Odiapua.com

ଚିଲିକା ସୁନ୍ଦରୀ

– ଦେବପ୍ରସାଦ ମିଶ୍ର
ବେଦ, ପୁରାଣ ତଥା ପ୍ରାଚୀନ ସଂସ୍କୃତ ଗ୍ରନ୍ଥମାନଙ୍କରେ ଚିଲିକାର ବର୍ଣ୍ଣନା ନାହିଁ। ବୋଧହୁଏ ଚିଲିକା ଆଗେ ସମୁଦ୍ରର ଅଂଶ ଥିଲା, କାଳକ୍ରମେ ବାଲିବନ୍ଧ ଦ୍ୱାରା ବିଚ୍ଛିନ୍ନ ହୋଇଅଛି।

ଏହି ରମଣୀୟ ହ୍ରଦକୁ କେହି ଅନୁପମ ଜଳସୃଷ୍ଟି, ପାରାବାର ସହୋଦରା, କେହି ପ୍ରକୃତିର ଚାରୁ ଚିତ୍ରଶାଳୀ, ଶୋକ ପାଶୋରା ଅପ୍ ସରା-ଭୁବନ, ଉତ୍କଳ କମଳାବିଳାସ ଦୀର୍ଘିକା, ଉତ୍କଳର ସୌନ୍ଦର୍ଯ୍ୟଖଣି, ଚାରୁଚିତ୍ରପଟ ଆଦି କହିଛନ୍ତି। ବହୁଜନପୋଷିଣୀ, କବିମାନସହାରିଣୀ, ସୌନ୍ଦର୍ଯ୍ୟମୟୀ ଚିଲିକା ସମ୍ବନେ୍ଧ କବି ସୋମଯାଜୀ ବାସୁଦେବ ରଥ ସଂସ୍କୃତ ‘ଗଙ୍ଗବଂଶାନୁଚରିତ ଚମ୍ପୂ’ରେ ‘ଚିଲିକା’କୁ ‘ଚିଲିଖା’ ରୂପେ ନାମକରଣ କରି ଲେଖିଲେ-

ଏଷା କାପି ନ ବାପିକା
ଲବଶିମୋ ଦ୍ରେକକାନ୍ନ ବା ବାରିଧି
ରିଙ୍ଗତ୍ତୁଙ୍ଗତରଙ୍ଗଭଙ୍ଗୀବିଷମା
ନୋ ବା ନଦୀ ସ୍ଥୈର୍ଯତଃ।

ପାରାବାର ସହୋଦରତି
ଗହନାପାରାବିପାରାମହ
ତ୍ୟେତାଦୃକ୍ ଭୁବନେ ମୟା
ଜଳମୟୋ ସୃଷ୍ଟି ର୍ନଦୃଷ୍ଟା କ୍ୱଚିତ୍

ପଙ୍କମ୍ ଯସ୍ମାଚ୍ଚିଲ୍ଲିଖଂ ପ୍ରାହୁରାର୍ଯ୍ୟା
ମତ୍ୱର୍ଥିୟାକାର ଯୋଗେନ ତସ୍ୟ।

ସ୍ତ୍ରୀତ୍ୱଂ ଲୋକାଦ୍ୟାସହିତ୍ୟାଦ୍ୟବଦ୍ୟମ୍
ତସ୍ମାନ୍ ପଙ୍କେ ଚିଲ୍ଲି ଖେଚି ପ୍ରସିଦ୍ଧା

ଭା—–ଏ ବାପୀ ନୁହେ, ଲବଣ ଜଳଯୁକ୍ତ —ସମୁଦ୍ର ନୁହେଁ ତୁଇତରଙ୍ଗ ଯୁକ୍ତ କିନ୍ତୁ —ତୁ ନଦୀ ମଧ୍ୟ ନୁହେଁ (ଚିଲିକା କୂଳ ଲୋକେ ଚିଲିକାକୁ ନଈ କହନ୍ତି), ଏ ସମୁଦ୍ରର ଭଗିନୀ ତୁଲ୍ୟା। ଏପରି ଜଳମୟ ସୃଷ୍ଟି ଅନ୍ୟତ୍ର ଦେଖାଯାଏ ନାହିଁ। ପ୍ରାଚୀନ ପଣ୍ଡିତମାନେ ପଙ୍କକୁ ‘ଚିଲ୍ଲିଖ’ କହନ୍ତି। ଏହା ପଙ୍କପୂର୍ଣ୍ଣ ହୋଇ ଥିବାରୁ ଏହାର ‘ଚିଲ୍ଲିଖା’ ନାମ ଯଥାର୍ଥ ଅଟେ। କବି ଚିଲିକାର ଲାବଣ୍ୟମତ୍ସ୍ୟବୀଥି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି।

