Odiapua.com

ଚୁନଟୀ ହାଇସ୍କୁଲରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ଶାଖାର ଗାନ୍ଧୀ ଜୟନ୍ତୀ ସମାରୋହ

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ଶାଖା ଆନୁକୂଲ୍ୟରେ ମହାତ୍ମାଗାନ୍ଧୀଙ୍କ ୧୫୫ ତମ ଜନ୍ମତିଥି ଚୁନଟୀ ସ୍ଥିତ ‘ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ’ ର ସ୍ୱଚ୍ଛ ସବୁଜ ସୁନ୍ଦର ପରିବେଶରେ ଆୟୋଜିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ଇଂ ଅଖିଳ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମ୍ପାଦକ, ଆଇନଜୀବୀ ପବନ କୁମାର ଶର୍ମା ଉତ୍ସବ ସମ୍ପର୍କିୟ ସୂଚନା ସହ ଗାନ୍ଧୀଙ୍କ ଜନ୍ମ, ଜୀବନ ଓ ଦର୍ଶନର ସଂକ୍ଷିପ୍ତ ଚିତ୍ର ପ୍ରଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଡ. ଦୁର୍ଗା ଶଙ୍କର ଦାସ ମହାତ୍ମାଗାନ୍ଧୀଙ୍କ ଅଭୁତପୂର୍ବ ଜନପ୍ରିୟତାର କାରଣ ବିଶ୍ଳେଷଣ କରିବା ସହ ଏବେକାର ଅବକ୍ଷୟମୁଖୀ ସମାଜର ପୁନରୁଦ୍ଧାର ପାଇଁ ଗାନ୍ଧୀଙ୍କ ପ୍ରଦର୍ଶିତ ଶାନ୍ତି, ସତ୍ୟ ଓ ସଦ୍ଭାବନାର ବିକଳ୍ପବିହୀନ ମାର୍ଗ ଜରୁରୀ ବୋଲି ମତ ରଖିଥିଲେ। ସମ୍ମାନନୀୟ ଅତିଥି ରୂପେ ବର୍ଷିୟାନ୍ ସାମ୍ୟବାଦୀ ବୈଲୋଚନ ଜେନା ଯୋଗ ଦେଇ ଭାରତଛାଡ ଆନ୍ଦୋଳନ ସମୟରେ ଓଡ଼ିଶାର ଅଭୁତପୂର୍ବ ଜନଜାଗରଣ ଓ ସ୍ୱାଧୀନତା ପାଇଁ ଓଡ଼ିଶାର ଅବଦାନ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ତାଙ୍କୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତରଫରୁ ଅଙ୍ଗବସ୍ତ୍ର, ସ୍ମରଣିକା ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଅତିଥି ରୂପେ ଭଦ୍ରକର ବିଶିଷ୍ଟ ସମାଜସେବୀ ରତ୍ନାକର ସାମଲ ଓ ଚୁନଟୀ ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ଦାସ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗାନ୍ଧୀଙ୍କ ଜୀବନଦର୍ଶନ ଅଧ୍ୟୟନ ଓ ଅନୁକରଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ପ୍ରତିଷ୍ଠାନର ବରିଷ୍ଠ ସଦସ୍ୟ ଲଲାଟେନ୍ଦୁ ମହାନ୍ତି ନିଜ ବକ୍ତବ୍ୟରେ ଚୁନଟୀ ହାଇସ୍କୁଲ୍‌ର ରୂପ, ଶୃଙ୍ଖଳା ଓ ସଂସ୍କୃତିର ଉଚ୍ଚ ପ୍ରଶଂସା କରିଥିଲେ। ଅଧ୍ୟାପକ ବିଜୟ କୁମାର ଜେନା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଜଣାଇଥିଲେ। ଯୁଗ୍ମ ସମ୍ପାଦକ ଲକ୍ଷ୍ମୀକାନ୍ତ ବାରିକ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ମହାତ୍ମାଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ସହିତ ଉତ୍ସବ ଉଦ୍‌ଘାଟିତ ହୋଇଥିଲା। ଏହି ଅବସରରେ ମହାତ୍ମାଙ୍କ ପ୍ରିୟ ଭଜନ, “ବୈଷ୍ଣବ ଜନ ତୋ..” ପରିବେଷଣ କରାଯାଇଥିଲା। ଅନ୍ତିମ ପର୍ଯାୟରେ ଜିଲ୍ଲାର ୧୨ ଟି ବିଦ୍ୟାଳୟର ୪୯୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗତ ୨୧ ତାରିଖ ଦିନ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତାର ବିଜେତା ତଥା ଫେନ୍‌ସୀ ପୋଷାକ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏରେଇଁ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଚୁନ୍‌ଟୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ବିଶେଷତଃ ଚୁନ୍‌ଟୀ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶ୍ରୀ ପାଢୀଙ୍କ କଣ୍ଠସଙ୍ଗୀତ ଉପସ୍ଥିତ ସହସ୍ରାଧିକ ଦର୍ଶକ ମାନଙ୍କୁ ଅଭିଭୂତ କରିଥିଲା। ସମାରୋହର ଆୟୋଜନ ଓ ପରିଚାଳନା ଦାୟିତ୍ୱ ପ୍ରତିଷ୍ଠାନର ସଦସ୍ୟ ଅଜୟ କୁମାର ଧଳ, ବିଦ୍ୟାଧର ବାରିକ, ଗୌରାଙ୍ଗ ଚନ୍ଦ୍ର ସାମଲ, ବିଶାଲ୍ ଗୋପାଲ୍ ଲଖାନୀ, ଭୂପେନ୍ଦ୍ର ବେହେରା ଓ ନବନୀତ ଲଖାନୀ ସୁଚାରୁ ରୂପେ ସମ୍ପାଦନ କରିଥିଲା ବେଳେ ଯୁଗ୍ମ ସମ୍ପାଦକ ପ୍ରଫେସର ନାସିର୍ ବକ୍ସ୍‌, କୋଷାଧ୍ୟକ୍ଷ ଅମରନାଥ ଲେଙ୍କା, ବରିଷ୍ଠ ସଦସ୍ୟ ଶେଖ୍ ଉମର୍ ଅଲ୍ଲୀ, ଆଇନଜୀବୀ ସରୋଜ କୁମାର ଦାସ, ଆଇନଜୀବୀ ଦିବ୍ୟସିଂହ ନାୟକ, ସୁରଜିତା ନାୟକ, ଉତ୍ପଳକାନ୍ତି ଦାସ, ପ୍ରଦୀପ ବେହେରା, ରବିନାରାୟଣ ପାଣିଗ୍ରାହୀ, କଲାମ୍ ଖାନ୍‌, ସନ୍ତୋଷ ଡିଡୱାନିଆ ଏବଂ ସୀତାକାନ୍ତ ଦାସ ପ୍ରମୁଖ ସେମାନଙ୍କୁ ସହଯୋଗ କରିଥିଲେ।