Odiapua.com

ଚିକିତ୍ସା ବାହାନାରେ ହସ୍ପିଟାଲକୁ ନେଇ କିଡନୀ ବିକ୍ରି କରିଥିବାର ସ୍ୱାମୀଙ୍କ ନାମରେ ଥାନାରେ ଅଭିଯୋଗକଲେ ସ୍ତ୍ରୀ

ମାଲକାନଗିରି, ୨୪/୮ (ଓଡ଼ିଆ ପୁଅ) ଚିକିତ୍ସା ବାହାନାରେ ହସ୍ପିଟାଲକୁ ନେଇ ନିଜ ପତ୍ନୀର କିଡ଼ନୀ ବିକ୍ରି କରିଥିବାର ସ୍ୱାମୀଙ୍କ ନାମରେ ଆଜି ଥାନାରେ ଅଭିଯୋଗ କରିଛନ୍ତି ପତ୍ନୀ।

ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ବ୍ଲକସ୍ଥ କତାମେଟା ଗ୍ରାମରେ। ଆଜି ଜଣେ ମହିଳା ତାଙ୍କ ପରିବାର ମାଲକାନଗିରି ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି। ମାଲକାନଗିରି ଜିଲ୍ଲା କୋତାମେଟା ଗାଁ ର ରଞ୍ଜିତା କୁଣ୍ଡୁ ଗତ ୧୨ ବର୍ଷ ତଳେ ସେହି ଗ୍ରାମରେ ରହୁଥିବା ପ୍ରଶାନ୍ତ କୁଣ୍ଡୁଙ୍କୁ ବିବାହ କରିଥିଲେ।

ହେଲେ ୟା ମଧ୍ୟରେ ଉଭୟଙ୍କ ଗୋଟିଏ କନ୍ୟା ଏବଂ ପୁତ୍ର ସନ୍ତାନ ଥିବାବେଳେ କୌଣସି କାରଣରୁ ପାରିବାରିକ କଳହ ଆରମ୍ଭ ହୋଇଥିଲା। ତଥାପି ସହ୍ୟ କରି ରଞ୍ଜିତା ଶାଶୂ ଘରେ ରହୁଥିଲେ। ଗତ ୨୦୧୮ ମସିହାରେ ସ୍ୱାମୀ ପ୍ରଶାନ୍ତ ସ୍ତ୍ରୀକୁ ମେଡିକାଲ ଚିକିତ୍ସା କରିବା ବାହାନାରେ ଭୁବନେଶ୍ୱର ଏକ ଘରୋଇ ମେଡିକାଲକୁ ନେଇ ସେଠାରେ ଇଞ୍ଜେକ୍ସନ ଦେଇ ଅଚେତ କରି କିଡ୍ନୀ ବିକ୍ରୀ କରିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ରଞ୍ଜିତା। ଏମଭି ୩୮ ଗାଁର ଅସୀମ ହାଲଦାର ନାମକ ବ୍ୟକ୍ତିଙ୍କୁ ଏହି କିଡ୍ନୀ ବିକ୍ରୀ କରିଦେଇଥିବା ଅଭିଯୋଗ କରିଛନ୍ତି ରଞ୍ଜିତା।

ପରେ ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନା ଯାଇ ପରୀକ୍ଷା କଲାପରେ ସେ ଜାଣି ପାରିଥିଲେ ତାଙ୍କର ଗୋଟିଏ କିଡନୀ ନାହିଁ। ତେବେ ବଳପୂର୍ବକ କୀଡ୍ନୀକୁ ବିକ୍ରୀ କରି ଭୁବନେଶ୍ୱର ଏକ ମେଡିକାଲରେ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ କରିଥିବା ଅଭିଯୋଗରେ ପ୍ରଶାନ୍ତ କୁଣ୍ଡୁକୁ କଠୋର ଦଣ୍ଡ ଦେବାପାଇଁ ଆଜି ରଞ୍ଜିତାର ପରିବାର ଏବଂ ଗାଁ ଲୋକ ମାଲକାନଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ପ୍ରଶାନ୍ତଙ୍କ ନିଜଘର ବଙ୍ଗଲା ଦେଶରେ, ସେ ଜଣେ ଅନୁପ୍ରବେଶ କାରୀ, ଗତ କିଛି ବର୍ଷ ହେଲା ସେ କତାମେଟାରେ ରହି ଆସୁଥିଲେ। କୌଶଳ କରି ରଞ୍ଜିତାକୁ ବିବାହ ହୋଇଥିଲା। ଏବେ ରଞ୍ଜିତାକୁ ବାପ ଘରକୁ ବିଦା କରିଦେଇ ଆଉ ଏକ ଝିଅକୁ ନେଇ ଫେରାର ହୋଇ ଯାଇଥିବାର ରଞ୍ଜିତାଙ୍କ ପରିବାର ଓ ଗ୍ରାମ ବାସୀମାନେ ଅଭିଯୋଗ କରିଛନ୍ତି।

କିଡନୀ ବିକ୍ରି କରିଥିବାର ନିଜ ସ୍ୱାମୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ପତ୍ନୀ।ଏ ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ ଚାଲିଛି। ମହିଳାଙ୍କ ସ୍ୱାମୀ ଫେରାର ଥିବାରୁ ତାଙ୍କୁ ଖୋଜା ଚାଲିଛି ବୋଲି ମାଲକାନଗିରି ଥାନା ଅଧିକାରୀ ରିଙ୍ଗନ କୋଣ୍ଡୋ କହିଛନ୍ତି।