Odiapua.com

ଚାଷୀ ରମାକାନ୍ତ ମଳିକଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଅସଲ ଚେହେରା, ଚରିତ୍ର ଓ ଚାଲାକିକୁ ଆଉ ବରଦାସ୍ତ କରାଯିବ ନାହିଁ – ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର ୧୫-୯ (ଓଡ଼ିଆ ପୁଅ) – ରାଜ୍ୟରେ ୬୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ଚଳିତ ମହା ପ୍ରଳୟଙ୍କରୀ ବନ୍ୟା ଚାଷୀର ଝାଳବୁହା ପରିଶ୍ରମକୁ ଖିନ୍‌ଭିନ୍ କରି ଦେଇଛି। ଅମଳର କାଣିଚାଏ ଆଶା ନପାଇବା କାରଣରୁ ବାଧ୍ୟହୋଇ ଋଣ ବୋଝ ତଥା ହାତ ଉଧାରି ସୁଝି ନପାରିବାର ମାନସିକ ଚାପଗ୍ରସ୍ତ ହୋଇ ଭାରସାମ୍ୟ ହରାଇ ସଂପ୍ରତି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରପଦା ଗ୍ରାମପଂଚାୟତ ଅଧିନସ୍ଥ ୭ ନମ୍ବର ୱାର୍ଡର ଦଳିତ ଚାଷୀ ରମାକାନ୍ତ ମଳିକ ତା ୧୦-୯-୨୦୨୦ ରିଖ ଶୁକ୍ରବାର ଦିନ ଅପରାହ୍ନ ପ୍ରାୟ ୩ ଘଟିକା ସମୟରେ ନିଜ କ୍ଷେତ ନିକଟସ୍ଥ ବରଗଛରେ ରଶି ଲଗାଇ ଆତ୍ମହତ୍ୟା କରିବା ପ୍ରସଙ୍ଗ ରାଜ୍ୟରେ ଚାଷୀକୂଳ ପାଇଁ ମିଥ୍ୟା, ସୁନେଲି ସ୍ୱପ୍ନ ଦେଖାଉଥିବା ୨୧ ବର୍ଷ ଧରି ବିଜେଡି ସରକାରର ଅସଲ ଚେହେରା, ଚରିତ୍ର ଓ ଚାଲାକିକୁ ପଦାରେ ପକାଇ ଦେଇଛି। ପ୍ରକାଶଥାଉକି ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲିକଙ୍କ ଘର ଠାରୁ ମାତ୍ର ୩ କିଲୋମିଟର ଦୂରରେ ସ୍ୱର୍ଗତ ରମାକାନ୍ତଙ୍କ ଘର ହୋଇଥିଲେ ବି ଏଯାବତ୍ ଶ୍ରୀମତୀ ମଲିକ ତାଙ୍କ ଘରେ ନ ପହଂଚିବା କିମ୍ବା ଶାସକ ଦଳର ମନ୍ତ୍ରୀ, ଯାଜପୁର ଲୋକସଭା ସାଂସଦ ଓ ଅନ୍ୟାନ୍ୟ ବିଧାୟକମାନେ ସାମାନ୍ୟତମ ସମବେଦନା ନଜଣାଇବା ସମଗ୍ର ଚାଷୀକୂଳ ପ୍ରତି ଚରମ ଉପହାସ।

ସ୍ୱର୍ଗତ ରମାକାନ୍ତ ବାବୁ ନିଜସ୍ୱ ୨୦ – ୨୨ ଗୁଣ୍ଠ ଜମିରେ ଚାଷ କରିବା ସହ ଅନ୍ୟ ଲୋକର ପାଖାପାଖି ୪ ଏକର ଜମି ଭାଗଚାଷ କରି ଗାଁରୁ ଅନ୍ୟୁନ ୫୦ ହଜାର ଟଙ୍କା ଧାର କରିବା ସହ ନିଜର ଗାଈ ଓ ସ୍ତ୍ରୀର ସୁନା ଜିନିଷ ବିକ୍ରୀ କରି ବହୁ ପରିଶ୍ରମ କରି ଅଧିକ ଅମଳ ଆଶା ଓ ପରିବାରର ଭରଣପୋଷଣ ନିମନ୍ତେ ଦେଖିଥିବା ସମସ୍ତ ସ୍ୱପ୍ନକୁ ବନ୍ୟା ଧୋଇଦେଇଥିବା ବେଳେ ଏ ଯାବତ୍ ବ୍ଲକ, ଜିଲ୍ଲା ଓ ରାଜ୍ୟ ପ୍ରଶାସନର କୌଣସି ଅଧିକାରୀ ତାଙ୍କ ପରିବାର ନିକଟରେ ନ ପହଂଚିବା ସରକାରଙ୍କର ଅସଲ ଆଭିମୁଖ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବରିଷ୍ଠ କଂଗ୍ରେସ ନେତା ପ୍ରାକ୍ତନ ସାଂସଦ ତଥା ପ୍ରାକ୍ତନ ସିଡବ୍ଲ୍ୟୁସି ସଦସ୍ୟ ଡଃ ରାମଚନ୍ଦ୍ର ଖୁଂଟିଆ ମତ ପ୍ରକାଶ କରିଛନ୍ତି।

