Odiapua.com

ଚାଷୀ ସଚେତନତା ପାଇଁ ୩୫ ହଜାର ମଣ୍ଡିକୁ ଯିବ ବିଜେପି କୃଷକ ମୋର୍ଚ୍ଚା

ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଭାରତୀୟ କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ପ୍ରଣୀତ ନୂତନ କୃଷି ଆଇନ୍ ଏକ ମାଇଲଖୁଣ୍ଟ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ଆଇନ୍ ପରିତ ହେବାର ୨୪ ଘଣ୍ଟା ମଧ୍ୟରେ ଦେଶର ଉତ୍ପାଦିତ ୬ ଗୋଟି ଫସଲର ସହାୟକ ମୂଲ୍ୟ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ବିଶେଷ କରି ଅଭାବୀ ବିକ୍ରି ଭଳି ପରିସ୍ଥିତିକୁ ଏଡ଼ାଇବା ଓ ଦଲାଲଙ୍କ କବଳରୁ ମୁକ୍ତ କରି କୃଷକକୁ ଅଧିକ ସଶକ୍ତ କରିବା ପାଇଁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୂତନ କୃଷି ଆଇନ୍ ପ୍ରଣୟନ ଏକ ଐତିହାସିକ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ତାର ସହ ପ୍ରକାଶ କରିଛନ୍ତି। ଚଳିତବର୍ଷ କେନ୍ଦ୍ର ସରକାର ଚାଷୀଙ୍କଠାରୁ ଧାନ କ୍ରୟ ପାଇଁ ୧୮ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିବା ବେଳେ ଓଡ଼ିଶାରେ ସରକାର ଟୋକନ ନାଆଁରେ ଚାଷୀଙ୍କୁ ହଇରାଣ କରିଚାଲିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଚାଲିଥିବା ସାର ଓ କୀଟନାଶକ ଔଷଧର କଳାବଜାରୀ ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଇଛି ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଆରୋପ କରିଛନ୍ତି। ସେହିଭଳି ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କାଳିଆ ଯୋଜନା ଆଳରେ ଚାଷୀଙ୍କୁ ଠକିଛନ୍ତି। ରାଜ୍ୟ ସରକାରଙ୍କ ତାଲିକାରେ ୫୨ଲକ୍ଷ ଚାଷୀ ଥିବା ବେଳେ ପିଏମ କିଷାନ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ କାହିଁଗି ସ୍ଥାନୀତ କରାଯାଇଛି ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ଚାଷୀଙ୍କୁ ଉଚିତ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏଭଳି ସ୍ଥିତିରେ ଆସନ୍ତା ୩ମାସ ମଧ୍ୟରେ ବିଜେପି କୃଷକ ମୋର୍ଚ୍ଚା ‘ମଣ୍ଡି ଚାଲ ଅଭିଯାନ’ ମାଧ୍ୟମରେ ଓଡ଼ିଶାର ୩୫ ହଜାର ମଣ୍ଡିକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିବ। ମଣ୍ଡିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ମିଳୁଥିବା ସହାୟତା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ଲେଙ୍କା, ରଘୁନାଥ ମହାନ୍ତି, ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ୍ ମିଶ୍ର, ବିଜେପି କୃଷକ ମୋର୍ଚ୍ଚା ମୁଖ୍ୟ ପ୍ରମୁଖ୍ ଉପସ୍ଥିତ ଥିଲେ।