Odiapua.com

ଚିକିତ୍ସା ଅଭାବରୁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ

କରଞ୍ଜିଆ, ୨୮/୦୯, (ଓଡ଼ିଆ ପୁଅ ପି ନାଏକ): କରଞ୍ଜିଆ ଥାନା ଅନ୍ତର୍ଗତ ହାତିବାରୀ ହାଇସ୍କୁଲରେ ଅଘଟଣ। ହଷ୍ଟେଲରେ ରହି ପାଠ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରୀ ସିନଗା ସୟଙ୍କ ମୃତ୍ୟୁ ଘଟିଛି। ଅସୁସ୍ଥତା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଛାତ୍ରୀଜଣକ ଦୀର୍ଘଦିନ ହେବ ଅସୁସ୍ଥ ଥିବା ସତ୍ତ୍ୱେ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା କରାଇନଥିଲେ କିମ୍ବା ପରିବାରକୁ ଖବର ଦେଇନଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ହଷ୍ଟେଲରେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଉଥିବା ରାସ୍ତାରେ ଛାତ୍ରୀର ମୃତ୍ୟୁ ହୋଇଥିଲା। ଛାତ୍ରୀ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।