ଏପରି ଏକ ସ୍ପର୍ଶକାତର ଘଟଣାରେ ସରକାରଙ୍କ ଉଦାସୀନତାକୁ ନେଇ ଅବିଳମ୍ବେ କଂଗ୍ରେସର ୨୦୧୯ ଇସ୍ତାହାରରେ ଉଲ୍ଲେଖ ଥିବା ନ୍ୟାୟ ଯୋଜନାକୁ ରାଜ୍ୟରେ ଲାଗୁ କରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସ୍ଥାନୀୟ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ମନୋରଞ୍ଜନ ଦାସ, ପିସିସିର ପ୍ରାକ୍ତନ ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ସେପ୍ଟେମ୍ବର ୧୧ ତାରିଖ ଶନିବାର ଦିନ ସ୍ୱର୍ଗତ ରମାକାନ୍ତ ବାବୁଙ୍କ ପରିବାରବର୍ଗଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ସମସ୍ତ ଘଟଣାର ଅନୁଧ୍ୟାନ କରି ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଧର୍ମପତ୍ନୀ ରେବତୀ ମଳିକ ଏବଂ ଦୁଇ ପୁତ୍ର ରଜନୀକାନ୍ତ ଓ ରତିକାନ୍ତ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଘଟଣାର ବିବରଣୀକୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ ଆଜି ଅବଗତ କରିଛନ୍ତି। ଏପରିକି ପ୍ରାକ୍ତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମନୋଜ ରାଉତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ କୁଲଦୀପ ସିଂ ରାଠୋରଙ୍କୁ ଅପରାହ୍ନ ୧ ଘଟିକାରେ ସାକ୍ଷାତ କରି ଅବିଳମ୍ବେ ବରପଦା ଗ୍ରାମ ଗସ୍ତ କରି ପରିବାରବର୍ଗଙ୍କୁ ସାକ୍ଷାତ ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବିପତ୍ର ପ୍ରଦାନ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ନିରବତାକୁ ପରିତ୍ୟାଗ କରି ଅବିଳମ୍ବେ ସ୍ୱର୍ଗତ ରମାକାନ୍ତ ବାବୁଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଶ୍ରୀଯୁକ୍ତ ଖୁଂଟିଆ ଓ ମାଝୀ ଦୃଢ ଦାବି କରିଛନ୍ତି।

୫ ଲକ୍ଷ ହେକ୍ଟର ଫସଲ କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୩୦୦ କୋଟି ଟଙ୍କା ସ୍ୱତନ୍ତ୍ର ସହାୟତା ରାଶି ସମୁଦ୍ରକୁ ଶଙ୍ଖେ ବୋଲି ପ୍ରଦେଶ କଂଗ୍ରେସ ପ୍ରାକ୍ତନ ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ ଅଭିଯୋଗ କରିଛନ୍ତି। ଏଥିରେ ଚାଷୀର କ୍ଷତି ଭରଣା ଆଦୌ ହୋଇପାରିବ ନାହିଁ। ପ୍ରତି ଏକର ପିଛା ୨୦ ହଜାର ଟଙ୍କା କୃଷି ଇନ୍‌ପୁଟ୍ ସହାୟତା ପ୍ରଦାନ, କୃଷିଋଣ ଛାଡ, ରବି ଚାଷ ପାଇଁ ମାଗଣାରେ ବିହନ, ସାର, ଔଷଧ, ବିନା ସୁଧରେ କୃଷି ଋଣ ୯୦ ପ୍ରତିଶତ ରିହାତିରେ ପମ୍ପସେଟ୍‌, ଉଠା ଜଳସେଚନ ପଏଂଟଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ପିସିସି କିଷାନ କଂଗ୍ରେସ ସଭାପତି ଶ୍ରୀ ଅମୀୟ ପଟ୍ଟନାୟକ ଦୃଢ଼ ଦାବି କରିଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ପିସିସି ଗଣମାଧ୍ୟମ ବିଭାଗର ସଂଯୋଜକ ଦୀପକ କୁମାର ମହାପାତ୍ର ସଂଯୋଜନା କରିଥିଲେ।