କବି ସୋମଯାଜୀ ବାସୁଦେବ ରଥ ରାଜଗୁରୁଙ୍କ ଜନ୍ମସ୍ଥାନ ଗଞ୍ଜାମ ଜିଲାର ଆଠଗଡ଼ ଜମିଦାରୀ ଅନ୍ତର୍ଗତ ଲାଠୁଳି ରଖୁନାଥପୁର ଶାସନ ଏବଂ ଜନ୍ମକାଳ ୧୭୧୦ ମସିହା ଓ ଗ୍ରନ୍ଥଲେଖା କାଳ ସମ୍ଭବତଃ ୧୭୬୦ ମସିହା।

ଏହି ଭ୍ରମଣ କାବ୍ୟ (ଗଂଗବଂଶାନୁଚରିତଚମ୍ପୂ)ର କଳ୍ପିତ ନାୟକ ଗୋଦାବରୀ ତଟନିବାସୀ ବିଦ୍ୟାର୍ଣ୍ଣବ ଓ ନାୟିକା ତାଙ୍କ ସହ ଧର୍ମିଣୀ ଲୀଳାବତୀ। ଉଭୟେ ବରୁଣବନ୍ଦର (ଆଧୁନିକ ବାରୁଆ)ଠାରୁ ସମୁଦ୍ର ପଥରେ ବୋଇତରେ ବସି ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଆସିଥିଲେ ଏବଂ ସେଠାରେ ବର୍ଷେ କାଳ ରହି ଗୁଣ୍ଡିଚାଦି ସମସ୍ତ ଯାତ୍ରା ତଥା ସର୍ବ ଦେବ-ଦେବୀଙ୍କ ଦର୍ଶନ ସାରି ଗଡ଼କୋକଳଠାରୁ ନାଆରେ ଚିଲିକା ପାର ହୋଇ ଖଲ୍ଲି କୋଟରେ ପହଞ୍ଚିଲେ। ନାୟକ-ନାୟିକାଙ୍କ କଥୋପକଥନ ଛଳରେ କବି ତକ୍ରାଳୀନ ସାମାଜିକ, ରାଜନୈତିକ ଅବସ୍ଥାର ସୁନ୍ଦର ଚିତ୍ର ଦେଇଛନ୍ତି। ରଥଯାତ୍ରାରେ ଡାହୁକର ଅଶ୍ଳୀଳ ଗ୍ରାମ୍ୟଗୀତି ଓ ଜଗନ୍ନାଥଙ୍କ ଭୋଗସମ୍ଭାର ମଧ୍ୟ କବିଙ୍କ ଦୃଷ୍ଟି ଏଡ଼ାଇ ପାରି ନାହିଁ। କବି ଲେଖିଛନ୍ତି-

ଦଣ୍ଠ ଦତ୍ତ୍ୱାଣ୍ଡକୋଷେ ଯୁବତିକିଳ-
ମିବୋଦିଶ୍ୟତି ଗ୍ରାମ୍ୟଗୀତିମ୍,

ଗାୟଂ ଗାୟଂ ଶତାଙ୍ଗୋପରି ଚ
ପରିପତନ୍ମୁତ୍ପତନ୍ନଷ୍ଟଲଜ୍ଜଃ,

ର୍ଭ୍ରା ତଭ୍ରାତର୍ବ୍ରୁବାଣୋ ନିଖିଳଜନ
ମୁଖପ୍ରେକ୍ଷଚଣତନାନ୍ମଦିଷ୍ଣୁଃ
କୋ ୟଂ ଭର୍ତ୍ତୃଃ ପୁରସ୍ତାତ୍ କିମିବ
ନ କୁରୁତେ କୀଦ୍ଦୃଶୋଽୟଂ ପ୍ରକାରଃ

ଶ୍ରୀ ଜଗନ୍ନାଥଙ୍କ ଭୋଗ-ସମ୍ଭାରରେ ଓଡ଼ିଆଙ୍କ ପ୍ରିୟ ଖଜାପିଠା କଥା ଉଲ୍ଲେଖ କରିବାରେ ପଦଯୋଜନାର ରମଣୀୟତା ଲୋଭ ଏଡ଼ାଇ ନ ପାରି ଶ୍ଳୋକଟି ଦିଆଗଲା-

