Odiapua.com

ଚାଷୀ ତଣ୍ଟିରେ କାଳିଆ କଣ୍ଟା

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଧାନସଭା ନିର୍ବାଚନ ପୂର୍ବରୁ ‘କାଳିଆ’ ଯୋଜନା ମାଧ୍ୟମରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ସରକାର । ତେବେ ଯୋଜନାରେ ଅନେକ ଅନିୟମିତତା ହୋଇଥିବା ଦର୍ଶାଇ ରାଜ୍ୟର ୨ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଦର୍ଶାଯାଇଛି । ଏବେ ସରକାରଙ୍କ ପକ୍ଷରୁ କାଳିଆ ଟଙ୍କା ଫେରସ୍ତ ପାଇଁ ସେହି ଅଯୋଗ୍ୟ ଘୋଷିତ ହିତାଧିକାରୀଙ୍କୁ ହାତକୁ ଧରେଇ ଦିଆଯାଇଛି ନୋଟିସ୍ । ଏହି କ୍ରମରେ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ରାହାଞ୍ଜ ପଂଚାୟତର କିଛି ଚାଷୀଙ୍କୁ ଅଯୋଗ୍ୟ ହିତାଧିକାରୀ ଘୋଷଣା କରାଯାଇଛି । ପଂଚାୟତର ୨୬ ଜଣ ଚାଷୀଙ୍କୁ ଅଯୋଗ୍ୟ ତାଲିକାରେ କାଳିଆ ଟଙ୍କା ଫେରସ୍ତ ପାଇଁ ସରକାରଙ୍କ ପକ୍ଷରୁ ମିଳିଛି ନୋଟିସ୍ । ଏକମାସ ମଧ୍ୟରେ ପାଇଥିବା କାଳିଆ ଟଙ୍କା ଫେରାଇବା ପାଇଁ ନୋଟିସ୍‌ରେ ଦର୍ଶାଯାଇଛି । ତେବେ ନୋଟିସ୍ ପାଇବା ପରେ ଏବେ ଏହି ଚାଷୀମାନଙ୍କ ମୁଣ୍ଡରେ ପଡିଛି ଚଡକ । ଦେଢବର୍ଷ ପୂର୍ବେ କାଳିଆ ଯୋଜନାରେ ସମସ୍ତ ଚୟନ କରାଯାଇ ଯୋଗ୍ୟ ବିବେଚିତ ପରେ ବର୍ତ୍ତମାନ କିଭଳି ସେମାନଙ୍କୁ ଅଯୋଗ୍ୟ କରାଯାଇଛି, ଏହାକୁ ନେଇ ପ୍ରଶ୍ନ କରିଛନ୍ତି ଚାଷୀ । ଯୋଗ୍ୟ ହିତାଧିକାରୀ ଭାବେ ଚୟନ କରାଯାଇ ଆମକୁ ଟଙ୍କା ଦିଆଯାଇଥିଲାବେଳେ ଏତେଦିନ ପରେ ଏବେ କାହିଁକି ଟଙ୍କା ଫେରାଇବା ପାଇଁ କୁହାଯାଉଛି ବୋଲି ଅଭିଯୋଗ କରିଛନ୍ତି ଚାଷୀ । କରୋନା ମହାମାରୀ ପାଇଁ ଯେତେବେଳେ ଜୀବନ ଜୀବିକା ବିପଦରେ ପଡିଛି । ଦୀର୍ଘଦିନ ହେବ ରୋଜଗାର ନଥାଇ ପରିବାର କଷ୍ଟରେ ଚଳୁଥିବାବେଳେ ଏହି ସମୟରେ ସରକାରଙ୍କ ଏଭଳି ନୋଟିସ୍ କଟା ଘାରେ ଚୂନ ମାରିଲା ସଦୃଶ୍ୟ ବୋଲି କହିଛନ୍ତି କାଳିଆ ହିତାଧିକାରୀ । କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ହିତାଧିକାରୀ ତାଲିକାରେ ଯିଏ ସାମିଲ କରିଛନ୍ତି, ସେହି ସରକାରୀ ଅଫିସରଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ । ଏôଥସହ ଅଯୋଗ୍ୟ କହି ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତ୍ତିକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି କାଳିଆ ହିତାଧିକାରୀ ।