Odiapua.com

ଚାଷୀ ପୁଅ ହେବ ଡାକ୍ତର, ଗରୀବ ଚାଷୀର ମେଧାବୀ ପୁଅ

ଭଦ୍ରକ ୧୦।୧(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ନିଜର ବୋଲି କହିଲେ ଜମି ଗୁଣ୍ଠେ ନାହିଁ। ରହିବା ପାଇଁ ଘରବାଡ଼ି ବି ଖଣ୍ଡେ ନାହିଁ। ହେଲେ ପର ଜମି ଭାଗଚାଷକରି ସେଥିରେ ଯାହା ହୁଏ ସେଥିରେ ପରିବାର ଚଳାଇ ପୁଅକୁ ପାଠ ପଢ଼ାଉଥିଲେ। ପୁଅ ଏବେ ଏମ୍ସରେ ଡାକ୍ତରୀ ପଢିବା ପାଇଁ ନିଟ୍ ରେ ସିଲେକ୍ସନ ହୋଇଛନ୍ତି। ଏମିତି ଜଣେ ଗରିବ ଚାଷୀର ମେଧାବୀ ପୁଅ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ କରଞ୍ଜମାଳ ଗାଁର ସତ୍ୟଜିତ ବେହେରା। ସତ୍ୟଜିତଙ୍କ ଏହି ସଫଳତା ପାଇଁ ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିବାବେଳେ ଜଣେ ଚାଷୀ ପୁଅର ସଫଳତା ଏବେ ଚର୍ଚା ର ବିଷୟ ହୋଇଛି।ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କରଂଜମାଳ ଗାଁର ଭାଗଚାଷୀ ରମାକାନ୍ତ ଏବଂ ଗୃହିଣୀ ମିନତୀ ବେହେରା ଙ୍କ ପୁଅ ସତ୍ୟଜିତ ବେହେରା। ପିଲାବେଳୁ ଜଣେ ମେଧାବୀ ଛାତ୍ର ଭାବେ ସତ୍ୟଜିତ ଏହି ଅଂଚଳରେ ଶିକ୍ଷକ ଏବଂ ଗୁରୁଜନ ମାନଙ୍କର ବେଶ ଆଦରଣୀୟ ଥିଲେ। ମାଟ୍ରିକରେ ଭଲ ମାର୍କ ରଖି ପାସ କରିବା ପରେ ଭୁବନେଶ୍ୱର ସ୍ଥିତ ବିଜେପି କଲେଜରେ ପାଠ ପଢିବା ର ସୁଯୋଗ ପାଇଥିଲେ। ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଅନୁନ୍ନତ ଅଂଚଳରେ ଗରିବ ଏବଂ ଅସହାୟ ଲୋକଙ୍କ ସେବା କରିବାର ମାନସିକତା ତାଙ୍କୁ ସର୍ବଭାରତୀୟ ନିଟ ପ୍ରବେଶିକା ପରୀକ୍ଷା ଦେବାକୁ ପ୍ରେରଣା ଯୋଗାଇଥିଲା। କଲେଜ ଶିକ୍ଷା ସହିତ ସେ ମେଡିକାଲ କୋଚିଂ ନେଉଥିଲେ। ଆଉ ନିଟ ରେ ସଫଳ ହୋଇ କଲିକତା ସ୍ଥିତ ଏମ୍ସ ରେ ଏମ.ବି.ବି.