Odiapua.com

ଚାଷୀମାନଙ୍କୁ ନିର୍ଦ୍ଧାରିତ ଧାନ କ୍ୱିଂଟାଲ ପ୍ରତି ଏମଏସପି ୧୯୪୦ ଟଙ୍କା ପ୍ରଦାନ କରାଯାଉ : ପ୍ରଦୀପ ପୁରୋହିତ

ମଣ୍ଡିରେ ମିଲର୍ସମାନଙ୍କ ରାଜୁତି ବନ୍ଦ କରାଯାଉ
ଅଖା, ସୁତୁଲି, ପରିବହନ, ଶ୍ରମ ଖର୍ଚ୍ଚ ଆଦି କେନ୍ଦ୍ର ସରକାରଙ୍କ ତରଫରୁ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବାବେଳେ ଅର୍ଥକୁ ସମବାୟ ବିଭାଗ ଓ ମିଲର୍ସମାନେ ମିଳିମିଶୀ ଭାଗ ବାଂଟି ନେଉଛନ୍ତି
ଆରଏମସି ଓ ପ୍ୟାକ୍ସମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ଧାନ କିଣାବିକାର କମିଶନ ଟଙ୍କା ଗଚ୍ଛିତ ଥିବାବେଳେ ମଣ୍ଡି ଭିତିଭୁମିର ବିକାଶରେ ଟଙ୍କାଟିଏ ଖର୍ଚ୍ଚ କରାଯାଉନଥିବାରୁ ଚାଷୀଙ୍କ କଷ୍ଟ ଉପାର୍ଜିତ ବହୁ ଧାନ ନଷ୍ଟ ହେଉଛି
ଚାଷୀଙ୍କ ବଦଳରେ ମିଲର୍ସଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ କରାଯିବ
ଭୁବନେଶ୍ୱର ୨୬/୧୧ (ଓଡ଼ିଆ ପୁଅ) : ରାଜ୍ୟରେ ଧାନ କିଣାବିକା ଅବ୍ୟବହିତ ପୂର୍ବରୁ ବିଜେପି କୃଷକ ମୋର୍ଚ୍ଚା ମଣ୍ଡିମାନଙ୍କରେ ମିଲର୍ସମାନଙ୍କର ରାଜୁତି ବନ୍ଦ କରିବା ସହ କେନ୍ଦ୍ର ସରକାର ଧାନ କ୍ୱିଂଟାଲ ପ୍ରତି ଯୋଗାଇ ଦେଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୯୪୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ବିଜେପି ତାଗିଦ୍ କରିଛି।

ଗତ କାଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ମୋର୍ଚ୍ଚାର ଏକ ପ୍ରତିନିଧି ଦଳରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ସଚିବଙ୍କ ଅନୁପସ୍ଥିତିରେ ସ୍ୱତନ୍ତ୍ର ସଚିବ ଶ୍ରୀ ରାଜେନ୍ଦ୍ର ମିଶ୍ରଙ୍କୁ ଲୋକସେବା ଭବନରେ ସାକ୍ଷାତ କରି ଏ ସମ୍ବନ୍ଧରେ ଦାବି ପତ୍ର ଦେବା ସହ ଚାଷୀମାନେ କିଭଳି ସୁରୁଖୁରୁରେ ଧାନ ବିକ୍ରୀ କରିପାରିବେ, ସେ ସଂପର୍କରେ ବିଶଦ ଆଲୋଚନା କରିଥିଲେ। ମିଲର୍ସମାନେ ରାଜ୍ୟରେ ସମସ୍ତ ମଣ୍ଡିକୁ ନିୟନ୍ତ୍ରଣ କରି ଧାନ କିଣାବିକାରେ ମୁଖ୍ୟ ଭୁମିକା ନିଭାଉଥିବାରୁ ପ୍ରତି କ୍ୱିଂଟାଲରେ ମିଲର୍ସମାନେ ୧୦-୧୨ କେଜି ଧାନ କଟନି ଛଟନି କରୁଛନ୍ତି। ଏହା ଦ୍ୱାରା ଚାଷୀମାନେ ଶୋଷଣର ଶିକାର ଶିକାର ହେଉଥିବାବେଳେ ମିଲର୍ସମାନେ କୋଟି କୋଟି ଟଙ୍କାର ମୁନାଫା ପାଉଛନ୍ତି। ରାଜ୍ୟ ସରକାର ଚାଷୀମାନଙ୍କଠାରୁ ସମସ୍ତ ଧାନ କିଣିବା ସହ ଗୋଟିଏ ମଧ୍ୟ ଟୋକନ ଲାପ୍ସ ହେବା କଥା ନୁହେଁ ବୋଲି କୃଷକ ମୋର୍ଚ୍ଚା ତରଫରୁ ଦାବି କରାଯାଇଛି।

ଅଖା, ସୁତୁଲି, ପରିବହନ, ଶ୍ରମ ଖର୍ଚ୍ଚ ଆଦି କେନ୍ଦ୍ର ସରକାରଙ୍କ ତରଫରୁ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବାବେଳେ ଏହି ଅର୍ଥକୁ ସମବାୟ ବିଭାଗ ଓ ମିଲର୍ସମାନେ ମିଳିମିଶୀ ଭାଗ ବାଂଟି ନେଉଛନ୍ତି। ଆରଏମସି ଓ ପ୍ୟାକ୍ସମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ଧାନ କିଣାବିକାର କମିଶନ ଟଙ୍କା ଗଚ୍ଛିତ ଥିବାବେଳେ ମଣ୍ଡି ଭିତିଭୁମିର ବିକାଶରେ ଟଙ୍କାଟିଏ ଖର୍ଚ୍ଚ କରାଯାଉନଥିବାରୁ ଚାଷୀଙ୍କ କଷ୍ଟ ଉପାର୍ଜିତ ବହୁ ଧାନ ନଷ୍ଟ ହେଉଛି। ଏ ସମସ୍ତ ପ୍ରସଙ୍ଗରେ ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନକରି ମିଲର୍ସଙ୍କ ସ୍ୱାର୍ଥକୁ ସୁରକ୍ଷା କଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପୁରୋହିତ ଚେତାବନୀ ଦେଇଛନ୍ତି।

ଏହି ଅବସରରେ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ହୃଷିକେଶ ନାୟକ ଓ ରାଧାକାନ୍ତ ମହନ୍ତ, ରାଜ୍ୟ ସାଧାରଣ ସଂପାଦକ କାମାକ୍ଷା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।