“ଝିଲ୍ଲି ଝିଲ୍ଲିମି କାକରା ସରପୂଳୀ
ପେଡ଼ା ପୁଳୀ ଶଷ୍ମୁଳୀ
ମଣ୍ଡା ପର୍ପଚି ଦାଡ଼ିମା ଘୃତପୂଳୀ
ଖଣ୍ଡେଣ୍ଡୁରିଯଡ଼ୟଃ,
କୋରା କାନ୍ତି ରସାବଳୀ ଖଇଖଜା
କର୍ପୂରକେଳି ବଡ଼ା
ଭାନ୍ତ୍ୟେତେ କ୍ଷୀରିଷାରିଷା ପ୍ରଭୃତୟୋ
ନିର୍ମାଲ୍ୟ ପୂପାଃ ପ୍ରଭୋ।’’

କବି ନିଜର ପରିଚୟରେ ଲେଖିଛନ୍ତି ମୁଁପବିତ୍ର ଅତ୍ରି ଗୋତ୍ରରେ ଜନ୍ମଲାଭ କରିଛି, ମୋର ପ୍ରପିତାମହ ଯଜ୍ଞକର୍ତ୍ତା ବିଷ୍ଣୁରଥ। ପିତାମହ ଶ୍ରୀନିବାସ, ପିତା କବିଗୋବିନ୍ଦ, ପରିତାପର ବିଷୟ ଏ ପର୍ଯ୍ୟନ୍ତ ଗ୍ରନ୍ଥଟି ଅପ୍ରକାଶିତ, ଭ୍ରମଣ ବିଷୟରେ ଏହା ହିଁ ଉତ୍କଳୀୟଙ୍କ ରଚିତ ପ୍ରଥମ ସଂସ୍କୃତ ଗ୍ରନ୍ଥ ଅଟେ।

ଖ୍ରୀଷ୍ଟପୂର୍ବ ଚତୁର୍ଥଶତକର ଗ୍ରୀକ୍ ଐତିହାସିକ ପ୍ଲିନି ଚିଲିକା ଗୋଟିଏ ମୁଖ୍ୟ ବନ୍ଦର ଥିଲା ବୋଲି ଲେଖିଛନ୍ତି। ବୋଧହୁଏ ସାମୁଦ୍ରିକ ବାଣିଜ୍ୟ ଚିଲିକା ନିକଟସ୍ଥ ସ୍ଥାନମାନଙ୍କରୁ ଚାଲିଥିଲା।

ଚିଲିକାର ଉତ୍ପତ୍ତିନେଇ ପ୍ରଚଳିତ କିମ୍ବଦନ୍ତୀ ଉପରେ ନିର୍ଭର କରି ଐତିହାସିକ ସାରଡବ୍ ଲୁ୍ୟ, ଡବ୍ ଲୁ୍ୟ, ହଣ୍ଟର ଲେଖିଛନ୍ତି ତିନି ଶହ ଅଠର ମସିହାରେ ଏକ ଆଶ୍ଚର୍ଯ୍ୟଜନକ ଜାତି (ଯବନ-ଗ୍ରୀକ୍ ) ସମୁଦ୍ର ପଥରେ ବୋଇତରେ ଆସି ଥିଲେ ତାଙ୍କର ଉଦ୍ଦେଶ୍ୟ ହେଲା ପୁରୀ ମନ୍ଦିରକୁ ଅଧିକାର କରି ତାର ଅଗଣିତ ମଣିମୁକ୍ତା ଓ ଭକ୍ତମାନଙ୍କ ପ୍ରଦତ୍ତ ବହୁମୂଲ୍ୟ ସମ୍ପତ୍ତି ଘେନିଯିବା। ମାତ୍ର ମନ୍ଦିର ସେବକ (ପୁରୋହିତ)ମାନେ ଆଗରୁ ବହୁସଂଖ୍ୟକ ହାତୀ ଓ ଘୋଡ଼ା କୂଳରେ ଥିବାର ସୂଚନା ପାଇ ଏମାନଙ୍କ କୁଅଭିପ୍ରାୟ ବୁଝି ଠାକୁରଙ୍କସହ ମୂଲ୍ୟବାନ ସମ୍ପତ୍ତି ଧରି ନଗରତ୍ୟାଗ କଲେ। ଆକ୍ରମଣକାରୀଙ୍କ ନିମନ୍ତେ ଜନଶୂନ୍ୟ ସହରଟି ମାତ୍ର ଥିଲା। ଯବନ ସେନାପତି ରକ୍ତବାହୁ ସମୁଦ୍ର ଉପରେ କ୍ରୂଦ୍ଧ ହୋଇଯିବାରୁ ସମୁଦ୍ର କିଛିଦୂର ଘୂଞ୍ଚିଗଲା। ଯବନରାଜ ସମୁଦ୍ରକୁ ଦଣ୍ଡଦେବା ପାଇଁ ସୈନ୍ୟସାମନ୍ତ ଧରି ଭିତରକୁ ଗଲା। ସମୁଦ୍ର କିଛି ସମୟ ପାଇଁ କେତେ ଦୂର ଘୁଞ୍ଚିଯାଇ ଭୀମବେଗରେ ପୁଣି କୂଳକୁ ମାଡ଼ିଆସିଲା, ବିଦେଶୀ ଆକ୍ରମଣକାରୀମାନେ ଧ୍ୱଂସ ପାଇଗଲେ। ସେ ସମୟରେ ଯେଉଁ ପାଣି ମାଡ଼ିଆସିଲା ତାହାର କେତେକାଂଶ ଚିଲିକା ହ୍ରଦ ସୃଷ୍ଟି କଲା। (Aristrocracy of Southern India ରୁ ଗୃହୀତ)

