Odiapua.com

ଚିନ୍ତାଗ୍ରସ୍ତ ତୃତୀୟ ମହଲା

ଭୁବନେଶ୍ୱର ୩-୧୧ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ବିଭିନ୍ନ ସମ୍ବାଦ ଓ ଘରୋଇ ସରୋବରାହ ସଂସ୍ଥା ଦ୍ୱାରା କରାଯାଇଥିବା ନିର୍ବାଚନ ପୂର୍ବାନୁସ୍ଥିତି ସମ୍ପର୍କରେ ପ୍ରକାଶିତ ଖବର ପରେ ଚନ୍ତାଗ୍ରସ୍ତ ହୋଇପଡ଼ିଛି ଓଡ଼ିଶାର ପାୱାର କରିଡ଼ୋର କୁହାଯାଉଥିବା ତୃତୀୟ ମହଲା। ସୂଚନାଯୋଗ୍ୟଯେ, ୨୦୦୦ ମସିହାରୁ ଓଡ଼ିଶାର କ୍ଷମତା ଉପଭୋଗ କରୁଥିବା ବିଜୁ ଜନତା ଦଳପାଇଁ ଆସନ୍ତା ସାଧାରଣ ନିର୍ବାଚନ ହେବ କର ବା ମର ପରିସ୍ଥିତି। ପୂର୍ବ ପୂର୍ବ ନିର୍ବାଚନ ପରି ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ଅନାୟାସରେ ଅତିକ୍ରମ କରିବା ପାଇଁ ବିଜୁ ଜନତା ଦଳ ପାଇଁ କାଠିକର ପାଠ ହେବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ଦ୍ୱାରା ପୂର୍ବାନୁମାନ କରାଯାଉଅଛି। ଦଳଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଚରମ ସୀମାରେ ପହଁଚିସାରିଛି। ଦଳଭିତରେ କିଛି କନିଷ୍ଠ ଯୁବନେତାଙ୍କର ପ୍ରାର୍ଦୃଭାବରେ ବରିଷ୍ଠନେତାମାନେ ତ୍ରାହୀ ତ୍ରାହୀ ଡାକ ଛାଡ଼ୁଛନ୍ତି। କିନ୍ତୁ ଏହି କନିଷ୍ଠ ନେତୃବୃନ୍ଦଙ୍କ ଉପରେ ତୃତୀୟ ମହଲାର କ୍ଷମତାଶାଳୀ ବାବୁମାନଙ୍କର ହାତ ରହିଥିବାରୁ ଏମାନେ ଇନ୍ଦ୍ରଚନ୍ଦ୍ର ମାନିବା ପରିସ୍ଥିତିରେ ନାହାଁନ୍ତି। ପ୍ରଶାସନିକ କାର୍ଯ୍ୟଠାରୁ ଆରମ୍ଭ କରି ରାଜନୈତିକ କାର୍ଯ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରତିପତି ଜାହିର କରୁଛନ୍ତି ଏହି ଯୁବ ନେତୃବୃନ୍ଦ। ଏମାନେ ଏତେ ସାହସ ପାଇବାର କାରଣ ହେଉଛି ତୃତୀୟ ମହଲାର କ୍ଷମତାଶାଳୀ ଅଫିସରଙ୍କର ସମର୍ଥନ। ଅତୀତରେ ଏ ସମସ୍ତ ଘଟଣା ଜନସାଧାରଣଙ୍କର ମାନସରେ ପ୍ରତିଫଳିତ ହୋଇପାରୁନଥିଲା। ଏବେ କିନ୍ତୁ ସମୟର ପରିବର୍ତ୍ତନ ଘଟିଛି। ଏବେ ଓଡ଼ିଶାର ଜନସାଧାରଣ ଅନୁଭବ କରିସାରିଲେଣିଯେ, ରାଜ୍ୟର ଶାସନ କ୍ଷମତା କିଛି ମୁଷ୍ଟିମେୟ ଅଫିସର ଓ ରାଜନେତାଙ୍କ ହାତରେ ସୀମିତ ରହିଛି। ଓଡ଼ିଶାର ଜନ ସାଧାରଣ ଏବେବି ତାଙ୍କ ମାନସ ପଟରେ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦେଖିବାକୁ ଚାହୁଁଛନ୍ତି। ମାତ୍ର ପାରିପାର୍ଶ୍ୱିକ ପରିସ୍ଥିତିକୁ ନେଇ ନଜର ଅନ୍ଦାଜରେ ରଖି ଓଡ଼ିଶାର ଜନସାଧାରଣ ବିକଳ୍ପ ଚିନ୍ତାଧାରା ଆଡ଼କୁ ଅଗ୍ରସର ହେଉଛନ୍ତି। ଯାହାକି ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ପୂର୍ବାନୁମାନ ସର୍ଭେ ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ତେଣୁ ଏହି ସବୁ ରିପୋର୍ଟ ପ୍ରକାଶ ପାଇବା ପରେ ନିଦ ହଜିଯାଇଛି ତୃତୀୟ ମହଲା କ୍ଷମତାଶାଳୀ ଅଫିସରଙ୍କର।