Odiapua.com

ଚିଫ ଅଫ ଡିଫେନ୍ସ ଷ୍ଟାଫ ପଦବୀ ସୃଷ୍ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆ ଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) ଦେଶର ପ୍ରତିରକ୍ଷା ପ୍ରବନ୍ଧନ କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ସେ ୪ ତାରକା ସେନାଧିକାରୀ ପାହ୍ୟାରେ କାର୍ଯ୍ୟକରିବେ ଓ ତାଙ୍କୁ ସେନା ପ୍ରମୁଖଙ୍କ ଅନୁରୂପ ଦରମା ଏବଂ ଅନ୍ୟାନ୍ୟ ସୁବିଧା ମିଳିବ। ଏହାବ୍ୟତିତ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଏକ ସେନା ବ୍ୟାପାର ବିଭାଗ (ଡିଏମଏ) ଖୋଲାଯିବ ଏବଂ ଏହାର ସଚିବ ତଥା ମୁଖ୍ୟ ଭାବେ ଚିଫ ଅଫ ଡିଫେନ୍ସ ଷ୍ଟାଫ କାର୍ଯ୍ୟ କରିବେ।

ସିଡିଏସଙ୍କ ଅଧୀନରେ ସେନା ବ୍ୟାପାର ବିଭାଗ ନିମ୍ନୋକ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦେବ

ଦେଶର ସଶସ୍ତ୍ର ସେନା-ସ୍ଥଳସେନା, ନୌସେନା ଓ ବାୟୁସେନା।ସ୍ଥଳ ସେନା ମୁଖ୍ୟାଳୟ, ନୌସେନା ମୁଖ୍ୟାଳୟ, ବାୟୁସେନା ମୁଖ୍ୟାଳୟ ଏବଂ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟାଳୟକୁ ମିଶାଇ ପ୍ରତିରକ୍ଷା ମନ୍ତ୍ରଣାଳୟର ସମନ୍ୱିତ ମୁଖ୍ୟାଳୟ।ପ୍ରାଦେଶିକ ସେନା।ସ୍ଥଳସେନା, ନୌସେନା ଏବଂ ବାୟୁସେନା ସଂକ୍ରାନ୍ତ କାର୍ଯ୍ୟ।ନିର୍ଦ୍ଧାରିତ ନିୟମ ଏବଂ ପ୍ରକ୍ରିୟା ଅନୁଯାୟୀ ପୁଞ୍ଜି ଅଧିଗ୍ରହଣ ବ୍ୟତିତ ସେନାବାହିନୀ ଲାଗି ସ୍ୱତନ୍ତ୍ର ଭାବେ ଉଦ୍ଦିଷ୍ଟ କ୍ରୟ।ଉପରୋକ୍ତ ବ୍ୟତିତ ସେନା ବ୍ୟାପାର ବିଭାଗର ଅଧିକାର କ୍ଷେତ୍ରରେ ନିମ୍ନୋକ୍ତ କ୍ଷେତ୍ର ଆସିବ :

ମିଳିତ ଯୋଜନା ଏବଂ ଆବଶ୍ୟକତାର ସମନ୍ୱୟ ଜରିଆରେ ସେନାବାହିନୀ ପାଇଁ ମିଳିତ କ୍ରୟ, ପ୍ରଶିକ୍ଷଣ ଓ କର୍ମଚାରୀ ନିଯୁକ୍ତିକୁ ପ୍ରୋତ୍ସାହନ।ମିଳିତ/କ୍ଷେତ୍ରୀୟ କମାଣ୍ଡ ପ୍ରତିଷ୍ଠା ଜରିଆରେ ମିଳିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସମ୍ବଳର ସୁବିନିଯୋଗ ପାଇଁ ସେନା କମାଣ୍ଡର ପୁନର୍ଗଠନ ସୁବିଧା।ସେନାବାହିନୀ ଦ୍ୱାରା ସ୍ୱଦେଶୀ ସରଞ୍ଜାମର ଉପଯୋଗକୁ ପ୍ରୋତ୍ସାହନ।ଚିଫ ଅଫ ଡିଫେନ୍ସ ଷ୍ଟାଫ ସେନା ବ୍ୟାପାର ବିଭାଗର ମୁଖ୍ୟ ହେବା ସହିତ ଚିଫ୍ସ ଅଫ ଷ୍ଟାଫ କମିଟିର ସ୍ଥାୟୀ ଅଧ୍ୟକ୍ଷ ହେବେ। ଏଥସହିତ ସେ ସମସ୍ତ ତିନୋଟି ସେନାବାହିନୀ ବ୍ୟାପାରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରମୁଖ ସେନା ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ତେବେ ତିନି ସେନା ପ୍ରମୁଖ କେବଳ ନିଜ ନିଜ ବିଭାଗରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପରାମର୍ଶ ଦେଇପାରିବେ। ତିନି ସେନା ପ୍ରମୁଖଙ୍କ ଉପରେ ସିଡିଏସ କୌଣସି ସୈନ୍ୟ ଆଦେଶ ଦେବାର କ୍ଷମତା ପ୍ରୟୋଗ କରିପାରିବେ ନାହିଁ, ତେଣୁ ସେ ରାଜନୈତିକ ନେତୃତ୍ୱଙ୍କୁ ନିରପେକ୍ଷ ପରାମର୍ଶ ଯୋଗାଇ ଦେବାକୁ ସକ୍ଷମ ହେବେ।