ଇନ୍ ଆଣ୍ଡ ଏରାଉଣ୍ଡ ପୁରୀ (In and Around Puri) ପୁସ୍ତକରେ ଏଚ୍ .ଏ. ଷ୍ଟାର୍କ ଚିଲିକା ସମ୍ବନେ୍ଧ କେତେକ ଜ୍ଞାତବ୍ୟ ବିଷୟ ଲେଖିଛନ୍ତି। ସେ କହନ୍ତି ଏ ଅତୁଳନୀୟ ସୌନ୍ଦର୍ଯ୍ୟପୂର୍ଣ୍ଣ ହ୍ରଦ ଦର୍ଶନୀୟ। ଓଡ଼ିଶାକୁ ଆସୁଥିବା ଦର୍ଶକମାନଙ୍କର ଏ ହ୍ରଦ-ରାଜ୍ୟକୁ ଅବଶ୍ୟ ଦେଖିବା ଉଚିତ।

ଫୋର୍ବସ ତାଙ୍କର “Wild life in Canara” ଗ୍ରନ୍ଥରେ ଚିଲିକାର ସୌନ୍ଦର୍ଯ୍ୟ, ମତ୍ସ୍ୟଉତ୍ପାଦନ, ପଶ୍ଚିମଦିଗରେ ପର୍ବତମାଳା ତଥା ବନାନୀର ଶୋଭା ସହିତ ବହୁରୂପୀ ବିହଙ୍ଗକାକଳୀରେ ଚିଲିକା ମୁଖରିତ ହୋଇ ଦର୍ଶନ ଓ ଶିକାରୀ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଥିବାର ଉଲ୍ଲେଖ କରିଛନ୍ତି।

ଉତ୍କଳ ପ୍ରକୃତିର ଚିତ୍ରକର କବିଗୁରୁ ରାଧାନାଥ ରାୟ “ଚିଲିକା”ର ଯେଉଁ ମନୋରମ ଚିତ୍ର ତାଙ୍କ ଚିଲିକା ଖଣ୍ଡକାବ୍ୟରେ ଦେଇଛନ୍ତି, ତାହା ଯେପରି ବାସ୍ତବ, ଓଡ଼ିଆ ଜାତିର ଆତ୍ମବିସ୍ମୃତିକୁ ଉଜ୍ଜୀବିତ କରିବାରେ ସେପରି ଏକ ଚେତାବନୀ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଉତ୍କଳକମଳା ବିଳାସ ଦୀର୍ଘିକା
ମରାଳମାଳିନୀ ନୀଳାମ୍ବୁ ଚିଲିକା।
ଉତ୍କଳର ତୁହି ଚାରୁଅଳଙ୍କାର,
ଉତ୍କଳଭୁବନେ ଶୋଭାରଭଣ୍ଡାର।

