Odiapua.com

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ବର୍ଷବର୍ଷ ଧରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡିରହିଛନ୍ତି ଆଦିବାସୀ ଯୁବକ

ହରିଚନ୍ଦନପୁର,ତା ୨୭ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସରକାର ଲୋକଙ୍କୁ ଉଚିତ୍ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବାର୍ଷିକ କୋଟି କୋଟି ଟଙ୍କାର ବ୍ୟୟ ବରାଦରେ ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି । ହେଲେ ସେହି ଯୋଜନା ବା ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଅନେକ ଆଦିବାସୀ ଶ୍ରେଣୀର ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ିପଡ଼ି ମୃତ୍ୟୁ ବରଣ କରୁଥିବା ନଜିର ରହିଛି । ଏମିତି ଏକ ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ଗ୍ରାମ ପଞ୍ଚାୟତ ଶୁଆକାଠି ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ଦଶରଥ ସିଂଙ୍କୁଙ୍କ ପୁଅ ଗୋବିନ୍ଦ ସିଂଙ୍କୁ(୨୪) ଅଜଣା ରୋଗରେ ଆକ୍ରାନ୍ତ ହୋଇ ବର୍ଷ ବର୍ଷ ଧରି ବିଛଣାରେ ପଡି ରହି ଜୀବନ ସହ ସଂଘର୍ଷ କରିଚାଲିଛନ୍ତି । ଗୋବିନ୍ଦଙ୍କ ପାଠ ପଢ଼ିବାରେ ଅନେକ ଇଚ୍ଛା ଥିଲା, ଏଥିସହ ଉଚ୍ଚ ଶିକ୍ଷିତ ହୋଇ ଦିନେ ପରିବାର ଓ ଗ୍ରାମ ପାଇଁ କିଛି କରିବା ପାଇଁ ଆଗ୍ରହ ରଖିଥିଲେ । ହେଲେ ତାଙ୍କର ସବୁ ଇଚ୍ଛା ଓ ଆଗ୍ରହ ମାଟିରେ ମିଶିବା ଭଳି ଦୃଶ୍ୟ ତାଙ୍କୁ ଦେଖିଲେ ଜଣାପଡ଼ିଛୁ । ୮ମ ଶ୍ରେଣୀରେ ଭଲ ପାଠ ପଢ଼ି ୯ମ ଶ୍ରେଣୀକୁ ଉର୍ତ୍ତିନ୍ ହେବା ପରେ ଅଜଣା ରୋଗର ଶୀକାର ହୋଇ ଧିରେ ଧିରେ ଦୁର୍ବଳ ହୋଇପଡ଼ିଥିଲେ । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ଚିକିତ୍ସା ନିମନ୍ତେ ପରିବାର ଲୋକେ କିଛି ଟଙ୍କା ଯୋଗାଡ଼ କରି ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବା କାରଣରୁ ପରିବାର ଲୋକେ ସମ୍ପର୍କୀୟଙ୍କ ସହ କଥା ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କ ଚିକିତ୍ସା କରାଇଥିଲେ, ହେଲେ ଚିକିତ୍ସାରେ କିଛି ସୁଧାର ନ ଆସିବା କାରଣରୁ କଟକ ବଡ଼ ଡ଼ାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ । ହେଲେ ଅର୍ଥ ଅଭାବ କାରଣରୁ କଟକ ନେଇ ଚିକିତ୍ସା କରିବା ପରିବାର ପକ୍ଷେ ସମ୍ଭବ ହୋଇନଥିଲା । ରୋଗରେ ଆକ୍ରାନ୍ତ ହୋଇ ଧିରେ ଧିରେ ଦୁଇଟି ଗୋଡ଼ ଓ ଡାହାଣ ହାତ ଅଚଳ ହେଇ ବଙ୍କା ହୋଇଗଲା । ବର୍ତ୍ତମାନ ବୟସରେ ସେ ରୋଜଗାର କରି ପରିବାର ପୋଷଣ କରିବା ସମୟରେ ବିଛଣାରେ ପଡି ପରିବାର ପାଇଁ ଏକ ପ୍ରକାର ବୋଝ ପାଲଟିଛନ୍ତି । ପରିବାରରେ କେବଳ ବାପା ମାଆ ଥିବାବେଳେ ବାପା ଦଶରଥ ଓ ମାଆ ଟିଙ୍ଗିଙ୍କ ବୟସ ଅଧିକ ହୋଇଯାଇଥିବା ବେଳେ ରୋଗରେ ଆକ୍ରାନ୍ତ ପୁଅର ଅବସ୍ଥା ଦେଖି ଦିନକୁ ଦିନ ଚିନ୍ତା ବଢୁଛି । ହାତ ଗୋଡ଼ ଅଚଳ ଓ ବଙ୍କା ଅବସ୍ଥାରେ ବିଛଣାରେ ପଡିରହିଥିବା ପୁଅର ପ୍ରତ୍ୟେକ ଦିନ ନିତ୍ୟକର୍ମ ଓ ଖାଦ୍ୟ ଖୁଆଇବା ବାପା ମାଆଙ୍କ ପାଇଁ ବହୁତ କଷ୍ଟକର ହୋଇପଡିଛି । ଯଦି ତାଙ୍କ ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ମିଳିପାରନ୍ତା, ଓ ଠିକ୍ ଭାବରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଚିକିତ୍ସା କରାଯାଇପାରିଥାନ୍ତା, ତେବେ ସେ ଠିକ୍ ହୋଇପାରନ୍ତେ ଓ ନିଜର ନିତ୍ୟକର୍ମ ନିଜେ କରିପାରନ୍ତେ । ସରକାରୀ ଯୋଜନା ଅନେକ ରହିଛି ହେଲେ ସବୁ ଯୋଜନାରୁ ଆଜି ପର୍ଯ୍ୟନ୍ତ ସେ ବଞ୍ଚିତ ହୋଇ ରହିଥିବା ପ୍ରକାଶ କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପରିବାର ଓ ଗ୍ରାମବାସୀଙ୍କ ଦାବି ହୋଇଛି ।