Odiapua.com

ଚିକିତ୍ସା ଅବହେଳାରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ବାଲିଗୁଡା, ୨୫/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ଡ଼ାକ୍ତରଙ୍କ ଅବହେଳା ଯୋଗୁଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗାଁ’ର କୈଳାଶ ପାତ୍ର ନାମକଙ୍କ ସ୍ତ୍ରୀ ଗିତାଞ୍ଜଳିଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଗର୍ଭ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଅଶା କର୍ମୀ ରୁକ୍ମଣୀ କହଁରଙ୍କ ସହଯୋଗରେ ପରିବାର ଲୋକେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସମ୍ପୃକ୍ତ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜେ ସାଇ ରଜତ ରଶ୍ମି ତାଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ତେବେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଫିରିଙ୍ଗିଆରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗକ୍ରମେ ଫୁଲବାଣୀ ଚିକିତ୍ସା କେନ୍ଦ୍ରରେ ସମ୍ପୃକ୍ତ ଗର୍ଭବତୀ ମହିଳାଙ୍କୁ ଭର୍ତ୍ତି କରାଯିବାର ପ୍ରାୟ ତିନି ଘଣ୍ଟା ପର୍ଯ୍ୟନ୍ତ ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ କୌଣସି ଡାକ୍ତର କିମ୍ବା ନର୍ସ ଆସିନଥିଲେ। ତେବେ ଦୀର୍ଘ ସମୟ ଅପେକ୍ଷା କଲାପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଆସି ସମ୍ପୃକ୍ତ ମହିଳା କିମ୍ବା ତାଙ୍କ ପରିବାର ସହ କିଛି କଥାବାର୍ତ୍ତା ନକରି ସିଧା ସଳଖ ଫୁଲବାଣୀ ଚିକିତ୍ସାଳୟରୁ ବ୍ରହ୍ମପୁର ବଡ ମେଡିକାଲକୁ ରେଫର କରିଦେଇଥିଲେ। ତେବେ ୧୦୮ ଆସିବାରେ ବହୁ ବିଳମ୍ବ କରିଥିଲା। ଶେଷରେ ରାତି ୩ ଟାରେ ୧୦୮ ଆମ୍ବୁଲାନ୍ସ ଆସିବା ପରେ ସମ୍ପୃକ୍ତ ମହିଳାଙ୍କୁ ବ୍ରହ୍ମପୁର ନିଆଯିବା ବାଟରେ କଲିଙ୍ଗିଆ ଘାଟି ନିକଟରେ ମହିଳା ଜଣକ ଚେତାଶୂନ୍ୟ ହୋଇଯାଇଥିଲେ। ପରିବାର ଲୋକେ ମହିଳାଙ୍କ ଏହି ଅବସ୍ଥା ଦେଖି ପାଖରେ ଥିବା ଭଞ୍ଜନଗର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସେଠାରେ ଗୀତାଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା। ତେବେ ଫୁଲବାଣୀ ଡାକ୍ତରଖାନାରେ ସମ୍ପୃକ୍ତ ଡାକ୍ତରଙ୍କ ଅବହେଳା ପାଇଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ସମ୍ପୃକ୍ତ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାସହ ଚିକିତ୍ସାରେ ଅବହେଳା କରିଥିବା ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।