Odiapua.com

ଚାଷୀ ତଥା ପୂର୍ବତନ ସରପଞ୍ଚ ପୂର୍ଣ୍ଣ ମାନ୍ନାଙ୍କ ଆତ୍ମହତ୍ୟା

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମରା ଅଂଚଳରେ ଜଣେ ଚାଷୀ ରୂଣ ଭାର ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ପ୍ରାପ୍ତ ଖବରରୁ ଜଣାଯାଇଛି କରଣ ପଲ୍ଲୀ ପଂଚାୟତର ପୂର୍ଣ୍ଣଚନ୍ଦ୍ର ମାନ୍ନା ଜଣେ ଚାଷୀ ଏବଂ ବରିଷ୍ଠ କଂଗ୍ରେସ ନେତା ଭାବେ ଅଂଚଳରେ ଖ୍ୟାତି ଲାଭ କରିଥିଲେ । ଦୀର୍ଘ ଦିନ ହେବ ସେ ଚିଙ୍ଗୁଡି ଚାଷ କରି ଆସୁଥିବା ବେଳେ ଏହି ଚାଷରେ ବିପୁଳ ପରିମାଣରେ କ୍ଷତି ସହି ଆସୁଥିଲେ ବୋଲି ପରିବାର ବର୍ଗ ଅଭିଯୋଗ ଆଣିଛନ୍ତି । ଏହି ଚିଙ୍ଗୁଡି ଚାଷ ଏବଂ ଅନ୍ୟାନ୍ୟ ଚାଷ ପାଇଁ ସେ କୋଅପରେଟିଭ ସୋସାଇଟି ଠାରୁ ଆରମ୍ଭ କରି ବିଭିନ୍ନ ରାଷ୍ଟାୟତ ବ୍ୟାଙ୍କ ଏବଂ ପ୍ରାଇଭେଟ ବ୍ୟାଙ୍କରୁ ରଣ ଆଣି ଏହି ଚାଷ କରୁଥିଲେ । ଦୀର୍ଘ ଦିନ ଏହି ରଣ ଭାରରେ ଉବୁଟୁବୁ ହୋଇ କ୍ଷତି ସହିବା ପରେ ସେ ନିଜକୁ ଅସହାୟ ମନେକରି ଆଜି ନିଜ ଘରେ ଲାଗିଥିବା ଫ୍ୟାନରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ସେ ଦୀର୍ଘ ଦିନ ହେବ ଚାଷୀ ଭାବେ ଖ୍ୟାତ ଥିବା ବେଳେ ୧୯୯୨ ମସିହାରେ ସେ କରଣପଲ୍ଲୀ ପଂଚାୟତର କଂଗ୍ରେସ ଦଳର ସରପଂଚ ଏବଂ ୨୦୦୨ ମସିହାରେ ସେ ମଧ୍ୟ ସମିତିସଭ୍ୟ ଭାବେ ଜିତିଥିଲେ । ଅଂଚଳରେ ତାଙ୍କର ଖ୍ୟାତି ଥିବା ବେଳେ ଆଜି ତାଙ୍କର ଶେଷ ଦର୍ଶନ ପାଇଁ ଚାନ୍ଦବାଲି ବ୍ଲକର କଂଗ୍ରେସ ନେତା ଅମୀୟ କୁମାର ମହାପାତ୍ର, ଦିଗମ୍ବର ଦାସ,କିଣୁରାମ ଜେନା,ନରେନ୍ଦ୍ର ମାଇତି,ଦୁଃଖ ଜେନା,ପୂର୍ଣ ମାଝୀ ଙ୍କ ସହ ବିକି ମଣ୍ଡଳ ପ୍ରମୁଖ ତାଙ୍କ ବାସ ଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଏହି ଦୁଃସମୟରେ ତାଙ୍କ ପରିବାରକୁ ଆଶ୍ୱସନା ମଧ୍ୟ ଦେଇଥିଲେ । ତାଙ୍କର ମୃତ୍ୟୁରେ ଅଂଚଳବାସୀ ଶୋକପ୍ରକାଶ ମଧ୍ୟ କରିଛନ୍ତି ।ତାଙ୍କର ଏହି ଅପମୃତ୍ୟୁ କୁ ନେଇ ବାଂଶଡା ଥାନାରେ ଏକ ମାମଲା ରୁଜୁ ହୋଇଛି । ଏଠାରେ ସୂଚନାଯୋଗ୍ୟ ତାଙ୍କରି ଉଦ୍ୟମରେ କରଣପଲ୍ଲୀ ପଞ୍ଚାୟତ ହାଇସ୍କୁଲ ଗଢିଉଠିଥିବାବେଳେ ସେ ଜଣେ ପରୋପକାରୀ,ଅମାୟିକ ଓ ମେଳାପି ଲୋକ ଥିଲେ ।