗ କର୍ମଚାରୀମାନେ ଚୋରା ଖଣିଜ ଦ୍ରବ୍ୟର ପରିମାଣ ଓ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଜଣାଯାଇଛି। ସ୍ଥାନୀୟ ପୁଲିସ ଏ ସମ୍ପର୍କରେ କୌଣସି ସୂଚନା ଦେଇପାରିନଥିବା ବେଳେ ଏସ.ଟି.ଏଫ. ଡି.ଏସ.ପି. ମାମଲା ଚୁଡାନ୍ତ ହେବା ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।