ଚିଫ୍ସ ଅଫ ଷ୍ଟାଫ କମିଟିର ସ୍ଥାୟୀ ଅଧ୍ୟକ୍ଷ ଭାବେ ସିଡିଏସ ନିମ୍ନୋକ୍ତ କାର୍ଯ୍ୟ ସମ୍ପାଦନ କରିବେ:

ତିନି ସେନା ସଂଗଠନର ପ୍ରଶାସନ ସମ୍ଭାଳିବେ। ସାଇବର ଓ ମହାକାଶ ସଂକ୍ରାନ୍ତ ତିନି ସେନା ଏଜେନ୍ସି/ସଂଗଠନ/କମାଣ୍ଡ ସିଡିଏସଙ୍କ କ୍ଷମତା ଅଧୀନରେ ରହିବ।ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା ଯୋଜନା କମିଟିରେ ସଦସ୍ୟ ଭାବେ ସିଡିଏସ କାର୍ଯ୍ୟ କରିବେ।ଆଣବିକ କମାଣ୍ଡ ପ୍ରାଧିକରଣଙ୍କ ସେନା ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ।ସିଡିଏସ ଦାୟିତ୍ୱ ଗ୍ରହଣ କରିବାର ତିନି ବର୍ଷ ମଧ୍ୟରେ ତିନି ସେନାର କାର୍ଯ୍ୟାନୁଷ୍ଠାନ, ଲଜିଷ୍ଟିକ୍ସ, ପରିବହନ, ତାଲିମ, ସହାୟତା ସେବା, ଯୋଗାଯୋଗ, ମରାମତି ଓ ରକ୍ଷଣାବେକ୍ଷଣ ଆଦିରେ ସମନ୍ୱୟ ଆଣିବେ।ତିନି ସେନା ମଧ୍ୟରେ ସମନ୍ୱୟ ଆଣି ଭିତିଭୂମିର ସୁବିନିଯୋଗକୁ ସୁନିଶ୍ଚିତ କରିବେ।ସମନ୍ୱିତ କ୍ଷମତା ବିକାଶ ଯୋଜନା (ଆଇଡିପି)ର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ୫ ବର୍ଷୀୟ ପ୍ରତିରକ୍ଷା ପୁଞ୍ଜି ଅଧିଗ୍ରହଣ ଯୋଜନା (ଡିସିଏପି) କାର୍ଯ୍ୟକାରୀ କରିବେ ଏବଂ ଦୁଇ ବର୍ଷୀୟ ବାର୍ଷିକ ଅଧିଗ୍ରହଣ ଯୋଜନାକୁ ଜାରି ରଖିବେ।ଆଶାନୁରୂପ ବଜେଟ ଉପରେ ଆଧାରିତ ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବ ପାଇଁ ଆନ୍ତଃସେବା ପ୍ରାଥମିକତା ନିର୍ଦ୍ଧାରଣ କରିବେ।ଅଯଥା ଖର୍ଚ୍ଚ ହ୍ରାସ କରି ସଶସ୍ତ୍ର ସେନାବାହିନୀର ମୁକାବିଲା ସାମର୍ଥ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ତିନି ସେନାବାହିନୀର ପରିଚାଳନାରେ ସଂସ୍କାର ଆଣିବେ।ଉଚ୍ଚତର ପ୍ରତିରକ୍ଷା ପ୍ରବନ୍ଧନରେ ଏହି ସଂସ୍କାର ଦ୍ୱାରା ସେନାବାହିନୀରେ ସମନ୍ୱିତ ପ୍ରତିରକ୍ଷା ନୀତି ଓ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇପାରିବ ଏବଂ ଏହା ତିନି ସେନାବାହିନୀ ମଧ୍ୟରେ ସମନ୍ୱୟ ଆଣିପାରିବ। ତାଲିମ, ଲଜିଷ୍ଟିକ୍ସ ଓ କାର୍ଯ୍ୟାନୁଷ୍ଠାନ ସହିତ ଅଧିଗ୍ରହଣକୁ ପ୍ରାଥମିକତା ଦେବା ଲାଗି ବ୍ୟାପକ ସମନ୍ୱୟ ଆସିବା ଫଳରେ ଦେଶ ଏହାଦ୍ୱାରା ଲାଭବାନ ହୋଇପାରିବ।