Odiapua.com

ଚେକ ବାଉନ୍ସ ମାମଲାରେ ଯୁବକଙ୍କୁ ଜେଲ୍

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚେକ ବାଉନ୍‌ସ ମାମଲାରେ ଜଣେ ଯୁବକଙ୍କୁ ଭଦ୍ରକ ଏସଡିଜେଏମ୍ କୋର୍ଟ ୩ମାସ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ବିବରଣୀରୁ ପ୍ରକାଶ, ଭଦ୍ରକ ଟାଉନ ଥାନା ଅଧୀନ ରମେଶ ଚନ୍ଦ୍ର ଦାସଙ୍କ ପୁଅ ଭବେଶ ଦାସ ବିଶାଣି ଖରିଦା ଗ୍ରାମର ବିଶ୍ୱନାଥ ପଣ୍ଡାଙ୍କ ପୁଅ ସୁରେଶ ପଣ୍ଡାଙ୍କୁ ଏକ ଜରୁରି କାମ ପାଇଁ ଧାର ସୂତ୍ରରେ (୨୦୧୯ ଅଗଷ୍ଟ ମାସରେ) ୭୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହାକୁ ୬ମାସ ମଧ୍ୟରେ ଫେରାଇବାକୁ ଭବେଶଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସୁରେଶ ୬ମାସ ମଧ୍ୟରେ ଏହି ଟଙ୍କା ଫେରାଇ ନଥିଲେ। ଭବେଶ ଟଙ୍କା ଫେରାଇବାକୁ ବାରମ୍ବାର କହିବାରୁ ସୁରେଶ ତାଙ୍କୁ ଏଚଡିଏଫସି ବ୍ୟାଙ୍କର ଏକ ଚେକ୍ ପ୍ରଦାନ କରିଥିଲେ। ଭବେଶ ଉକ୍ତ ଚେକ୍ ଏସ୍‌ବିଆଇ ବ୍ୟାଙ୍କରେ ଲଗାଇବାରୁ ବ୍ୟାଙ୍କ କର୍ତୃପକ୍ଷ ସୁରେଶ ଷ୍ଟପ ପେମେଂଟ କରିଥିବା ଦର୍ଶାଇଥିଲେ। ତେଣୁ ସୁରେଶଙ୍କୁ ଏକ ଡିମାଣ୍ଡ ନୋଟିସ୍ ପ୍ରଦାନ କରି ୧୫ଦିନ ମଧ୍ୟ ଟଙ୍କା ଫେରସ୍ତ ପାଇଁ ଭବେଶ କହିଥିଲେ । କିନ୍ତୁ ସୁରେଶ ଏହି ନୋଟିସକୁ ଖାତିର କରିନଥିଲେ। ଫଳରେ ଭବେଶ ବାଧ୍ୟ ହୋଇ ଭଦ୍ରକ ଏସଡିଜେଏମ୍‌୍‌ଙ୍କ କୋର୍ଟରେ ଏକ ମାମଲା (୧ସି ସି-୧୩୪/୨୦୨୦, ଟିଆର ନଂ- ୧୦୬୪/୨୦୨୨) ରୁଜୁ କରିଥିଲେ। ଏହି ମାମଲାରେ ମୁଦାଲା ସୁରେଶ ୧୮.୧୨.୨୦୧୯ ତାରିଖର ଏକ ଏଗ୍ରୀମେଂଟ ଦର୍ଶାଇ ଅଦାଲତଙ୍କୁ ଜଣାଇଥିଲେ ଯେ, ଭବେଶଙ୍କ ଉପରେ ତାଙ୍କର ୯୭ ହଜାର ଟଙ୍କା ବକେୟା ରହିଛି। ଏକ ହୋଣ୍ଡା ସିଟି କାର ବିକ୍ରି ବାବାଦରେ ଏହି ଟଙ୍କା ବାକି ରହିଛି। ମାତ୍ର ସୁରେଶ ଦର୍ଶାଉଥିବା ପ୍ରମାଣ ଆଇନତଃ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଏସଡିଜେଏମ୍ କୋର୍ଟ ଚେକ୍ ବାଉନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ଏସଡିଜେଏମ କୋର୍ଟ ତାଙ୍କ ଆଦେଶରେ ସୁରେଶଙ୍କୁ ୩ମାସ କାରାଦଣ୍ଡ ସହ କ୍ଷତିପୂରଣ ବାବଦକୁ ୯୫ହଜାର ଟଙ୍କା ଏବଂ ଏହି ଅର୍ଥ ଦେବାରେ ଅକ୍ଷମ ହେଲେ ଅଧିକ ୧୫ଦିନ ଅଶ୍ରମ କାରାଦଣ୍ଡର ଆଦେଶ ଦେଇଛନ୍ତି।