Odiapua.com

ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁ ଘଟଣା, ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଲାଗି ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୩୨ ମାସ ତଳେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ନାବାଳିକାର ମୃତ୍ୟୁ ଅଭିଯୋଗ ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର ଆୟୋଗ (କମିଶନ) ନାବାଳିକାର ପରିବାରକୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିପୂରଣ ଅର୍ଥ ରାଜ୍ୟ ସରକାର ନିଜେ ନାବାଳିକାର ବାପାଙ୍କୁ ପ୍ରଦାନ କରିବେ । ତେବେ ଏହି କ୍ଷତିପୂରଣ ଅର୍ଥ କାର୍ଯ୍ୟରେ ଅବହେଳା କରିଥିବା ଡାକ୍ତର, ନର୍ସ ଅଥବା ସହାୟକଙ୍କ ଠାରୁ ଆଦାୟ କରାଯିବ କି ନାହିଁ ସରକାର ସ୍ଥିର କରିବେ ବୋଲି ଆୟୋଗ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ ଯେ: ଧାମନଗର ବ୍ଲକ ଚୂଡ଼ାକୁଟି ଦଇପୁର ଗ୍ରାମର ଅଭିମନ୍ୟୁ ମଲିକଙ୍କ ଝିଅ ଦେବସ୍ମିତା(୧୪) ୨୦୧୮ ଜୁଲାଇ ୨ ତାରିଖ ରାତିରେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ବର୍ହିବିଭାଗ ଦାୟିତ୍ୱରେ ଥିବା ଡାକ୍ତର ରୋଗୀକୁ ଦେଖିବା ପରେ ଇଜେଂକସନ ଓ ସାଲାଇନ ଲେଖି ଆଡମିଶନ ପାଇଁ ପରାମର୍ଶ ଦେଇଥିଲେ । ପରେ ରାତି ୧୨ଟା ବେଳକୁ ଶୁଭସ୍ମିତାର ଅବସ୍ଥା ଗୁରୁତର ହୋଇଥିଲା । ଦାୟିତ୍ୱରେ ଥିବା ନର୍ସଙ୍କୁ ଅଭିମନ୍ୟୁ ନିଜ ଝିଅର ଅବସ୍ଥା ଜଣାଇଥିଲେ । ହେଲେ ଶୋଇଥିବା ନର୍ସ ରୋଗୀ ନିକଟକୁ ଆସିନଥିଲେ ବୋଲି ଅଭିଯୋଗ ହୋଇଥିଲା । ରାତି ପ୍ରାୟ ୨ଟା ବେଳକୁ ଦେବସ୍ମିତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଘଟଣା କୁ ନେଇ ପରବର୍ତୀ ଅବସ୍ଥାରେ ଉତେଜନା ପ୍ରକାଶ ପାଇଥିଲା । ଶବକୁ ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ରଖି ପ୍ରତିବାଦ କରାଯାଇଥିଲା । ସିଡିଏମଓଙ୍କ ନିର୍ଦେଶ ମତେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ପ୍ରଦୀପ କୁମାର ଖୁଂଟିଆ ଘଟଣାର ତଦନ୍ତ କରିଥିଲେ । ଡ୍ୟୁଟିରେ ଥିବା ଡାକ୍ତର, ନର୍ସଙ୍କ ସମେତ ପରିବାର ଲୋକଙ୍କ ବୟାନ ସଂଗ୍ରହ କରିଥିଲେ । ପରେ ତଦନ୍ତ ରିପୋର୍ଟ ସିଡିଏମଓଙ୍କୁ ପ୍ରଦାନ କରାଯାଇଥିଲା । ସିଡିଏମଓ ଡାକ୍ତର ଓ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି ସୂଚନା ଦିଆଯାଇଥିଲା । ଏପଟେ ତେବେ ବିଭାଗୀୟ ତଦନ୍ତ ଶୈଳୀ ନିରପେକ୍ଷ ନୁହେଁ ବୋଲି ଦର୍ଶାଇ ନୂଆପଡା ତରଭାର ମାନବାଧିକାର କର୍ମୀ ଶ୍ରୀକୁମାର ମହନ୍ତ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାନବାଧିକାର କମିଶନରେ ୨୫୯୫/୨୦୧୮ ମୂଳେ ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାର ଶୁଣାଣି କରି କମିଶନ ଏହି ରାୟ ପ୍ରକାଶ କରିଛନ୍ତି ।