ଏସ୍ ପାଠ ପଢିବା ପାଇଁ ମନୋନୀତ ହୋଇଛନ୍ତି। ଆଉ ଏହି ସଫଳତା ପାଇଁ ସତ୍ୟଜିତ ନିଜ ବାପା-ମାଙ୍କ ସହିତ ନିଜ ମାମୁଁ ପାଠ ପଢ଼ାରେ ସାହାଯ୍ୟ ସହଯୋଗ କରିଥିବା କରୁଥିବା ଶିକ୍ଷକ-ଗୁରୁଜନ ଏବଂ ସହପାଠୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସତ୍ୟଜିତଙ୍କ ବାପା ରାମାକାନ୍ତ କେବଳ ଜଣେ ଭୂମିହୀନ ତା ନୁହେଁ ଜଣେ ଗରିବ ଭାଗ ଚାଷୀ। ଭାଗଚାଷ ଏବଂ ଅନ୍ୟାନ୍ୟ ମୂଳ ମଜୁରୀ ରୁ ଯାହା ମିଳେ ସେଥିରେ ୩ ଝିଅ ଏକମାତ୍ର ପୁଅ ଙ୍କ ପାଠ ପଢା ସହିତ ପରିବାର ପ୍ରତିପୋଷଣ କରିଥାନ୍ତି। ନିଜର ଜାଗା ଜମି ନଥିବାରୁ ସରକାରୀ ଜାଗାରେ ଘର ଖଣ୍ଡେ ତୋଳି ରହିଛନ୍ତି। ଅଭାବ ଅନାଟନ ମଧ୍ୟରେ ସେ ଇତି ମଧ୍ୟରେ ନିଜ ତିନି ଝିଅଙ୍କ ବାହାଘର ସାରି ଦେଇଛନ୍ତି। ଝିଅ ବିଭାଘର ବେଳେ ନିଜର ଶେଷ ସମ୍ବଳ ପିତୃ ପ୍ରଦତ୍ତ ଘର ଡିହ ଖଣ୍ଡକ ବିକି ଦେବା ପରେ ଏବେ ସରକାରୀ ଜାଗାରେ ଘରଖଣ୍ଡେ ତୋଳି ପଡିରହିଛନ୍ତି। ସତ୍ୟଜିତକୁ ପାଠ ପଢ଼ାଇବା ଏବଂ ପରିବାର ଚଳାଇବାକୁ ରାମାକାନ୍ତ ଙ୍କୁ ଭାଗ ଚାଷରେ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଛି। ନିଜର ଏହି ଦୁର୍ଦ୍ଦିନରେ ମାମୁଁ ଘରେ ରହି ସତ୍ୟଜିତଙ୍କୁ ପାଠ ପଢିବାକୁ ପଡିଛି।ଏବେ ଡାକ୍ତରୀ ପଢିବା ସ୍ୱପ୍ନ ସଫଳ ହେବା ପରେ ଏବେ ସମସ୍ତେ ଖୁସି। ଧାର ଉଧାର କରି କଲିକତା ଏମ୍ସ୍ ରେ ପୁଅର ନାମ ଲେଖାଇ ସାରିଲେଣି। ସତ୍ୟଜିତ ବି ଆଗକୁ ଡାକ୍ତର ହୋଇ ବାପା ମାଙ୍କ ଦୁଃଖ ଦୂର କରିବା ସହିତ ନିଜ ଅଞ୍ଚଳରେ ଡାକ୍ତରୀ ସେବାରୁ ବଂଚିତ ଲୋକଙ୍କୁ ସେବା କରିବେ ବୋଲି କହିଛନ୍ତି।ଥିଲାବାଲା ଘରର ପିଲା ସରକାରୀ ସିଟ ରେ ମେଡିକାଲ ପଢିବାକୁ ସମର୍ଥ ହେଉନଥିବା ବେଳେ ଜଣେ ଗରିବ ଭୂମିହୀନ ଭାଗ ଚାଷୀ ର ପୁଅ ଡାକ୍ତରି ପାଠ ପଢିବାକୁ ଯୋଗ୍ୟତା ହାସଲ କରିବା ଯେତିକି ଉତ୍ସାହ ଜନକ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ନିଜ ଅଞ୍ଚଳର ଗରୀବ ଏବଂ ଅସହାୟ ଲୋକଙ୍କ ସେବା କରିବାର ମାନସିକତା ସେତିକି ସ୍ୱାଗତଯୋଗ୍ୟ। ତେବେ ଡାକ୍ତରୀ ପାଠ ଭଳି ଏକ ବ୍ୟଵ୍ୟଵହୁଳ ଶିକ୍ଷା ପାଇଁ ଆଗକୁ ଦରକାର ହେଉଥିବା ଅର୍ଥ କୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ସତ୍ୟଜିତ ଙ୍କ ବାପା ରାମାକାନ୍ତ।