ଏତେ ଛବି ଯେଣୁ ଏକାଧାରେ ଠୁଳ
ଛବିଳ ଉତ୍କଳେ ତୋ ଛବି ଅତୁଳ।

କବି ଦୁଃଖପ୍ରକାଶ କରି ଲେଖିଛନ୍ତି, ସମଗ୍ର ଭାରତବର୍ଷ ବୁଲିଲି ତଥାପି ଏଭଳି ମନୋହାରିଣୀ ଛବି କେଉଁଠି ପାଇଲି ନାହିଁ। ଅନ୍ୟତ୍ର ପ୍ରଚାରବଳରେ କ୍ଷୁଦ୍ର ନଦୀ, ସରୋବର, ଛୋଟ ପର୍ବତ ତୀର୍ଥ ରୂପେ ପୂଜା ପାଇଥିବା ବେଳେ ପ୍ରଚାର ଅଭାବରୁ ଉତ୍କଳର ସୌନ୍ଦର୍ଯ୍ୟପୂର୍ଣ୍ଣ ବିଶିଷ୍ଟ ସ୍ଥାନମାନଙ୍କର ବୈଶିଷ୍ଟ୍ୟ ଅଜ୍ଞାତ ହୋଇ ରହିଛି ବୋଲି ସେ ଖେଦ ପ୍ରକାଶ କରିଛନ୍ତି।

କବିଙ୍କ ଆକ୍ଷେପ ଯଥାର୍ଥ ଓ ଏବେ ମଧ୍ୟ ତାହାର ବ୍ୟତିକ୍ରମ ବିଶେଷ ଭାବେ ଘଟି ନାହିଁ। ପୃଥିବୀରେ ଯାହା ଏକ ଦର୍ଶନୀୟ ହ୍ରଦ ରୂପେ ଗଣ୍ୟ ହୋଇ ପାରନ୍ତା, ଭାରତର ଅନ୍ୟ ପ୍ରଦେଶମାନଙ୍କରେ ମଧ୍ୟ ଏହାର ସେଭଳି ପ୍ରଚାର ନଥିବାରୁ ବିଳାସୀ ଭାବୁକ ତଥା ଋଦ୍ଧିମନ୍ତ ବହୁବ୍ୟକ୍ତି ଚିଲିକା ବିଷୟରେ ଅନଭିଜ୍ଞ ରହୁଛନ୍ତି।

କବି ଗୋପବନ୍ଧୁ ପ୍ରାଣର ଆବେଗରେ ଲେଖିଛନ୍ତି-

“ରହ ରହ କ୍ଷଣେ ବାଷ୍ପୀୟ-ଶକଟ
ଦେଖିବି ଚିଲଇକା ଚାରୁ-ଚିତ୍ରପଟ।
ଚିତ୍ରମଣେ ଯେଣୁ ନାହିଁ ଅନୁଭବ
ବାସ୍ତବ ବିଶ୍ୱେ କି ଏ ଛବି ସମ୍ଭବ ?

ସତ୍ୟ ବୋଲି ମନେ ନ ହେଉ ପ୍ରତୀତ
ପଲକେ ସେ ଦୃଶ୍ୟ ହୁଏ ତିରୋହିତ।”

ଉତ୍କଳର ଦୁର୍ଗତି କବିଙ୍କ ମନକୁ ଘାଣ୍ଟି ଦେଇଛି। ସେ ଲେଖିଛନ୍ତି ନୌବାଣିଜ୍ୟରେ ଉନ୍ନତ, ଉତ୍କଳର ବୀରତ୍ୱ, ଜାତୀୟତା କେଉଁଆଡ଼େ ଗଲା ? ତାହା ପୁଣି କିପରି ଫେରିବ ? କବିଗୁରୁ ରାଧାନାଥଙ୍କ କୃତି ଚିଲିକାର ମଧ୍ୟ ସେ ଭୂୟସୀ ପ୍ରଶଂସା କରିଛନ୍ତି-

କବି ଗୋଦାବରୀଶ କାଳିଜାଈ କବିତାରେ ଚିଲିକା କଥା ସାମାନ୍ୟ ଭାବେ ଲେଖିଛନ୍ତି-

କବି ମାୟାଧର ତାଙ୍କର କ୍ଷୁଦ୍ର ଗୀତିକାରେ ଚିଲିକାର ସୌନ୍ଦର୍ଯ୍ୟ ଯେ କବିବର୍ଣ୍ଣନାଠାରୁ ଅଧିକ ତାହା ଦର୍ଶାଇ ଲେଖିଛନ୍ତି-

ପ୍ରକୃତିକୁମାରୀ ଏହି କ୍ଷୁଦ୍ର ରୂପସୀର
କୌତୂହଳ କବି ଶ୍ରେଷ୍ଠ ବଚନୁ କବିର ?

