Odiapua.com

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଶ୍ରମଜୀବୀଙ୍କ ବିକ୍ଷୋଭ

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ଦେଶରେ ମୋଦି ସରକାର ଶ୍ରମିକ ଓ କୃଷକମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବା ପାଇଁ ସଂସଦରେ ଆଦାନୀ, ଆମ୍ବାନୀ, ରିଲାଏନ୍ସ ଓ ବହୁ ଜାତିକ ପୁଂଜିପତିମାନଙ୍କ ଚୌକିଦାର ସାଜି ଯେଉଁ ୪ଟି ଶ୍ରମ କୋର୍ଡ ଓ ୩ଟି କୃଷକବିରୋଧୀ ବିଲ୍ ପାରିତ କରିଛି, ତାହା ଦେଶର ଶ୍ରମିକ ମାରଣ ନୀତି କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଆଜି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଦ୍ରକ ଜିଲାର ସମସ୍ତ ଶ୍ରମଜୀବୀ ସଂଗଠନର ନେତାମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକ ସିଟୁ ଜିଲା କମିଟି ପକ୍ଷରୁ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ମଳୟ ଭୋଇ, ବିଷ୍ଣୁ ଦାଶ, ଚନ୍ଦ୍ରଶେଖର ନାୟକ, ପ୍ରଭାସ ମହାପାତ୍ର, ବିକାଶ ନାଥ, ନିରଂଜନ ପାଣି, ମହେଶ୍ୱର ନାୟକ, ମମତା ଜେନା, ଶାନ୍ତି ନାୟକ, ସୀତା ଦାସ, କାମିନୀ ଭୋଇ, ବାସନ୍ତୀ ଚିତ୍ରକର, ବିନୋଦ ସାହୁ, ଜଏନୁଲ ଆବେଦିନ, ଗୟାଧର ସାହୁ, ପ୍ରତାପ ସେଠୀ, ଗିରଧାରୀ ନାଥ, ସେକ୍ କମର, ସେକ୍ କାଲୁ, ସେକ୍ ସତ୍ତାରୁଦ୍ଦିନ୍‌, ଅବଦୁଲ ରହେମାନ, କାଳନ୍ଦୀ ପାତ୍ର, ନବ ବେହେରା, ପୂର୍ଣ୍ଣଚନ୍ଦ୍ର ଦାସ, ପ୍ରହ୍ଲାଦ ପତି, ଅଶୋକ ଦଳେଇ ପ୍ରମୁଖଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏଠାରେ ଏକ ପ୍ରତିବାଦ ସଭା ଦିବ୍ୟସିଂହ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପରୋକ୍ତ ବକ୍ତାମାନେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହ ଆମ ଦେଶର ଶିଳ୍ପ, କଳକାରଖାନା, ରେଳବାଇ, ବ୍ୟାଙ୍କ, ବୀମା, ଡାକ, ବନ୍ଦର ଗୁଡିକୁ ପୁଂଜିପତିଙ୍କ ହାତକୁ କେନ୍ଦ୍ରର ମୋଦି ସରକାର ଟେକିଦେବା ନେଇ ତୀବ୍ର ସମାଲୋଚନା କରିଥିଲେ । ସେଠାରେ କାର୍ଯ୍ୟରତ ଶ୍ରମଜୀବୀମାନଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରମ ଆଇନ୍‌କୁ ସଂଶୋଧନ କରି ସେମାନଙ୍କୁ ଦିନକୁ ୧୨ ଘଣ୍ଟା ଖଟାଇବା ପାଇଁ ଯେଉଁ ଆଇନ୍ ଆଣିଛନ୍ତି, ତାହା ବିରୁଦ୍ଧରେ ବକ୍ତାମାନେ କହିବା ସହ ଉପରୋକ୍ତ କୃଷି ସେବା ଆଇନ୍ ୨୦୨୦ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ୍ ୨୦୨୦ କୁ ରଦ୍ଦ କରିବା, ନୂତନ ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୦ କୁ ପ୍ରତ୍ୟାହାର କରିବା ସହ ସ୍ୱାମୀନାଥନ୍ କମିଶନ ରିପୋର୍ଟ ମୂଳେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବାକୁ ବକ୍ତାମାନେ ଦାବି କରିଥିଲେ । ଏବଂ ଦିଲ୍ଲୀଠାରେ ଅନୁଷ୍ଠିତ କୃଷକ ଆନ୍ଦୋଳନର ଦାବିକୁ ମୋଦି ସରକାର ତୁରନ୍ତ ମାନିନେଇ ୩ଟି କୃଷି ବିଲ୍ ପ୍ରତ୍ୟାହାର କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।