Odiapua.com

ଚୋରା କୋଇଲା ବୋଝେଇ ୨ଟି ପିକ୍‌ଅପ ଭ୍ୟାନ ସହ ୧୧୦ ବସ୍ତା କୋଇଲା ଜବତ, ପୁଲିସ ଗାଡ଼ିକୁ ଧକ୍କା ଦେଇ ଖସିଯିବା ଉଦ୍ୟମ ବିଫଳ

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ଗଦି ଓ ଅଲାଳ ଠାରୁ ପୁଲିସ ୨ଟି ଚୋରା କୋଇଲା ବେଝେଇ ପିକ୍‌ଅପ୍ ଭ୍ୟାନ ସହ ୧୧୦ ବସ୍ତା କୋଇଲା ଜବତ କରିଥିବା ଜଣାଯାଇଛି । ପୁଲିସ ଗାଡ଼ିକୁ ଧକ୍କା ଦେଇ ଗୋଟିଏ ପିକ୍‌ଅପ୍ ଭ୍ୟାନ ଖସି ପଳାଇଯିବା ଉଦ୍ୟମ ବିଫଳ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ ଗଦି ଓ ଅଲାଳ ନିକଟରେ ୨ଟି ଗାଡ଼ି ଚୋରା କୋଇଲା ବୋଝେଇ କରି ଯାଉଥିଲା । ଏହି ଖବର ପାଇବା ପରେ ପୀରହାଟ ଥାନା ଅଧିକାରୀ ଗୟାଧର ବେହେରା ସଦଳବଳେ ସେଠାରେ ପହଞ୍ôଚ ଚୋରା କୋଇଲା ବୋଝେଇ ଗାଡ଼ିକୁ ପିଛା କରିଥିଲେ । ମାତ୍ର ଓଡି୨୨ୟୁ୯୯୩୪ ନମ୍ବର କୋଇଲା ବୋଝେଇ ପିକ୍‌ଅପ ଭ୍ୟାନ ପୁଲିସ ଆଖିରେ ଧୂଳି ଦେଇ ଖସିଯିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ ଗାଡ଼ି ସହିତ ଧକ୍କା ହୋଇଥିଲା । ଫଳରେ ପିକ୍‌ଅପ୍ ଭ୍ୟାନଟି ଓଲଟି ପଡ଼ିଥିବା ବେଳେ ପୁଲିସ ଗାଡ଼ିର ଆଗ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ଏହି ଗାଡ଼ି ସହ ଚୋରା କୋଇଲାକୁ ପୁଲିସ ଜବତ କରିଛି । ସେହିପରି ଅନ୍ୟ ଏକ ନମ୍ବର ବିହୀନ ପିକ୍‌ଅପ୍ ଭ୍ୟାନ ଅଲାଳ ନିକଟରେ ଚୋରା କୋଇଲା ବେଝେଇ କରି ଯାଉଥିବା ବେଳେ ପୁଲିସ ଗାଡ଼ି ସହିତ କୋଇଲାକୁ ଜବତ କରିଛି । ତେବେ ପିକ୍‌ଅପ୍ ଭ୍ୟାନ ପୁଲିସ ଗାଡ଼ିକୁ ଧକ୍କା ଦେଇ ପୁଲିସକୁ ମାରି ପଳାଇଯିବା ଉଦ୍ଦେଶ୍ୟ ରଖିଥିଲା । ଅଳ୍ପକେ ପୁଲିସର ଜୀବନ ରକ୍ଷା ହୋଇ ଯାଇଥିଲା । ପୁଲିସ ନିଜ ଜୀବନକୁ ବିପନ୍ନ କରି ଚୋରା କୋଇଲା ଗଡ଼ି ଧରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ପୁଲି ୭୮ ଓ ୭୯/୨୩ରେ ଦୁଇଟି ପୃଥକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ୨ଜଣ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ଜଣାଯାଇଛି ।