ନିତ୍ୟ ନୂତନତାରେ ଦର୍ଶକକୁ ତୃପ୍ତିଦାନ କରି “କ୍ଷଣେ କ୍ଷଣେ ଯନ୍ନବତାମୁତୌତି ତଦେବରୂପଂ ରମଣୀୟତାୟାଃ” ଏହି କବି ଉକତି ସାର୍ଥକ କରିବାରେ ଚିଲିକା ସଫଳତା ଲାଭ କରି ପାରିଅଛି। ଚିଲିକା ରତ୍ନଗର୍ଭା। ଏହାର ମତ୍ସ୍ୟ ସମ୍ପଦ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକାର୍ଜନରେ ସାହାଯ୍ୟ କରେ। ସରକାର ନାନାଶୁଳ୍ କରୁ ଲକ୍ଷ ଲକ୍ଷ ଟଙ୍କା ପାଆନ୍ତି। ଏହାର ଜଳଜାତ ବିଭିନ୍ନ ଉଦ୍ଭିଦ ବହୁ କାର୍ଯ୍ୟରେ ଲାଗେ। ଏକ ପ୍ରକାର ଦଳରୁ ଅଗର ନାମକ ସୁବାସିତ ଦ୍ରବ୍ୟ ତଥା ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ବାହାରୁଛି। ଚିଲିକାର ତଳ ଦେଶରେ ନାନାପ୍ରକାର ଧାତୁ-ରଚିତ ତୈଳ ଥିବା କଥା ବହୁ ଦିନ ପୂର୍ବେ ଖଲ୍ଲିକୋଟ ରାଜାଙ୍କ ଦ୍ୱାରା ନିଯୁକ୍ତ ଦୁଇଜଣ ଭୂତତ୍ତ୍ୱବିତ୍ ପ୍ରକାଶ କରିଥିଲେ। ଚିଲିକାର ପଶ୍ଚିମ ତଥା ଦକ୍ଷିଣ ଉପକୂଳରେ ବହୁ ଖଣିଜ ଦ୍ରବ୍ୟ ରହିଛି।

ଭାରତ ସରକାରଙ୍କ ବଦାନ୍ୟତା ଓ ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟା ବଳରେ ନୌତାଲିମ କେନ୍ଦ୍ରର ଅଗ୍ରଗତି ପ୍ରତ୍ୟେକ ଓଡ଼ିଆଙ୍କୁ ଏ ଦେଶରେ ଉଜ୍ଜ୍ୱଳ ଭବିଷ୍ୟତର ଆଶା ଦେଉଛି। ବର୍ତ୍ତମାନ ରାଜ୍ୟରେ ସପ୍ତମ ଚିଲିକା ମହୋତ୍ସବ ସାତପଡାଠାରେ ଅନୁଷ୍ଠିତ ହେଉଛି ଏଥିରେ ରାଜ୍ୟପାଳ ଗଣେଶୀ ଲାଲ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରି ଚିଲିକାକୁ ଯମୁନା ନଦୀ ସହିତ ତୁଳନା କରିଛନ୍ତି, ସାରାବିଶ୍ୱର ଆରାଧ୍ୟ ଜଗନ୍ନାଥଙ୍କର ଏହା ଆବାସ, ଜଗନ୍ନାଥ ମହାପ୍ରଭୁ ଶ୍ରୀକୃଷ୍ଣ ହେଲେ ଚିଲିକା ହେଉଛି ଯମୁନା ସେହିପରି ଖଲିକୋଟ ର ପଣ୍ଡିତ ବାଇକୋଳି ଜ୍ୟୋତିଷ ବିଶାରଦ ଚିଲିକା ଉପରେ ଅନେକ ସନ୍ଦର୍ଭମାନ ଲେଖି ଏହାକୁ ବିଶ୍ୱବିଦିତ କରିଛନ୍ତି, ବର୍ତ୍ତମାନ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସ ବର୍ମା ମଧ୍ୟ ଚିଲିକା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳକୁ ନେଇ ଏକ ଆନ୍ତର୍ଯାତିକ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ବହୁ ପ୍ରାଚୀନ କବି ଲେଖକ ଚିଲିକାର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଛନ୍ତି।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